ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଅପେକ୍ଷା ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମର ପାଣି ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତି ସମୀକ୍ଷା କରିଛନ୍ତି | ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମୟୁରଭଂଜରେ ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲଟି ଏରିଆର ୭୭ ଟି ୱାର୍ଡ ପ୍ରଭାବିତ ହୋଇଛି । ମୟୁରଭଂଜରେ ୫ ହଜାର ୭୬ ଜଣଙ୍କୁ ବିଭିନ୍ନ ରିଲିଫ ସେଣ୍ଟରରେ ରଖାଯାଇଛି। ମୟୁରଭଂଜର ୪୪ ଟି ସ୍ଥାନରେ ଫ୍ରି କିଚେନ୍ ବା ଖାଦ୍ୟ ଯୋଗାଇ ଦିଆଯାଉଛି। ୭ଟି ସ୍ଥାନରେ ଓଡରାଫ୍ ଟିମ୍ ମୁତୟନ ହୋଇଛି । ୭ଟି ଅଗ୍ନିଶମ ଟିମ ବି ମୁତୟନ ହୋଇଛନ୍ତି | ବାଲେଶ୍ବରରେ ୩୫ଟି ଗ୍ରାମ ପଞ୍ଚାୟତ ଓ ୱାର୍ଡ ପ୍ରଭାବିତ ହୋଇଥିବାବେଳେ ୧୧୩୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଖାଇବା ବ୍ୟବସ୍ଥା ୬ଟି ସ୍ଥାନରେ କରାଯାଇଛି।
୪ଟି ଓଡରାଫ ଟିମ୍ ମୁତୟନ ଥିବାବେଳେ ଆଉ ୨ ଟି ଟିମ୍ କଟକରୁ ଯାଉଛନ୍ତି। ଅଗ୍ନିଶମ ବିଭାଗର ୮ଟି ଟିମ୍ ମହଜୁଦ ରହିଛି । ଏନଡିଆରଏଫ ଟିମ୍ ଉଭୟ ଜିଲ୍ଲାରେ ରହିଛନ୍ତି। ୨ଜଣ ଉଚ୍ଚ ପଦସ୍ଥ ଅଧିକାରୀ ସ୍ଥିତି ପରଖୁଛନ୍ତି। ବର୍ତ୍ତମାନ ସୁବର୍ଣ୍ଣରେଖା ୧୧.୫୨ ମିଟର ରେ ଜଳ ପ୍ରବାହିତ ହେଉଛି। ଜଳକାରେ ୫.୮୪ ମିଟରରେ ଜଳପ୍ରବାହିତ୍ ହେଉଛି । ଯାହା ବିପଦ ସଂକେତ ଉପରେ ରହିଛି। ବସ୍ତା, ବାଲିଆପାଳ, ଜଳେଶ୍ଵର, ଭୋଗରାଇ, ରେମୁଣା ସଦର ପ୍ରଭାବିତ ହୋଇଥିବାବେଳେ ଝାଡ଼ଖଣ୍ଡ ସରକାରଙ୍କ ସହିତ ସମ୍ପର୍କରେ ଅଛନ୍ତି ରାଜ୍ୟ ସରକାର। ୭ ରୁ ୮ ଟି ଘାଇ ସୃଷ୍ଟି ହୋଇଥିବାବେଳେ ମରାମତି ହୋଇଛି ।
ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ ବନ୍ୟା ସମୟରେ ପିଇବା ପାଇଁ ସଙ୍କଟ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ତେଣୁ ଯେଉଁ ଅଞ୍ଚଳରେ ବନ୍ୟା ପାଣି ପଶିବ, ସେଠାରେ ତୁରନ୍ତ ପାନୀୟ ଜଳ ଉତ୍ସ ଗୁଡ଼ିକୁ ଆଉ ଥରେ ସାନିଟାଇଜ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଯେମିତି କେହି ସମସ୍ୟାରେ ନପଡ଼ନ୍ତୁ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ।