“ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ” – ଚିଲିକା କବିତାରେ ଚିଲିକା କୂଳର ରେଳଯାତ୍ରାକୁ ନେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ୱପ୍ନ ବୋଧହୁଏ ଥିଲା ସେବେକାର ପ୍ରତି ଓଡ଼ିଆଙ୍କ ସ୍ୱପ୍ନ। ଗତ ଡିସେମ୍ବର ମାସରେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିବା ସମୟରେ ସେଦିନ ସକାଳୁ ମୋ ନିଦ ଭାଙ୍ଗିଥିଲା କୋରାପୁଟରେ। ଟ୍ରେନର ଝରକା ଦେଇ କୋରାପୁଟର ମନୋମୋହକର ଶୋଭା ମୋ ମନକୁ ପୁଲକିତ କରୁଥିଲା। ପଣ୍ଡିତ ଗୋପବନ୍ଧୁଙ୍କୁ ମୁଁ ମନେ ପକାଇ ବୁଝି ପାରୁଥିଲି, ଚିଲିକା କୂଳେକୂଳେ ଉତ୍କଳମଣିଙ୍କ ରେଳଯାତ୍ରାର ସେହି ସୁଖଦ ଅନୁଭୂତିକୁ।
ରୁଷ୍ଠାରୁ ଭାରତ ଯାଏଁ – ଏହି ରେଳ ହିଁ ପୃଥିବୀର ବଡ଼ ବଡ଼ ଜନ-ଆନ୍ଦୋଳନ ତଥା ମୁକ୍ତି ସଂଗ୍ରାମକୁ ରୂପ ଦେଇଥିଲା। ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଭାରତର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପୃଷ୍ଠଭୂମିରେ ଯେଉଁଆଡ଼େ ଦେଖିଲେ, ଦିଶୁଥିଲା ଧାଡ଼ି ଧାଡ଼ି ରେଳପଥ, ରେଳଗାଡ଼ି ଓ ରେଳ ଆଧାରିତ ବିକାଶର ମାଳମାଳ ଚିତ୍ର। କିନ୍ତୁ ଏହି ବିକାଶ ଭିତରେ ଦିଶୁଥିଲା ଓଡ଼ିଶା ଭଳି ଏକ ପ୍ରାକୃତିକ ସମ୍ପଦ ସମ୍ପନ୍ନ ଭୂଖଣ୍ଡର ନିରୋଳା ବୈଷମ୍ୟର ଛବି।
/sambad/media/post_attachments/wp-content/uploads/2023/05/Bandebharat-2-750x430.jpg)
ସ୍ୱାଧୀନତା ପରର ଭାରତରେ ଗଡ଼ଜାତ ଓ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ସଂପୃକ୍ତ ରାଜାମାନଙ୍କ ଅଧୀନରେ ରହିଆସିଥିବା ରେଳବାଇ ସବୁ ସରକାରଙ୍କ ମାଲିକାନାକୁ ଆସିଲା। ଓଡ଼ିଶାର ମଧ୍ୟ-ସାନ-ବଡ଼ ୨୬ଟି ଗଡ଼ଜାତ ଏହି ଦେଶ ମିଶ୍ରଣରେ ସାମିଲ ଥିଲେ। କିନ୍ତୁ ଯେତେବେଳେ ରେଳ ବିକାଶର ପ୍ରକ୍ରିୟା ଆରମ୍ଭ ହେଲା, ଦେଖାଗଲା ଯେ ଓଡ଼ିଶା, ସେ ସମୟର କଂଗ୍ରେସ ସରକାରର ତାଲିକାରେ ସତେ ଅବା ନ ଥିଲା। ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ପ୍ରତି ରେଳବାଇ ଅବହେଳାର ଅଧ୍ୟାୟ ପରେ ଅଧ୍ୟାୟ ଗଡ଼ିଚାଲିଲା। ଏ ଅବହେଳା ପୁଣି ଓଡ଼ିଶା ପାଇଁ ଅନେକ ତିରସ୍କାର ଆଣିଦେଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ ଓଡ଼ିଶାକୁ ଉପହାସ କଲେ – ‘ଟଙ୍କା କ’ଣ ଗଛରେ ଫଳୁଛି’ କହି, ତାହା ମୋ ମାଟି ପ୍ରତି ଦଶନ୍ଧି ଦଶନ୍ଧି ଧରି ହୋଇଆସିଥିବା ଉପେକ୍ଷା ଓ ଅବହେଳାର ଗୋଟାଏ ଫ୍ଲାସ୍ ବ୍ୟାକ୍ ମୋ ମନରେ ଆଙ୍କିଦେଇଥିଲା। ଲାଗୁଥିଲା, ଏଇ ଉପେକ୍ଷା ବୋଧେ ଓଡ଼ିଶାର ବିକାଶଧାରା। ଧାଡ଼ିକରେ କହିଲେ, ଅବହେଳାର ଅନ୍ୟନାମ ଥିଲା ଓଡ଼ିଶା।
୨୦୧୪ ସାଧାରଣ ନିର୍ବାଚନ କିନ୍ତୁ ଓଡ଼ିଶା ବିକାଶରେ ନୂଆ ମୋଡ଼ ଆଣିଲା। ଏଇଠି ଗୋଟେ ପରିବର୍ତ୍ତନ ହେଲା, ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦିଜୀ ଦାୟିତ୍ୱ ନେଲେ। ଅବହେଳାର ଯୁଗ ଶେଷ ହୋଇ ଏକ ତ୍ୱରିତ ବିକାଶର ଯୁଗ ଆରମ୍ଭ ହେଲା। ମୋଦିଜୀଙ୍କ ବିକାଶ ମଡେଲର ଫୋକସ୍ ପୂର୍ବ-ଭାରତର ଉଦୟ ଯାତ୍ରା ଓଡ଼ିଶାର ଭାଗ୍ୟ ବଦଳାଇ ଦେଲା।
ପୂର୍ବ ସରକାରଗୁଡ଼ିକ ଅମଳରେ ରେଳ ଏକ ବିକାଶର ବିଷୟ ନ ହୋଇ ବରଂ ରାଜନୀତିର ବିଷୟ ହୋଇ ରହିଥିଲା। ଯୋଡ଼ିଏ ନୂଆ ଟ୍ରେନ କି ଗୋଟେ ନୂଆ କାରଖାନାର ପ୍ରତିଶ୍ରୁତି ଭିତରେ କେବଳ ଏକ ସୁବିଧାବାଦୀ ରାଜନୀତି କାୟାବିସ୍ତାର କରିଚାଲିଥିଲା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ଏଥିରେ ବଳି ପଡ଼ିଯାଉଥିଲା। ଉପେକ୍ଷିତ, ସୀମାନ୍ତ ଓ ଦୁର୍ଗମ ଜିଲ୍ଲାଗୁଡିକରେ ରେଳ ସାତସପନ ପାଲଟିଥିଲା। ୨୦୧୪ ପୂର୍ବରୁ ଆମ ରାଜ୍ୟକୁ ରେଳ ପ୍ରକଳ୍ପ ପାଇଁ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ତଥା ଅଭିନବ କାର୍ଯ୍ୟଶୈଳୀ ଯୋଗୁଁ ବିଗତ ୯ ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ ମୋଟ ୫୧,୨୩୭ କୋଟି ଟଙ୍କାର ଅନୁଦାନ ମିଳିଛି। କେବଳ ୨୦୨୩-୨୪ ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ୧୦,୦୧୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି – ଏ ପରିମାଣ ପୂର୍ବାପେକ୍ଷା ପ୍ରାୟ ୧୨ ଗୁଣ ଅଧିକ। ଏବେ ନୂଆ ନୂଆ ରେଳ ଲାଇନ୍ ବିଛାଯାଉଛି, ପୁରୁଣା ଲାଇନ୍ଗୁଡ଼ିକର ସଂପ୍ରସାରଣ ତଥା ଦୋହରୀକରଣ ହେଉଛି, ଟ୍ରାକ୍ଗୁଡ଼ିକର ନବୀକରଣ ହେଉଛି – ଆଉ ଏ ସବୁ କାମ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ, ସମୟବଦ୍ଧ ଭାବରେ।
