ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଥିଲେ । ସେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ୫୦୦ରୁ ଅଧିକ ରାଜ୍ୟକୁ ଏକାଠି କରିବା ଏବଂ ଏହାକୁ ଏକତା ସୂତ୍ରରେ ବୁଣିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରୟାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଜୟପୁର, ଉଦୟପୁର ଏବଂ କୋଟା ଭଳି ରାଜସ୍ଥାନର ବିଭିନ୍ନ ଦେଶୀୟ ରାଜ୍ୟ ମାନଙ୍କର ନିଜସ୍ୱ ଉଚ୍ଚ ନ୍ୟାୟାଳୟ ଥିଲା , ଯାହା ରାଜସ୍ଥାନ ଉଚ୍ଚ ନ୍ୟାୟାଳୟକୁ ଅସ୍ତିତ୍ୱକୁ ଆଣିବା ପାଇଁ ସମନ୍ୱିତ ହୋଇଥିଲା । ଜାତୀୟ ଏକତା ଭାରତର ନ୍ୟାୟ ବ୍ୟବସ୍ଥାର ମୂଳଦୁଆ ଏବଂ ଏହାକୁ ସୁଦୃଢ଼ କରିବା ଦ୍ୱାରା ଦେଶ ଓ ଏହାର ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ , ନ୍ୟାୟ ସରଳ ଏବଂ ସାବଲୀଳ ଅଟେ, କିନ୍ତୁ ବେଳେବେଳେ ପ୍ରକ୍ରିୟା ଏହାକୁ ଜଟିଳ କରିଦିଏ । ନ୍ୟାୟକୁ ଯଥାସମ୍ଭବ ସରଳ ଓ ସାବଲୀଳ କରିବା ପାଇଁ ସମସ୍ତ ପ୍ରୟାସ କରିବା ଆମର ସାମୂହିକ ଦାୟିତ୍ୱ ବୋଲି ମୋଦୀ ମତ ଦେଇଥିଲେ । ଭାରତ ଏ ଦିଗରେ ଏକାଧିକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।

Advertisment

ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଅନେକ ଅପ୍ରାସଙ୍ଗିକ ଔପନିବେଶିକ ଆଇନକୁ ରଦ୍ଦ କରିଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ଦଶମ ସ୍ଥାନରୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପହଂଚିବା ଭଳି ଉନ୍ନତି ଘଟିଛି । ନୂତନ ଭାରତର ଆବଶ୍ୟକତା ଅନୁଯାୟୀ ନୂତନ ଉଦ୍ଭାବନ ଏବଂ ବ୍ୟବସ୍ଥାର ଆଧୁନିକୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ,  "ଆଜି ଭାରତର ସ୍ୱପ୍ନ ବଡ଼ ଏବଂ ନାଗରିକ ମାନଙ୍କର ଆକାଂକ୍ଷା ଉଚ୍ଚ । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ସମସ୍ତଙ୍କ ପାଇଁ ନ୍ୟାୟ' ହାସଲ କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଭାରତର ନ୍ୟାୟିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ 'ଇ - କୋର୍ଟ' ପ୍ରକଳ୍ପର ଉଦାହରଣ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଦେଶର ୧୮,୦୦୦ରୁ ଅଧିକ ଅଦାଲତକୁ କମ୍ପ୍ୟୁଟରୀକରଣ କରାଯାଇଛି ଏବଂ ଜାତୀୟ ନ୍ୟାୟିକ ଡାଟା ଗ୍ରିଡ୍ ମାଧ୍ୟମରେ ଏକ କେନ୍ଦ୍ରିକ ଅନଲାଇନ୍ ପ୍ଲାଟଫର୍ମରେ ୨୬ କୋଟିରୁ ଅଧିକ ଅଦାଲତ ମାମଲାର ସୂଚନା ଉପଲବ୍ଧ କରାଯାଇଛି । ୩୦୦୦ ରୁ ଅଧିକ କୋର୍ଟ କମ୍ପେ୍ଲକ୍ସ ଏବଂ ୧୨୦୦ରୁ ଅଧିକ ଜେଲକୁ ଭିଡିଓ କନଫରେନ୍ସିଂ ସୁବିଧା ସହିତ ସଂଯୋଗ କରାଯାଇଛି ବୋଲି ମୋଦୀ ସୂଚନା ଦେଇଥିଲେ ।