ଏଡିଆର ରିପୋର୍ଟ: ବଢିଚାଲିଛି ରାଜନୀତିରେ ଅପରାଧୀ ପ୍ରାର୍ଥୀଙ୍କ ସଂଖ୍ୟା, ଏଥର ମୈଦାନରେ ମୋଟ ୧୯୬୨ ଦାଗୀ ପ୍ରାର୍ଥୀ

ନୂଆଦିଲ୍ଲୀ : ରାଜନୀତିରେ ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି । ୨୦୦୯ ଲୋକସଭା ନିର୍ବାଚନରେ ଯେତେ ଦାଗୀ ପ୍ରାର୍ଥୀ ଲଢୁଥିିଲେ, ଚଳିତ ନିର୍ବାଚନରେ ତାଠାରୁ ୩୪୨ ଜଣ ଅଧିକ ଦାଗୀ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ଇଣ୍ଡିଆ ଇଲେକ୍ସନ ଓ୍ଵାଚର ରିପୋର୍ଟ ଅନୁସାରେ ୨୦୦୯ ଲୋକସଭା ନିର୍ବାଚନ ଲଢୁଥିବା ୭୮୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୫୮ ଜଣଙ୍କ ନାଁରେ ଅପରାଧିକ ମାମଲା ଥିଲା, ୨୦୧୪ ନିର୍ବାଚନରେ ୮୨୦୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୦୪ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିଲା । କିନ୍ତୁ ଚଳିତ ୨୦୧୯ ନିର୍ବାଚନରେ ଲଢୁଥିବା ପ୍ରାୟ ୭୯୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୦୦ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ଏହା ୨୦୦୯ର ଦାଗୀ ପ୍ରାର୍ଥୀଙ୍କ ତୁଳନାରେ ୩୪୨ ଓ ୨୦୧୪ର ଦାଗୀ ପ୍ରାର୍ଥୀଙ୍କ ତୁଳନାରେ ୯୬ ଜଣ ଅଧିକ । କେବଳ ଏତିକି ନୁହେଁ, ୨୦୧୯ ନିର୍ବାଚନ ଲଢୁଥିବା ଆଉ ୪୬୨ ଜଣ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ଏସବୁ ମାମଲା ମଧ୍ୟରେ ରହିଛି ହତ୍ୟା, ଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ଅତ୍ୟାଚାର ଆଦି ସଂଗୀନ ଦଫା । ଏହାକୁ ମିଶାଇଲେ ଏଥର ନିର୍ବାଚନରେ ମୋଟ ୧୯୬୨ ଦାଗୀ ପ୍ରାର୍ଥୀ ଅଛନ୍ତି । ୨୦୧୪ରେ ମୋଟ ୯୦୮ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିଲା ।

ସମ୍ବନ୍ଧିତ ଖବର