୨୦୦୪ରୁ ୨୦୧୪ ମସିହା ମଧ୍ୟରେ ବାର୍ଷିକ ମାତ୍ର ୧୦ କିମି ନୂଆ ଲାଇନ ତିଆରି ହେଉଥିଲା ବେଳେ ଗତ ୯ ବର୍ଷରେ ଏହା ୨୪ କିମିକୁ ବୃଦ୍ଧି ପାଇଛି। ସେହିଭଳି ପୂର୍ବରୁ ବର୍ଷକୁ ମାତ୍ର ୧୪ କିମି ଲାଇନ ଦୋହରୀକରଣ ହେଉଥିଲା ବେଳେ ଏବେ ବର୍ଷକୁ ୧୧୭ କିମି ଦୋହରୀକରଣ କରାଯାଉଛି। ରେଳ ଳାଇନ୍ଗୁଡ଼ିକର ବିଦ୍ୟୁତୀକରଣ ମଧ୍ୟ ବାର୍ଷିକ ୩୫ କିମିରୁ ୧,୩୦୧ କିମିକୁ ବୃଦ୍ଧି ପାଇଛି, ଯାହା ଫଳରେ ଆଜି ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତୀକରଣ ହୋଇସାରିଛି। ସେହିପରି ପୂର୍ବ ସରକାର ଅମଳରେ ରେଳ ବିଭାଗର ପୁଞ୍ଜିବ୍ୟୟ ବର୍ଷକୁ ମାତ୍ର ୭୮୦ କୋଟି ଟଙ୍କା ଭିତରେ ସୀମିତ ରହୁଥିବା ବେଳେ ଏବେ ଏହା ବାର୍ଷିକ ୩,୫୬୮ କୋଟି ଟଙ୍କାରେ ପହଞ୍ଚିଛି।
ସଂପ୍ରତି ଓଡ଼ିଶାରେ ୧,୬୧୯ କିଲୋମିଟର ନୂଆ ଲାଇନ ବା ଗଜ୍ ପରିବର୍ତ୍ତନର ୧୨ଟି ପ୍ରକଳ୍ପରେ କାମ ଚାଲୁଅଛି ଏବଂ ଏଥିରେ ମୋଟ ୨୧,୬୫୯ କୋଟି ଟଙ୍କା ବ୍ୟୟ ହେବ। ସେହିଭଳି ୩୪,୧୦୦ କୋଟି ଟଙ୍କା ବ୍ୟୟରେ ୨,୯୯୧ କିଲୋମିଟର ରେଳପଥର ଦୋହରୀକରଣ ବା ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣର ୨୩ଟି ପ୍ରକଳ୍ପ କାମ ଜାରି ରହିଛି। ୧,୮୦୨.୧୧ କୋଟି ଟଙ୍କା ବ୍ୟୟରେ ୮୨ କିଲୋମିଟର ଦୀର୍ଘ ପାରାଦୀପ-ହରିଦାସପୁର ରେଳ ଲାଇନ୍ କେନ୍ଦ୍ରାପଡ଼ା ଜିଲ୍ଲାକୁ ଭାରତର ରେଳ ମାନଚିତ୍ରରେ ଯୋଡ଼ିସାରିଛି। ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନ୍ କାମକୁ ତ୍ୱରାନ୍ୱିତ କରାଯାଇ ଓଡ଼ିଶାର ଖଣିଜ ସମୃଦ୍ଧ ଅଞ୍ଚଳରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରାଯାଉଛି। ଏହି ଲାଇନ୍ ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତାକୁ ଯଥେଷ୍ଟ ହ୍ରାସ କରିବ ଏବଂ ତାଳଚେର ଆଖପାଖ ଅଞ୍ଚଳ ସମେତ ଦେବଗଡ଼ ଜିଲ୍ଲାକୁ ରେଳ ମାନଚିତ୍ରରେ ସ୍ଥାନ ଦେବ। ସେହିପରି ୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ଲାଇନ୍ ଓ ନୂଆପଡ଼ା-ଗୁଣୁପୁର ବ୍ରଡ୍ଗଜ୍ ଲାଇନ୍ ଭଳି ପ୍ରକଳ୍ପ ପାଇଁ ୨୦୨୨-୨୩ ପାଇଁ ୬୫୫ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟୟବରାଦ ହୋଇଛି, ଯାହାଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବା ସଙ୍ଗେ ସଙ୍ଗେ ଆମର କୋଟି କୋଟି ଓଡ଼ିଆ ଭାଇଭଉଣୀ ଓ ଛାତ୍ରଛାତ୍ରୀ ଏଥିରୁ ବିଶେଷ ଉପକୃତ ହେବାକୁ ଯାଉଛନ୍ତି।
ଦକ୍ଷିଣ-ପଶ୍ଚିମ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ବିକାଶ ପଥରେ ସାମିଲ କରିବା ପାଇଁ ନିକଟରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ୭୪୮ କୋଟି ଟଙ୍କା ବ୍ୟୟରେ ଜୟପୁର-ନବରଙ୍ଗପୁର ନୂଆ ଲାଇନ (୩୮ କିମି), ୧,୨୭୭ କୋଟି ଟଙ୍କା ବ୍ୟୟରେ ଜୟପୁର-ମାଲକାନିଗିରି ନୂଆ ଲାଇନ (୧୨୭ କିମି), ୯୩୫ କୋଟି ଟଙ୍କା ବ୍ୟୟରେ ନୂଆପଡ଼ା-ଗୁଣପୁର ବ୍ରଡ୍ ଗଜ୍ ଲାଇନ୍ର ଥେରୁବାଲି ଯାଏଁ ସମ୍ପ୍ରସାରଣ (୭୯.୧୫ କିମି) ଇତ୍ୟାଦି ନୂଆ ଓଡ଼ିଶା ନିର୍ମାଣର ସ୍ବପ୍ନରେ ନବରଙ୍ଗପୁର ଓ ମାଲକାନିଗିରିକୁ ସାମିଲ କରିବ। ଏହିସବୁ ନିର୍ମାଣାଧୀନ ନୂଆ ପ୍ରକଳ୍ପ ଦ୍ୱାରା ଏ ଅଞ୍ଚଳକୁ କେବଳ ଓଡ଼ିଶାର ପ୍ରମୁଖ ସହରାଞ୍ଚଳ ସହ ନୁହେଁ, ବରଂ ବିଶାଳ ଭାରତୀୟ ରେଳ ନେଟୱାର୍କ ସହିତ ମଧ୍ୟ ଯୋଡ଼ିବା ସହିତ ଓଡ଼ିଆ ସମାଜର ଅନ୍ତଃସ୍ରୋତ ଆମ ଜନଜାତି ସମୁଦାୟକୁ ମୁଖ୍ୟସ୍ରୋତରେ ମିଶାଇବାର ବାଟ ଫିଟାଇଛି।
ସେହିପରି ପୁରୀ, କଟକ ଓ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବାର ପରିକଳ୍ପନା ସାଙ୍ଗକୁ ୨୦୨୧-୨୨ରେ ଓଡ଼ିଶାରେ ସର୍ବମୋଟ ୬୬ଟି ଷ୍ଟେସନ୍ର ଉନ୍ନତୀକରଣ/ସୁନ୍ଦରୀକରଣ କାର୍ଯ୍ୟ ହାତକୁ ନେଇ ୨୭ଟି ଷ୍ଟେସନ୍କୁ ‘ଆଦର୍ଶ ଷ୍ଟେସନ୍’ ରୂପେ ବିକଶିତ କରାଯାଇ ସାରିଛି। ନୂଆ ଓଡ଼ିଶାର ନୂଆ ପରିଚୟ ରୂପେ ୩୯୭.୫୮ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର, ୩୦୩ କୋଟି ଟଙ୍କା ବ୍ୟୟରେ କଟକ ଓ ୧୬୨ କୋଟି ଟଙ୍କା ବ୍ୟୟରେ ପୁରୀ ରେଳଷ୍ଟେସନ୍କୁ ବିଶ୍ୱସ୍ତରୀୟ ଷ୍ଟେସନ୍ ରୂପେ ତିଆରି କରାଯାଉଛି। ଏସବୁ ଦ୍ୱାରା ଓଡ଼ିଶାର ଯୋଗାଯୋଗ ତ ବଢ଼ୁଛି, ସାଙ୍ଗକୁ ପର୍ଯ୍ୟଟନ ବି ବଢ଼ୁଛି, ଅନେକ ନୂଆ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ପ୍ରକାରାନ୍ତରେ, ରାଜ୍ୟ ଅର୍ଥନୀତିର ନବକଳେବର ଘଟୁଛି।
ସ୍ବଚ୍ଛତା ଦୃଷ୍ଟିରୁ, ଓଡିଶାରୁ ଚାଲୁଥିବା ସମସ୍ତ ଟ୍ରେନ୍ରେ ଏବେ ବାୟୋଟୟଲେଟର ବ୍ୟବସ୍ଥା ହୋଇଛି। ଏହା ସହ ୨୨୯ଟି ଷ୍ଟେସନ୍ରେ ମାଗଣା ୱାଇଫାଇ ସେବାର ସୁବିଧା କରାଯାଇଛି ଯାହା ମଧ୍ୟରୁ ୪୦ଟି ଷ୍ଟେସନ୍ ଦୁର୍ଗମ/ଆଦିବାସୀବହୁଳ ଅଞ୍ଚଳରେ ରହିଛି।
ଅଧିକନ୍ତୁ, ଭାରତୀୟ ରେଳ ଦ୍ବାରା ଆରମ୍ଭ ହୋଇଥିବା ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ’ ଓଡ଼ିଶାର ଯୁବ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବେଶ୍ ସହାୟକ ହେଉଛି। ଏହି ଉପକ୍ରମରେ ଖୋର୍ଦ୍ଧାରୋଡ୍ ଡିଭିଜନରେ ୮୪ଟି, ସମ୍ବଲପୁର ଡିଭିଜନରେ ୫୧ଟି ଏବଂ ୱାଲଟିୟର ଡିଭିଜନରେ ୨୮ଟି ଷ୍ଟେସନ୍ ଚିହ୍ନିତ ହୋଇଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୮,୨୧୬ କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ରେଳ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ଏଥି ମଧ୍ୟରେ ରହିଛି ପୁରୀ-ହାଓଡ଼ା ବନ୍ଦେ ଭାରତ ଟ୍ରେନ୍। ଏହା ସାଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ହେବାକୁ ଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି – ୨,୪୪୧ କୋଟି ଟଙ୍କା ବ୍ୟୟରେ ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ୍ (୧୦୪ କିଲୋମିଟର), ଯାହା କି ଓଡ଼ିଶାର କୋଇଲା ଓ ଲୁହାପଥରବହୁଳ ଯୋଡ଼ା-ବଡ଼ବିଲ-କଳିଙ୍ଗନଗର ସହ ତାଳଚେର-ଅନୁଗୁଳକୁ ଯୋଡ଼ିବ ତଥା ଶିଳ୍ପକୁ ସୁବିଧା ସହ ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ବହୁ ଅଞ୍ଚଳର ଦୀର୍ଘଦିନର ସ୍ବପ୍ନକୁ ସାକାର କରିବ। ଫଳରେ ସୁକିନ୍ଦା, ଭୁବନ, କାମାକ୍ଷାନଗର, ପର୍ଜଙ୍ଗ, ବୁଢ଼ାପଙ୍କ ଓ ଅନୁଗୁଳ ଅଞ୍ଚଳର ଯାତ୍ରୀ ଏଣିକି ସୁବିଧାରେ ଦୂରଗାମୀ ଟ୍ରେନ୍ ଧରିପାରିବେ। ସେହିପରି, ୧୫୦ କୋଟି ଟଙ୍କା ବ୍ୟୟରେ ବିଛୁପାଲି-ଝରତରଭା ନୂଆ ଲାଇନ୍ (୧୦ କିମି)ର ଉଦ୍ଘାଟନ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପରେ ହେଉଥିବା ଅଗ୍ରଗତିର ସଦ୍ୟ ଉଦାହରଣ। ୨,୫୪୨ କୋଟି ଟଙ୍କା ବ୍ୟୟରେ ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା (୧୮୪ କିମି) ତୃତୀୟ ରେଳ ଲାଇନ୍, ୨୬୧୮ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର-ଟିଟିଲାଗଡ଼ ଦ୍ୱିତୀୟ ରେଳ ଲାଇନ୍ (୧୮୨ କିଲୋମିଟର) ଇତ୍ୟାଦି ଆମ ଶିଳ୍ପ-ପ୍ରାଣକେନ୍ଦ୍ର ରାଉରକେଲା-ଝାରସୁଗୁଡ଼ା-ସମ୍ବଲପୁର ଅଞ୍ଚଳ ତଥା ସମଗ୍ର ପଶ୍ଚିମ ଓଡ଼ିଶାର ରେଳ ଅଭିବୃଦ୍ଧିରେ ସହାୟକ ହେବ।
ଆଞ୍ଚଳିକ ଯୋଗାଯୋଗ ପ୍ରତି ସଂକଳ୍ପବଦ୍ଧତାର ଏକ ଅଂଶ ଭାବରେ ଆମେ ଓଡ଼ିଶାରେ ଜନଜାତୀୟ ଗୌରବ କରିଡର, ଶକ୍ତି କରିଡର ଏବଂ ବନ୍ଦର କରିଡରକୁ ମଧ୍ୟ ବିକଶିତ କରୁଛୁ। ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ମାଲ ପରିବହନ ଏବଂ ବାଣିଜ୍ୟରେ ବ୍ୟାପକ ଉନ୍ନତି ଆଣିବା, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ। ଆମେ ଚାହୁ, ରଘୁରାଜପୁରର କାରିଗର ନିଜ ପଟ୍ଟଚିତ୍ରକୁ ଦୂର ବଜାରକୁ ଯେମିତି ପଠାଇପାରିବେ, କଳାହାଣ୍ଡିର କୃଷକ ନିଜର ସଦ୍ୟ ଉତ୍ପାଦିତ ସାମଗ୍ରୀ ଅତିଶୀଘ୍ର ବଡ଼ ବଡ଼ ବଜାରରେ ପହଞ୍ଚାଇପାରିବେ ଏବଂ କୋରାପୁଟର ଯୁବକ ଗାଁରେ ଥାଇ ବି ଯେମିତି ନିଜ ସ୍ୱପ୍ନ ପୂରଣ କରିପାରିବେ।
ଓଡ଼ିଶାର ୩୦ରୁ ୨୫ଟି ଜିଲ୍ଲା ଆଜି ରେଳ ବ୍ୟବସ୍ଥା ସଙ୍ଗେ ଯୋଡ଼ି ହୋଇସାରିଛି। ତଥାପି କିଛି ପ୍ରତିବନ୍ଧକ ରହିଛି, ଯେଉଁଥିପାଇଁ ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ବିଳମ୍ବିତ ହୋଇଛି ଏବଂ ସାରା ଓଡ଼ିଶା ଏବେ ବି ରେଳ ଦ୍ୱାରା ଯୋଡ଼ି ହୋଇପାରିନାହିଁ। ଏହି ସବୁ ବାଧାବିଘ୍ନକୁ ଦୂର କରିବା ପାଇଁ ମୋଦୀ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରରେ, “Infrastructure is not just about creating capital assets & generating long-term return on investment. It is not about the numbers. It is not about the money. It is about people. It is about providing them high quality, dependable & sustainable services in an equitable manner.”
ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍ର ସ୍ୱାଗତ ଉତ୍ସବ କେବଳ ଗୋଟିଏ ଟ୍ରେନ୍ର ଶୁଭାରମ୍ଭ ନୁହେଁ; ବରଂ ଏହା ଓଡ଼ିଶାରେ ଯୋଗାଯୋଗ, ବିକାଶ ଓ ସମୃଦ୍ଧିର ଏକ ନୂତନ ଯୁଗର ଅୟମାରମ୍ଭ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରୟାସକୁ ପୁଞ୍ଜି କରି ଭାରତୀୟ ରେଳବାଇ ଓଡ଼ିଶା-ବିକାଶର ମଙ୍ଗ ଧରୁ, ଓଡ଼ିଶାକୁ ଉନ୍ନତିର ଏକ ନୂଆ ଦିଗବଳୟ ଆଡ଼କୁ ଘେନିଯାଉ – ଏତିକି କାମନା।
ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ
ଭାରତ ସରକାର