ନୂଆଦିଲ୍ଲୀ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଆଜି ସାରା ଦେଶରେ ଏକତା ଦିବସ ପାଳନ କରାଯାଉଛି | ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଏହା ପରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି ଓ ସେ ଏକତା ଦିବସ ଶପଥ ପାଠ କରାଇଛନ୍ତି | ସେହିପରି ସେ ଏକତା ଦିବସ ପରେଡ୍ ର ସାକ୍ଷୀ ହୋଇଛନ୍ତି ଯେଉଁଥିରେ ୯ଟି ରାଜ୍ୟ ଏବଂ ୧ଟି କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ଏନସିସି ଏବଂ ଏକ ଶୋଭାଯାତ୍ରା ଦଳ ସାମିଲ ହୋଇଥିଲେ ।
ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା 'ସୂର୍ଯ୍ୟ କିରଣ' ଫ୍ଲାଇପାଷ୍ଟ ଦେଖିବାକୁ ମିଳିଛି | ତେବେ ସର୍ଦ୍ଦାର ବଲ୍ଲଭଭାଇଙ୍କ ବାବଦରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି | ତାଙ୍କ ଜନ୍ମ ବାର୍ଷିକୀରେ ଜାତିର ଏକତା ଏବଂ ସାର୍ବଭମତ୍ୱ ରକ୍ଷା କରିବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଥିଲା। ତାଙ୍କର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ |