କରୋନାକୁ ହରାଇବାକୁ ହେଲେ ଆମକୁ ୨୧ ଦିନିଆ ଯୁଦ୍ଧ ଲଢିବାକୁ ହେବ : ମୋଦୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକଟର ମୁକାବିଲା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ବା ସଂଗରୋଧ ହିଁ ଏକମାତ୍ର ଉପାୟ । ଏଥିପାଇଁ ହିଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଜନସାଧାରଣ ଏଥିରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ତେବେ କରୋନା ସଂକ୍ରମିତ ଲୋକମାନେ ନିଜେ ମନଇଚ୍ଛା କୌଣସି ଔଷଧ ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ନିଜ ସଂସଦୀୟ କ୍ଷେତ୍ର ବନାରସର ଲୋକମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମତବିନିମୟ କରିବା ଅବସରରେ ମୋଦୀ କହିଛନ୍ତି ଯେ ଆସନ୍ତା ୨୧ ଦିନ ପାଇଁ ସମଗ୍ର ଦେଶ କରୋନା ଭାଇରସ ସହିତ ଲଢେଇ କରିବ । ୨୧ ଦିନରେ କରୋନାକୁ ଜିତିବା ଆମର ଲକ୍ଷ୍ୟ । ସୋସିଆଲ ଡିଷ୍ଟାନ୍ସିଂ ମାଧ୍ୟମରେ ଆମେ ଏହି ଯୁଦ୍ଧକୁ ଜିତିପାରିବା ।

ସେ କହିଛନ୍ତି ଯେ କରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ନାହିଁ । ଭାରତ ସମେତ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଏଥିପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ସଂକ୍ରମିତ ଲୋକମାନେ ନିଜେ ନିଜେ ଏହାର ଚିକିତ୍ସା କରିବା ଉଚିତ ନୁହେଁ । ଏହାର ପରିଣାମ ମାରାତ୍ମକ ହୋଇପାରେ । ଏଣୁ ଯଦି ଶରୀରରେ କୌଣସି ଲକ୍ଷଣ ଥିବା ସଂଦେହ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ସେବନ ଜରୁରୀ । ମୋଦୀ କହିଛନ୍ତି ଯେ ଏହି ଲକଡାଉନ ଯୋଗୁ ଦେଶର ଗରିବ ଲୋକ ଓ ପଶୁପକ୍ଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ସେମାନଙ୍କ ପ୍ରତି ସହାୟତାର ହାତ ବଢାନ୍ତୁ ।

ସମ୍ବନ୍ଧିତ ଖବର