୨୪ରେ ପ୍ରଧାନମନ୍ତ୍ରୀ ମୋଦି ବୋକାରୋ-ଅନୁଗୁଳ, ପାରାଦୀପ-ହାଇଦ୍ରାବାଦ ଗ୍ୟାସ ପାଇପ୍‌ ଲାଇନ୍‌ ପାଇଁ କରିବେ ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୪ ତାରିଖରେ ଝାଡ଼ଖଣ୍ଡର ବୋକାରୋ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଏବଂ ପାରାଦୀପ ଠାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନିକିଆ ଗସ୍ତ ପୂର୍ବରୁ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ପ୍ରଧାନ କହିଛନ୍ତି, ଗସ୍ତ କାଳରେ ମୋଦି ଭୁବନେଶ୍ୱର ଆଇଆଇଟିର ନବ ନିର୍ମିତ କ୍ୟାମ୍ପସ୍‌କୁ ଲୋକାର୍ପଣ କରିବା ସହିତ ବ୍ରହ୍ମପୁର ଆଇଜର୍‌ କ୍ୟାମ୍ପସ୍‌ ପାଇଁ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଚେୟାର ସ୍ଥାପନ ଓ ଅଧିକ ଗବେଷଣା ପାଇଁ ୫ କୋଟି କର୍ପସ ଫଣ୍ଡ ଘୋଷଣା କରିପାରନ୍ତି। ସେହିଭଳି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ମୋଦି ୨୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି।

ମୋଦିଙ୍କ ଆଇଆଇଟି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର