ଝାଡ଼ଖଣ୍ଡରୁ ନିଖୋଜ ଯୁବକ ମାଲକାନଗିରିରୁ ଠାବ, ପୁଅକୁ ନିଜ ଖର୍ଚ୍ଚରେ ମା’ ପାଖରେ ପହଞ୍ଚାଇଲା ପୁଲିସ

ମାଲକାନଗିରି: ନିଜର ମହାନତା ଦେଖାଇଛି ମାଲକାନଗିରି ପୁଲିସ। ଝାଡ଼ଖଣ୍ଡରୁ ନିଖୋଜ ଜଣେ ଯୁବକଙ୍କୁ ଠାବ କରି ତା’ଙ୍କର ମା’ ପାଖରେ ପହଂଚାଇ ଦେଇଛି। ପୁଲିସର ଏହି କାମକୁ ନିଖୋଜ ଯୁବକର ପରିବାର ଲୋକେ ତଥା ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଅନୁସାରେ ଦୁଇ ବର୍ଷ ତଳେ ଝାଡଖଣ୍ଡରୁ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ସେତେବେଳେ ଥାନାରେ ଏତଲା ଦାୟର କରାଯାଇଥିଲା। ସୁନ୍ଦର କୋପେ ନାମକ ଯୁବକ ଜଣକ କାମ ଖୋଜିବା ପାଇଁ ଘରୁ ପଦାକୁ ଗୋଡ କାଢିଥିଲା। ଘରୁ ପଦାକୁ ବାହାରିବା ପରେ ସେ ଆଉ ଫେରି ନ ଥିଲା। ୨୦୧୮ ମସିହାରେ ହଜିଥିବା ପୁଅକୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ କୌଣସି ପତ୍ତା ପାଇନଥିଲେ।

ନିଜର ହଜିଲା ପୁଅକୁ ପାଇ ମା’ ଆଖିର ଲୁହ ଶୁଖୁନଥିଲା। ପୁଅକୁ ଫେରି ପାଇବା ପରେ ତାକୁ କିପରି ଆଲିଙ୍ଗନ କରିବ କେବଳ ଭାବୁଥିଲା।

ତେବେ ମାଲକାନଗିରି ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସୁନ୍ଦରଙ୍କୁ ଠାବ କରିଥିଲା। ରାତିରେ ଅଖିଆ ଅପିଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ସ୍ଥାନରେ ବସିଥିବା ବେଳେ ପୁଲିସ ତାକୁ ଧରି ପଚରାଉଚରା କରିଥିଲା। ସୁନ୍ଦର ନିଜର ପରିଚୟ ଦେବା ପରେ ପୁଲିସ ତୁରନ୍ତ ଝାଡଖଣ୍ଡର ପୁଲିସ ସହ ଯୋଗାଯୋଗ କରି ଭିଡିଓ କଲିଂ ମାଧ୍ୟମରେ ତାଂକର ପରିବାର ଲୋକଙ୍କ ସହ ସାକ୍ଷାତ କରାଇଥିଲା, ଯାହାକି ଅତି ଖୁସିର ମୂହର୍ତ୍ତ ଥିଲା।

ମାଲକାନଗିରି ପୁଲିସ ନିଜର ଉଦ୍ୟମରେ ଏକ ଗାଡିର ବନ୍ଦୋବସ୍ତ କରି ସୁନ୍ଦରକୁ ଝାଡଖଣ୍ଡ ପଠାଇଥିଲା। ଗ୍ରାମବାସୀ ଏବଂ ପରିବାରଙ୍କ ସମ୍ମୁଖରେ ମାଲକାନଗିରି ପୁଲିସ ପୁଅ ସୁନ୍ଦରକୁ ହାଜର କରାଇବା ପରେ ଗ୍ରାମରେ ଖୁସିର ଲହରି ଖେଳିଯାଇଥିଲା। ଲୋକେ ମାଲକାନଗିରି ପୁଲିସକୁ ପ୍ରଶଂସାରେ ପୋତି ଦେଇଥିଲେ। ଏତେ ସହଯୋଗ କେବେ ପୁଲିସ କରିନଥାଏ ବୋଲି ଗ୍ରାମବାସୀ କହିଥିଲେ। ଓଡିଶାର ପୁଲିସ ଏତେ ସହୃଦୟ ଏବଂ ପରୋପକାରୀ ବୋଲି ଚିନ୍ତା ମଧ୍ୟ କରିନଥିଲେ। ମା ତା’ର ପୁଅକୁ ଆଉ କେବେ ମଧ୍ୟ କାମ ପାଇଁ ଛାଡିବ ନାହିଁ ବୋଲି କାନ୍ଦି କାନ୍ଦି କହିଥିଲେ।

ସମ୍ବନ୍ଧିତ ଖବର