ଭାରତୀୟ ଟିକା କମ୍ପାନିର ମୁଖ୍ୟମାନଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ : ୧୦୦ କୋଟି ଟିକା ମାଇଲଖୁଣ୍ଟ ଅତିକ୍ରମ କରିବାର ଦୁଇଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ଟିକା ଉତ୍ପାଦନ କରୁଥିବା କମ୍ପାନିର ମୁଖ୍ୟମାନଙ୍କୁ ଭେଟିଛନ୍ତି । ବୈଠକରେ ଯୋଗ ଦେଇଥିବା କମ୍ପାନିମାନେ ହେଲେ ସେରମ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ, ଡ.ରେଡ୍ଡିସ ଲାବରୋଟୋରୀ, ଜାଇଡସ କାଡିଲା, ବାୟୋଲଜିକାଲ-ଇ, ଜେନୋଭା ବାୟୋଫାର୍ମା ଓ ପାନାସି ବାୟୋଟେକ୍ । ଏହି ବୈଠକରେ ମୋଦୀ ଦେଶରେ ଟିକା ଗବେଷଣାକୁ ଆହୁରି ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେଇଥିଲେ ।

ଏହି ବୈଠକ ପରେ ସିରମ ଇନଷ୍ଟିଚ୍ୟୁଟର ଆଦର ପୁନାଓ୍ବାଲା କହିଛନ୍ତି ଯେ ସମଗ୍ର ବିଶ୍ବ ଏବେ ଟିକା ପାଇଁ ଭାରତ ଉପରେ ନିର୍ଭରଶୀଳ ଅଛି । ଭାରତ ମାନବତାର ରକ୍ଷା ପାଇଁ ଆମେ ସହାୟତା ଜାରି ରଖିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ଟିକା ଗୁଡ଼ିକ ଡେଲଟା ଭାରିଆଣ୍ଟ ବିରୋଧରେ ଭଲ କାମ କରୁଛି । ଭାରତ ବାୟୋଟେକର ସିଇଓ କ୍ରିଷ୍ଣା ଏଲା କହିଛନ୍ତି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେବାକୁ ନେଇ ସେ ଆଶାବାଦୀ ଅଛନ୍ତି ।

ଗତ ୨୧ ତାରିଖରେ ଭାରତ ୧୦୦ କୋଟି ମାତ୍ରା ଟିକା ମାଇଲଖୁଣ୍ଟ ଅତିକ୍ରମ କରିଥିଲା । ଦେଶରେ ଏବେ ୩ଟି କରୋନା ଟିକା ଦିଆଯାଉଛି । ସେଗୁଡ଼ିକ ହେଲେ ଭାରତ ବାୟୋଟେକର କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟର କୋଭିସିଲଡ ଓ ଡ.ରେଡ୍ଡିସ ଦ୍ବାରା ଉତ୍ପାଦନ ହେଉଥିବା ଋଷୀୟ ସ୍ପୁଟନିକ-ଭି ।

ସମ୍ବନ୍ଧିତ ଖବର