ଜଗତସିଂହପୁର: ଗ୍ରାମାଞ୍ଚଳରେ କୃଷିର ବିକାଶ କରିବାକୁ କହି ଅବସରପ୍ରାପ୍ତ ଶିକ୍ଷକଙ୍କୁ ଟାର୍ଗେଟ କରି ଏକାଧିକ ଜିଲ୍ଲାରୁ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ଥାନାରେ ଅଭିଯୋଗ ହେବାର ୪ ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ନାହିଁ କି ସିସିଟିଭିରେ ଫଟୋ, ଭିଡିଓ ଥାଇ ମଧ୍ୟ ଠକର ପତ୍ତା ପାଉନି।
ଏରସମା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ଅଭିଯୋଗ ଅନୁସାରେ, ୨୦୨୫ ଅକ୍ଟୋବର ୧୦ ତାରିଖରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଘରେ ପହଞ୍ଚିଥିଲେ। ସେମାନଙ୍କ ଭିତରୁ ଜଣେ ନିଜକୁ ଜଗତସିଂହପୁର ଜିଲ୍ଲା କୃଷି ବିଭାଗର ଅଧିକାରୀ ଅର୍ଜୁନ ଦେହୁରୀ ପରିଚୟ ଦେଇ କୃଷିର ବିକାଶ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଧାନକଟା ମେସିନ, ଟ୍ରାକ୍ଟର, ରୋଟର ଆଦି ରହିବ। କୃଷି ମେଳା ହେଲେ ଖାଇବା ବ୍ୟବସ୍ଥା ହେବ। ତଦାରଖ ଦାୟିତ୍ବ ନେବା ପାଇଁ ଲକ୍ଷ୍ମୀଧରଙ୍କୁ କହିଥିଲା। କୃଷି ଅଫିସରୁ ଲୁହା ଫଳକ ଆପଣଙ୍କ ନିକଟକୁ ଆସିବ। ଉଚ୍ଚ ପଦାଧିକାରୀ ଆସି ଫଳକକୁ ଗ୍ରାମର ପ୍ରମୁଖ ସ୍ଥାନରେ ଲଗାଇବେ। ଯେଉଁ ଗାଡ଼ି ଆସିବ ସେହି ଡ୍ରାଇଭରକୁ ଭଡ଼ା ବାବଦରେ ୧ ହଜାର ଟଙ୍କା ରଖନ୍ତୁ ତାକୁ ଦେବେ। ଯଦି ଆପଣ ଘରେ ନ ଥିବେ ୧ ହଜାର ଟଙ୍କାର ଅଗ୍ରିମ ଚେକ୍ ନେଇ ଯାଇଥିଲା।

Advertisment

ଏମିତି କହି କୌଶଳକ୍ରମେ ଲକ୍ଷ୍ମୀଧରଙ୍କ ଦସ୍ତଖତ ଥିବା ଏକ ବ୍ଲାଙ୍କ ଚେକ୍ ନେଇ ୬୧ ହଜାର ଟଙ୍କା ଉଠାଇ ନେଇଥିଲା। ଲକ୍ଷ୍ମୀଧର ଜାଣିବା ପରେ ବ୍ୟାଙ୍କକୁ ଯାଇ ଯାଞ୍ଚ କରିଥିଲେ। ଏରସମା ଷ୍ଟେଟ ବ୍ୟାଙ୍କ ଓ ଡିହସାହି ପିଏନବି ଶାଖାରୁ ସିସିଟିଭି ଫୁଟେଜ ସଂଗ୍ରହ କରି ଏରସମା ଥାନାରେ ଦାଖଲ କରିଥିଲେ। କିନ୍ତୁ ପୁଲିସ ଏଯାଏଁ କୌଣସି ମାମଲା ରୁଜୁ କରି ନାହିଁ କି ଠକକୁ ଧରିପାରି ନାହିଁ। ଏରସମା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ସ୍ବାଇଁଙ୍କ ଠାରୁ ମଧ୍ୟ ସମାନ କଥା କହି ୪୧ ହଜାର, ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ନାୟକଙ୍କ ଠାରୁ ୨୦୨୩ ମସିହାରେ ୪୧ ହଜାର, ରାଜକିଶୋର ମହାନ୍ତିଙ୍କ ଠାରୁ ୨୧ ହଜାର, କେନ୍ଦୁଝରର ଅନାଦିଙ୍କ ଠାରୁ ୮୧ ହଜାର, କେନ୍ଦୁଝର ଘଷିପୁରାର ବିନୋଦ କୁମାର ରାଉତଙ୍କ ଠାରୁ ୪୧ ହଜାର, ଯାଜପୁରର ହରେକୃଷ୍ଣ ନାୟକଙ୍କ ଠାରୁ ୪୧ ହଜାର, ଷ୍ଟେଟ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କ ଠାରୁ ୮୧ ହଜାର, ପୁରୀର ଲଳିତେନ୍ଦୁ, ଯାଜପୁରର ଶତ୍ରୁଘ୍ନ ଜେନାଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି।

ଗତ କିଛିବର୍ଷ ହେଲା ଏମିତି ଠକେଇ କରି ଚାଲିଥିବା ବେଳେ ଏବେ ପୁଲିସ ପାଇଁ ମୋଷ୍ଟଵାଣ୍ଟେଡ ହୋଇପଡ଼ିଛି ଠକ ଅର୍ଜୁନ ଦେହୁରୀ। କେବେ ଧରାପଡ଼ିବ ତା ଉପରେ ନଜର ରହିଛି।