ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଚାଷୀ ରାସ୍ତାରୋକ ଠାରୁ ଆରମ୍ଭ କରି ହଜାର ହଜାର ସଂଖ୍ୟାରେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତୁରନ୍ତ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଦିନିକିଆ ଗସ୍ତରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଆସି ପହଞ୍ଚି ଧାନ ସଂଗ୍ରହ ସ୍ଥିତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଗୋଷାଣୀ ବ୍ଲକର ଗାରାବନ୍ଧ ଓ ଜଙ୍ଗଲପାଡୁର ଧାନ ମଣ୍ଡି ପରିଦର୍ଶନ କରି ଧାନ ସଂଗ୍ରହ ବ୍ୟବସ୍ଥା ବୁଲି ଦେଖିବା ପରେ ମଣ୍ଡିକୁ ଆସିଥିବା ଚାଷୀଙ୍କ ବିଭିନ୍ନ ସମସ୍ୟା ଯଥା ମଣ୍ଡିରେ ଚାଷୀଙ୍କ ଧାନ ନରଖି ସିଧାସଳଖ ମିଲର ପାଖକୁ ପଠାଯାଉଥିବା ଫଳରେ ଦିନ ଦିନ ଧରି ଅନଲୋଡ ନ ହୋଇ ଗାଡି ଅଟକି ରହିବା, ବିଭିନ୍ନ ଆଳରେ ୨ରୁ ୬ କିଲୋ ଧାନ କଟନି ଛଟନି ହେବା, ଚାଷୀଙ୍କୁ ଅଖା ଓ ପରିବହନ ବାବଦରେ ଖର୍ଚ୍ଚ ମିଳୁନଥିବା ଆଦି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment

ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ସଭାଗୃହରେ ସାମୁହିକ ଭାବେ ଜିଲ୍ଲାର ଧାନ ସଂଗ୍ରହର ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୭୪ ହଜାର କ୍ୟୁଣ୍ଟାଲ ଧାନ କିଣା ହୋଇଥିବା ବେଳେ ଆହୁରି ୩ ଲକ୍ଷ କ୍ୟୁଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ଏବେ ବି ଅନେକ ଚାଷୀଙ୍କୁ ମିଳିନାହିଁ ଟୋକେନ।

 ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ମୋଟ ୧୫୬୦୦ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧୩୨ଜଣ ବାଦ ପଡ଼ିଛନ୍ତି। ଜିଲ୍ଲାରେ ମୋଟ ୭ ଲକ୍ଷ ୫ ହଜାର ୮୮୭ କ୍ୟୁଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିଲା, ସେଥିମଧ୍ୟରୁ ଗତକାଲି ସୁଦ୍ଧା ୫ ଲକ୍ଷ ୭୪ ହଜାର ୨୯୫କ୍ୟୁଣ୍ଟାଲ ଧାନ ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ କିଣା ହୋଇଛି ସେଥିମଧ୍ୟରୁ ୮ ହଜାର ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି।

 ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏହି ସବୁ ଦିଗରେ ସମିକ୍ଷା ବୈଠକରେ ଆଲୋଚନା ହୋଇଛି ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି , ଖୁବ୍ ଶୀଘ୍ର ବଳକା ଚାଷୀଙ୍କୁ ଟୋକେନ ମିଳିବ ଏବଂ ମଣ୍ଡିରେ ଉପୁଜି ଥିବା ସମସ୍ୟା ସମ୍ପର୍କରେ ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

 ଅପରପକ୍ଷରେ ଚାଷୀଙ୍କ ବାରମ୍ବାର ବିକ୍ଷୋଭର ପ୍ରଭାବରେ ମନ୍ତ୍ରୀ ଆସିବାକୁ ବାଧ୍ୟ ହୋଇଛନ୍ତି, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପ୍ରକାରେ ଚାଷୀଙ୍କ ସମସ୍ୟା ସମାଧାନ ହେବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ।