ବିସ୍କେକରେ ପାକ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କଲେ ମୋଦୀ: ଇମ୍ରାନଙ୍କ ଉପସ୍ଥିତିରେ ପାକିସ୍ତାନ ଉପରେ ବର୍ଷିଲେ

ବିସ୍କେକ୍: କିର୍ଗିଜସ୍ଥାନର ରାଜଧାନୀ  ବିସ୍କେକରେ ଚାଲିଥିବା ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରେ  ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାକିସ୍ତାନର ନାଁ ନ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ମୋଦୀ । ଶ୍ରୀଲଙ୍କା ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣର ଉଦାହରଣ ଦେଇ କହିଛନ୍ତି ଆତଙ୍କବାଦ ଯୋଗୁଁ  ପ୍ରତିଦିନ ହଜାର ହଜାର ନୀରିହ ଲୋକଙ୍କ ଜୀବନ ଯାଉଛି । ତେଣୁ ଆତଙ୍କବାଦକୁ ପ୍ରଶୟ ଦେଉଥିବା ରାଷ୍ଟ୍ରକୁ ଏଥିପାଇଁ ଦାୟୀ କରାଯିବାର ଆବଶ୍ୟକତା ରହିଛି । ଆତଙ୍କର ମୁକାବିଲା ପାଇଁ ସମସ୍ତେ ଏକଜୁଟ ହୋଇ ସାମ୍ନା କରିବା ଉଚିତ । ଏସସିଓ ଦେଶଗୁଡ଼ିକ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢେଇ଼ କରିବା କଥା । ଆତଙ୍କବାଦ ବିରୋଧରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଏହା ବ୍ୟତୀତ ବିସ୍କେକ ବୈଠକରେ ପାକ୍ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନଙ୍କୁ ଅଣଦେଖା କରିଛନ୍ତି ମୋଦୀ । ସମ୍ମିଳନୀର ଉଦଘାଟନୀ ସମାରୋହ ପାଇଁ ଗୋଟିଏ ଛାତ ତଳେ ଦୁଇ ନେତା ଉପସ୍ଥିତ ଥିଲେ ମଧ୍ୟ ହାତ ପରସ୍ପର ସହ ମିଳାଇ ନ ଥିଲେ କି କଥା ହୋଇ ନଥିଲେ । ଏପରିକି ମୋଦୀ ଅନ୍ୟ ନେତାମାନଙ୍କ ସହ ହାତ ମିଳାଇଥିଲେ ମଧ୍ୟ ଇମ୍ରାନଙ୍କ ଆଡକୁ ଚାହିଁ ନ ଥିଲେ । କିଛି ସମୟ ପରେ ଇମ୍ରାନ ଆସନ ଛାଡି ଚାଲିଯାଇଥିଲେ । ପୂର୍ବରୁ ଯେକୌଣସି ସମସ୍ୟା ସମ୍ପର୍କରେ ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଇମ୍ରାନ ମୋଦୀଙ୍କୁ ଚିଠି ଲେଖିଥିଲେ । ତେବେ ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ସମ୍ଭବ ନୁହଁ ବୋଲି ଭାରତ ଦର୍ଶାଇଥିଲା ।

ମୋଦୀ ଏସସିଓ ବୈଠକରେ ଯୋଗ ଦେବା ପାଇଁ ପାକିସ୍ତାନର ବାୟୁସୀମା ବ୍ୟବହାର କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ପାକ୍ ବାୟୁସୀମା ବଦଳରେ ମୋଦି ତୁର୍କିମେନସ୍ଥାନ ଓ ତାଜକିସ୍ତାନ ରୁଟ୍ ଦେଇ କିର୍ଗିସ୍ତାନର ବିଶକେକ୍ ଯାଇଛନ୍ତି ।

ସମ୍ବନ୍ଧିତ ଖବର