ଦେଶରେ ସୁସ୍ଥତା ହାସଲରେ ରେକର୍ଡ : ୨୪ ଘଣ୍ଟାରେ ସୁସ୍ଥ ହେଲେ ଏକ ଲକ୍ଷରୁ ଅଧିକ କରୋନା ରୋଗୀ

ନୂଆଦିଲ୍ଲୀ:  ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ( ୧,୦୧,୪୬୮) ନୂତନ ରୋଗୀ ସୁସ୍ଥ ହୋଇଛନ୍ତି ।  ଏତେ ସଂଖ୍ୟକ ରୋଗୀ ସୁସ୍ଥ ହେବା ଧାରା ଗତ ୪ ଦିନଧରି ଲାଗି ରହିଛି । ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି ୪୫ ଲକ୍ଷରେ (୪୪,୯୭,୮୬୭) ପହଞ୍ଚିଛି ଏବଂ ଆରୋଗ୍ୟ ହାର ୮୦.୮୬ ପ୍ରତିଶତକୁ ଛୁଇଁଛି।

ଶତକଡା ୭୯ ଭାଗ ସୁସ୍ଥ ରୋଗୀ ୧୦ଟି ରାଜ୍ୟରୁ ବୋଲି ଜଣାପଡିଛି । ସେ ରାଜ୍ୟଗୁଡିକ ହେଲା – ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡୁ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବ ।

Oman Observer

ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୩୨ ହଜାରରୁ ଉର୍ଦ୍ଧ୍ଵ (୩୧.୫ ପ୍ରତିଶତ) ନୂତନ ରୋଗୀ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଦେଶର ଏହି ଆରୋଗ୍ୟ ହାର ବିଶ୍ଵରେ ସର୍ବାଧିକ ବୋଲି ଜଣାପଡିଛି । ନିରବଚ୍ଛିନ୍ନ ପରୀକ୍ଷା, ଚିହ୍ନଟ ଓ ଉପଚାର ଯୋଗୁଁ ଏହି ଉନ୍ନତ ସୁସ୍ଥତା ହାର ହାସଲ ହୋଇପାରିଛି । କେନ୍ଦ୍ର ସରକାରଙ୍କ କୋଭିଡ ନିୟମାବଳୀ ଓ ନୂତନ ଭାବେ ଉପଲବ୍ଧ ହେଉଥିବା ବୈଷୟିକ ଜ୍ଞାନର ସଠିକ ପ୍ରୟୋଗ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି ।

କେନ୍ଦ୍ର ସରକାରଙ୍କ ପରୀକ୍ଷାମୂଳକ ଉପଚାର ବାବଦ ରେମଡିସିଭିର ସେବନ, କୋନଭାଲେଣ୍ଟ ପ୍ଲାଜମା ଏବଂ ତୋଷିଲିଜୁମାବର ପ୍ରୟୋଗକୁ ଅନୁମତି ଦେଇଛନ୍ତି । ଏହାଛଡା ଅଧିକ ଅମ୍ଳଜାନ ବ୍ୟବହାର ଓ ଅନ୍ୟାନ୍ୟ ପଦ୍ଧତି ଅବଲମ୍ବନ ଯୋଗୁଁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଘରକୁ ଘର ବୁଲି ରୋଗୀଙ୍କୁ ନିରୀକ୍ଷଣ, ସ୍ୱଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କ ଉପଚାର, ଉନ୍ନତ ଆମ୍ବୁଲାନ୍ସ ସେବା ଓ ସମୟୋପଯୋଗୀ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି । ନୂଆଦିଲ୍ଲୀସ୍ଥିତ ଏମ୍ସର ସକ୍ରିୟ ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟରତ ଆଇସିୟୁ ଡାକ୍ତରମାନଙ୍କ ପାଇଁ କୋଭିଡ ପରିଚାଳନାଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇଦିନ ହୋଇଥିବା ଟେଲି ପରାମର୍ଶ ଯୋଗୁଁ ଦେଶରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବା ପରିଲକ୍ଷିତ ହୋଇଛି ।  ଏପର୍ଯ୍ୟନ୍ତ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ଇ-ଆଇସିୟୁ ୨୭୮ଟି ହସ୍ପିଟାଲରେ ଅନୁଷ୍ଠିତ ହୋଇଛି ।

କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଉଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଦ୍ଵାରା ଅମ୍ଳଜାନ ଉପଲବ୍ଧତା ଓ ଅନ୍ୟାନ୍ୟ ଚିକିତ୍ସାଗତ ସୁବିଧା ସମ୍ପର୍କରେ ତଦାରଖ କରାଯାଉଛି । ଏହାର ଫଳସ୍ଵରୂପ ଦେଶରେ ଅଧିକ ଆରୋଗ୍ୟ ଲାଭ କରୁଥିବା ବେଳେ ମୃତ୍ୟୁହାର ବର୍ତ୍ତମାନ ୧.୫୯ ପ୍ରତିଶତକୁ ଖସି ଆସିଛି ।

ସମ୍ବନ୍ଧିତ ଖବର