ନୂଆଦିଲ୍ଲୀ: ଭିଏତନାମର ଲାଓ-ପିଡିଆର ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟାଫର ଲକ୍ସନଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀ ବ୍ୟବସାୟ, ନିବେଶ, ପ୍ରତିରକ୍ଷା, ନବୀକରଣୀୟ ଉର୍ଜା, ଶିକ୍ଷା, ଡାଏରୀ, କୃଷି ପ୍ରଯୁକ୍ତି, କ୍ରୀଡ଼ା, ପର୍ଯ୍ୟଟନ, ଅନ୍ତରୀକ୍ଷ ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆଦି ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ । କ୍ରମାଗତ ଉଚ୍ଚସ୍ତରୀୟ ସମ୍ପର୍କ ପ୍ରତିଷ୍ଠା କରାଯାଇଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇପାରିଛି ।
ଏହି ପ୍ରସଙ୍ଗରେ ସେ ନିକଟରେ ଭାରତର ରାଷ୍ଟ୍ରପତିଙ୍କ ନ୍ୟୁଜିଲାଣ୍ଡ ଗସ୍ତ କଥା ମନେ ପକାଇଥିଲେ, ଯାହାକି ଏକ ବଡ଼ ସଫଳତା ଥିଲା । ସେହିପରି ଏହି ସମ୍ମିଳନୀ ଅବସରରେ ଜାପାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଇଶିବାଙ୍କୁ ତାଙ୍କର ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ଜାପାନଙ୍କୁ ଶୀର୍ଷ ସ୍ଥାନକୁ ନେବା ପାଇଁ ତାଙ୍କ ସଫଳତା କାମନା କରିଥିଲେ ।
ସେ ଗୁରୁତ୍ୱ ଦେଇ କହିଥିଲେ, ଭାରତ ଏକ ବିଶ୍ୱସନୀୟ ବନ୍ଧୁ ଏବଂ ରଣନୀତିକ ସହଯୋଗୀ ଭାବେ ଜାପାନ ସହ ସମ୍ବନ୍ଧକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଜାରି ରଖିବ । ଉଭୟ ନେତା ବାଣିଜ୍ୟ ଏବଂ ନିବେଶ, ମୌଳିକ ଢାଞ୍ଚାର ବିକାଶ, ରକ୍ଷା ଏବଂ ସୁରକ୍ଷା, ସେମିକଣ୍ଡକ୍ଟର, ଦକ୍ଷତା, ସଂସ୍କୃତି ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରି ଭାରତ-ଜାପାନ ବିଶେଷ ରଣନୀତିକ ଏବଂ ବୈଶ୍ୱିକ ସହଯୋଗ ଦିଗରେ ସମ୍ପର୍କ ବୃଦ୍ଧି ନେଇ ପ୍ରତିବଦ୍ଧତା ଦୋହରାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/56P8qdbez9wGeSoOLLBW.jpg)