କଂଗ୍ରେସ୍‌କୁ ଝଟକା ଦେଲେ ମୁକ୍ତିକାନ୍ତ: ଟିକେଟ ପାଇବା ପରେ ନିର୍ବାଚନ ଲଢ଼ିବାକୁ ମନା କରିଦେଲେ

ରାଉରକେଲା: ର୍ନିବାଚନ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ ବିଶ୍ୱାଳ। ଗତକାଲି ରାତିଅଧିଆ କଂଗ୍ରେସର ୫୪ ବିଧାନସଭା ପ୍ରାର୍ଥୀ ତାଲିକାରେ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଟିକେଟ୍‌ ଦେଇଥିଲା ଦଳ। କିନ୍ତୁ ସ୍ଥାନୀୟ କଂଗ୍ରେସ ଶିବିରରେ ପ୍ରତିବାଦର ସ୍ୱର ତେଜିବାରେ ଲାଗିଥିବାରୁ କଂଗ୍ରେସ ଟିକେଟକୁ ପ୍ରତ୍ୟାଖାନ କରିଛନ୍ତି ମୁକ୍ତିକାନ୍ତ।

ଏନେଇ ମୁକ୍ତିକାନ୍ତ କହିଛନ୍ତି ଯେ, ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ନେଇନାହାନ୍ତି କିମ୍ବା ଟିକେଟ ପାଇଁ ଆବେଦନ କରିନଥିଲେ। ସକାଳୁ ଏବାବଦରେ ଜାଣିବାକୁ ପାଇଥିଲେ। ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖି ଅବଗତ କରାଇବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମୁକ୍ତିକାନ୍ତଙ୍କ ପ୍ରାର୍ଥୀତ୍ୱକୁ ଦଳ ଭିତରୁ ପ୍ରବଳ ବିରୋଧ ହେବାରୁ ପଛଘୁଞ୍ଚା ଦେଲେ କି ବୋଲି ଏକ ପ୍ରଶ୍ନ ପଚରାଯିବା ପରେ ସେ କହିଛନ୍ତି, ମୁଁ କିଛି ଜାଣିନାହିଁ।

ସେପଟେ ମୁକ୍ତିକାନ୍ତଙ୍କୁ ଟିକେଟ୍‌ ଦେବାପରେ ରାଉରକେଲା ଉଦିତ୍‌ ନଗରସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଜିଲ୍ଲା କଂଗ୍ରେସ ନେତା ଓ କର୍ମୀମାନେ ମେଳିକରି ନିଷ୍ପତି ନେଇଥିଲେ ଯେ, ତୁରନ୍ତ ଏହାର ପୁର୍ନବିଚାର ନକରାଗଲେ ସମୂହ ଇସ୍ତଫା ଦେବେ। ରାଉରକେଲା ଆସନ ପାଇଁ କଂଗ୍ରେସ ଦଳରୁ ଟିକେଟ୍‌ ପାଇବାକୁ ପ୍ରମୁଖ ଦାବିଦାର ତାଲିକାରେ ରହିଛନ୍ତି ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ବିରେନ୍‌ ସେନାପତି, ରାଜ୍ୟ କଂଗ୍ରେସ ସଂପାଦକ ରଶ୍ମି ପାଢ଼ୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ।

ସମ୍ବନ୍ଧିତ ଖବର