ନୂଆଦିଲ୍ଲୀ: ସମଗ୍ର ବିଶ୍ବ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ଅପପ୍ରୟୋଗକୁ ନେଇ ଚିନ୍ତା କରିବାର ସମୟ ଆସିଛି ଓ ଏହାକୁ ନିୟନ୍ତ୍ରଣ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଜି-୨୦ ଭର୍ଚୁଆଲ ଶିଖର ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ସେ ଏହା କହିଥିଲେ। ଭାରତ ନିଶ୍ଚିତ ଯେ ଏଆଇର ବୈଶ୍ୱିକ ନିୟନ୍ତ୍ରଣ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ସେ କହିଛନ୍ତି ।
ସେ କହିଥିଲେ, ଡିପଫେକ୍ ଆମ ସମାଜ ପାଇଁ କେତେ କ୍ଷତିକାରକ ହୋଇପାରେ ତାହାକୁ ବୁଝିବିଚାରି ଆମକୁ ଆଗକୁ ବଢିବାକୁ ହେବ । ଆସନ୍ତା ମାସରେ ଭାରତରେ ଗ୍ଲୋବାଲ ଏଆଇ ପାର୍ଟନରସିପ୍ ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି, ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଏଥିରେ ସହଯୋଗ କରିବେ ।
ଅନ୍ୟପକ୍ଷରେ, ବନ୍ଧକଙ୍କ ମୁକ୍ତି ପାଇଁ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧବିରତିକୁ ମୋଦୀ ସ୍ବାଗତ କରିଛନ୍ତି । ଯେକୌଣସି ପରିସ୍ଥିତି ହେଉ ସାଧାରଣ ଲୋକଙ୍କ ଜୀବନହାନୀଙ୍କୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ ।
ଏହି ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏକବିଂଶ ଶତାବ୍ଦୀର ବିଶ୍ୱ ଆଗକୁ ବଢିବା ସହ ଗ୍ଲୋବାଲ ସାଉଥକୁ ପ୍ରାଥମିକତା ଦେବାକୁ ହେବ । ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ଅନେକ ଅସୁବିଧା ଦେଇ ଗତି କରୁଛନ୍ତି, କିନ୍ତୁ ଏଥିପାଇଁ ସେମାନେ ଦାୟୀ ନୁହଁନ୍ତି । ସମୟର ଆବଶ୍ୟକତା ହେଉଛି ଆମେ ବିକାଶ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ସମର୍ଥନ ଦେବା ଉଚିତ୍ ।