ପୁରୀ: ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଘଟଣାରେ  ମୁଁ ଓ ମୋ ସରକାର କ୍ଷମା ମାଗୁଛୁ ବୋଲି କହିଛନ୍ତି  ମୋହନ ମାଝୀ ।  ମୋହନ ତାଙ୍କ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ,'ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି।'

Advertisment

ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ବି ସୋସିଆଲ ମିଡିଆରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ, 'ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏବଂ ଏହି ଦୁଃଖଦାୟକ ଘଟଣାରେ ଆହତ ହୋଇଥିବା ସମସ୍ତ ଭକ୍ତଙ୍କ ଆଶୁଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ରଥଯାତ୍ରାରେ ଅଭାବନୀୟ ଭିଡ଼ ପରିଚାଳନା ପାଇଁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଏହାର ମାତ୍ର ଦିନକ ପରେ ପୁଣି ଆଜିର ଅଘଟଣ ଦର୍ଶାଉଛି, ଶ୍ରଦ୍ଧାଳୁଙ୍କ ପାଇଁ ଏକ ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ଏହି ଭୟାବହ ଅଘଟଣ ଘଟିବା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ସେଠାରେ ନଥିଲା; ଯାହା ଦାୟିତ୍ୱରେ ଚରମ ଅବହେଳାକୁ ଦର୍ଶାଉଛି। ରଥଯାତ୍ରା ଦିନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିବାରେ ଅହେତୁକ ବିଳମ୍ବ ହେଲା, ହେଲେ ସରକାର ଅତି ସହଜରେ ଏହାକୁ 'ମହାପ୍ରଭୁଙ୍କ ଇଚ୍ଛା' ବୋଲି କହି ଦାୟିତ୍ୱରୁ ମୁହଁ ଫେରାଇ ନେଲେ।

ଏପରି ଅଭାବନୀୟ ଉକ୍ତି ପ୍ରଶାସନର ଦାୟିତ୍ବହୀନତାକୁ ଢାଙ୍କିବା ବ୍ୟତୀତ ଆଉ କିଛି ବି ନୁହେଁ। ଏହାକୁ ସରକାରଙ୍କ ଚରମ ଅପରାଧିକ ଅବହେଳା ବୋଲି ମୁଁ କହୁ ନ'ଥିଲେ ବି, ସରକାରଙ୍କ ବେଖାତିର ମନୋଭାବ ତଥା ସମ୍ବେଦନହୀନ ଆଚରଣ ହିଁ ଏପରି ଅଘଟଣର କାରଣ। ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଆଡ଼ପ ବିଜେ, ବାହୁଡ଼ା, ସୁନାବେଶ ତଥା ରଥଯାତ୍ରା ସମ୍ବନ୍ଧିତ ଅନ୍ୟାନ୍ୟ ରୀତିନୀତି ଯେପରି ସୁରୁଖୁରୁରେ ସମାପନ ହେବ ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ବେଦନଶୀଳ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ' |