୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ମଡର୍ଣ୍ଣା ଟିକା ସୁରକ୍ଷିତ : ଏଫଡିଏ

ନ୍ୟୁୟର୍କ : ଆମେରିକୀୟ ଔଷଧ କମ୍ପାନି ମଡର୍ଣ୍ଣା ଦ୍ବାରା ପ୍ରସ୍ତୁତ କୋଭିଡ ଟିକା ୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ଏହାର କୌଣସି ବଡ଼ ଧରଣର ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ଆମେରିକାର ଫୁଡ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ପକ୍ଷରୁ କୁହାଯାଇଛି ।

ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେବା ପାଇଁ ଆସନ୍ତା ସପ୍ତାହରେ ଏଫଡିଏ ବିଶେଷଜ୍ଞଙ୍କ ଏକ ବୈଠକ ବସି ଏ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏହି ଟିକା ୬ ମାସରୁ ୧୭ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଦେଇହେବ । ଏହାକୁ ଦୁଇଟି ଡୋଜରେ ଦିଆଯିବ । ଏହି ବୈଠକରେ ଏଫଡିଏ ପକ୍ଷରୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଆଉ ଏକ ପେଡିଆଟ୍ରିକ ଟିକାକୁ ଅନୁମତି ପ୍ରଦାନ ସଂପର୍କରେ ବିଚାର କରାଯିବ । ଏହି ଟିକା ହେଉଛି ଫାଇଜର ଓ ଜର୍ମାନ କମ୍ପାନି ବାୟୋଏନଟେକ ପକ୍ଷରୁ ପ୍ରସ୍ତୁତ ଟିକା । ଏହାକୁ ୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଦେଇହେବ । କ୍ଲିନିକାଲ ପରୀକ୍ଷଣରୁ ଏହି ଦୁଇଟି ଟିକା ଶିଶୁମାନଙ୍କ ପାଇଁ ସୁରକ୍ଷିତ ଓ କୋଭିଡ ବିରୋଧରେ ପ୍ରଭାବି ବୋଲି ଜଣାପଡ଼ିଥିଲା ।

ଜୁନ ୧୯ ପରଠାରୁ ଆମେରିକାରେ ୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଟିକା ଦେବାକୁ ଆମେରିକା ସରକାର ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର