ଭୁବନେଶ୍ୱର: ପୂର୍ବ ସରକାରଙ୍କ ଅଧାରେ ଅଟକିଥିବା ପ୍ରକଳ୍ପକୁ ବି ସମ୍ପୂର୍ଣ୍ଣ କରିବେ ରାଜ୍ୟ ସରକାର | ବିକାଶ ରାଜନୀତିରୁ ଉର୍ଦ୍ଧ୍ବରେ କହି ମୋହନ ସରକାର ଆଜି ଏହି ବଡ ଘୋଷଣା କରିଛନ୍ତି | ବାସ୍ତବରେ ଆଜିଠୁ ଆରମ୍ଭ ହୋଇଛି ‘ବିକଶିତ ଗାଁ, ବିକଶିତ ଓଡିଶା’ । ଭୁବନେଶ୍ୱର ନିକଟବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ,  ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ । ଓଡିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଂଜିନ କରିବ । ଏହି ଯୋଜନା  ପ୍ରଧାନମନ୍ତ୍ରୀଙ୍କ “ସବ୍‍କା ସାଥ୍, ସବ୍‍କା ବିକାଶ୍, ସବ୍‍କା ବିଶ୍ୱାସ୍, ସବ୍‍କା ପ୍ରୟାସ୍”ର ଶ୍ରେଷ୍ଠ ନିଦର୍ଶନ ।

Advertisment

ସେହିପରି ମୋହନ କହିଥିଲେ ଯେ ପୂର୍ବରୁ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ପ୍ରକଳ୍ପ ଗୁଡିକରେ ସର୍ବନିମ୍ନ ୨୦ ପ୍ରତିଶତ ବ୍ୟୟ ହୋଇଥିବ, ସେଗୁଡିକ ମଧ୍ୟ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯାଇ ପାରିବ | ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପାଇଁ ବିକାଶ ରାଜନୀତିରୁ ଉର୍ଦ୍ଧ୍ଵରେ । ସେ କହିଥିଲେ ଯେ, ବିକାଶ ଓ ରାଜନୀତିକୁ ସବୁବେଳେ ଅଲଗା ରଖିବାକୁ ପଡିବ । କିନ୍ତୁ, ଆମ ଦେଶରେ ଦୁଇଟି ଯାକ ଏମିତି ଛନ୍ଦା ଛନ୍ଦି ହୋଇଛନ୍ତି ଯେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ଅଲଗା ହୋଇପାରୁନାହିଁ । ଆମ ପାଇଁ ବିକାଶ ନିର୍ବାଚନ ସର୍ବସ୍ଵ ନୁହେଁ । ନିର୍ବାଚନ ସରିଗଲେ, ସେଇଠି ରାଜନୀତି ସରିଲା । ଆମେ ଲୋକଙ୍କୁ ଦେଇଥିବା ପ୍ରତିଶୃତି କିପରି ଭାବେ ଧରାତଳକୁ ଓହ୍ଲାଇ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା, ସେ ଦିଗରେ କାର୍ଯ୍ୟ କରୁଛୁ। ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଥିଲେ ଯେ ସରକାର କରୁଥିବା ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହୁଅନ୍ତୁ ।

ଉଲ୍ଲେଖ ଥାଉ କି ଏହି ଯୋଜନାରେ ଗାଁ ଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଆବଶ୍ୟକ ହେଲେ, ଏହି ଯୋଜନାକୁ ଆହୁରି ସମ୍ପ୍ରସାରିତ କରାଯିବ । ଏହି ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଗାଁ ଭିତରର ରାସ୍ତା ଓ ଗାଁକୁ ଗାଁ ସହିତ ଯୋଡୁଥିବା ରାସ୍ତା ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପିଚୁ ରାସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପେଭର ବ୍ଲକ ରାସ୍ତା, ସେତୁ ଓ କଲଭର୍ଟ ଆଦି ନିର୍ମାଣ କରାଯାଇ ପାରିବ । ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତା ଗୁଡିକୁ ମଧ୍ୟ ଏଥିରେ କଂକ୍ରିଟ୍ କରାଯାଇ ପାରିବ ।

ଏହା ସହିତ ସର୍ବ ସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ- ଯେପରି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧେଇବା ଘାଟର ଉନ୍ନତି, ପରିଧାନ ପରିବର୍ତ୍ତନ ପ୍ରକୋଷ୍ଟ, ମାର୍କେଟ୍ ସେଡ୍ ଆଦି ନିର୍ମାଣ କରାଯିବ । ସେହିପରି, ପୂଜାପାଠ ସ୍ଥାନ, ତୀର୍ଥଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାର ବିକାଶ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ଆଦି ପ୍ରକଳ୍ପର ମଧ୍ୟ ନିର୍ମାଣ କରାଯାଇ ପାରିବ। ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଏଥିରେ ଯୋଜନା ରଖାଯାଇଛି । ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ଯେଉଁ ଭିତ୍ତିଭୂମି ଅଛି ତା’ର ଉନ୍ନତି ଓ ସମ୍ପ୍ରସାରଣ ମଧ୍ୟ କରାଯାଇ ପାରିବ । ଏହା ସହିତ କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ଆଦି ମଧ୍ୟ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି ।