ରାଉରକେଲା: ରାଉରକେଲାର ଜନଗହଳିପୂର୍ଣ୍ଣ ରେଳଷ୍ଟେସନ ନିକଟସ୍ଥ ଅମରଭବନ ସମ୍ମୁଖରେ ଜଣେ ଚା’ ଦୋକାନୀଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି। ତିନି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଚା’ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ସେହି ସମୟରେ ବିବାହ ଶୋଭାଯାତ୍ରା ଚାଲିଥିବାରୁ ଆକ୍ରମଣ ସଂକ୍ରାନ୍ତରେ ହଠାତ୍ କେହି କିଛି ଜାଣି ପାରି ନଥିଲେ। ଆଭିଯୁକ୍ତମାନେ ​ଶୋଭାଯାତ୍ରା ଭିତରକୁ ଫେରାର ମାରିଥିବା ଜଣାଯାଇଛି। ରାତି ପ୍ରାୟ ସାଢ଼େ ୯ଟାରେ ଏହି ଅଭାବନୀୟ ଘଟଣା ଘଟିଥିଲା। ମୃତ ଚା’ ଦୋକାନୀ ହେଲେ ଗୋପବନ୍ଧୁପାଲିର ଅବିନାଶ ଯାଦବ (୨୬)। ହତ୍ୟାକାରଣ ଅସ୍ପଷ୍ଟ ରହିଛି। ପ୍ଲାଣ୍ଟସାଇଟ୍ ପୁଲିସ ପହଞ୍ଚି ଅମର ଭବନ ଓ ଏହାର ଆଖପାଖରେ ଲାଗିଥିବା ସିସି ଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି।
ଆହୁରି ପଢନ୍ତୁ: villain: ଧୀରେନ୍ ବନିଲେ ଭିଲେନ୍
ରେଳଷ୍ଟେସନ ସମ୍ମୁଖରେ ଚା’ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିବା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିହାରର ଅବିନାଶ ଯାଦବ ଓ ତାଙ୍କ ଭାଇ ପରିବାର ସହ ଗୋପବନ୍ଧୁପାଲିରେ ରହନ୍ତି। ରାଉରକେଲା ଷ୍ଟେସନ ଆଗରେ ତାଙ୍କର ଏକ ଚା’ ଦୋକାନ ରହିଛି। ଅବିନାଶ ଓ ତାଙ୍କ ଭାଇ ଦୁହେଁ ସେଠାରେ ଚା’ ବିକନ୍ତି। ପ୍ରତିଦିନ ପରି ଆଜି (ଶୁକ୍ରବାର) ଭାଇ ଘରକୁ ଯାଇଥିବାରୁ ଚା’ ବିକୁଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଶୌଚ ପାଇଁ ଅମରଭବନ ନିକଟସ୍ଥ ଶୌଚାଳୟକୁ ଯାଇଥିଲେ। ସେଠାରୁ ଦୋକାନକୁ ଫେରୁଥିବା ସମୟରେ ହଠାତ୍ ତିନିଜଣ ମୁଖାପିନ୍ଧା ଯୁବକ ବାଇକରେ ସେଠାରେ ପହଞ୍ଚି ଅବିନାଶ ସହ ପାଟିତୁଣ୍ଡ କରିଥିଲେ। ସେ ପ୍ରତିବାଦ କରିବାରୁ ତିନି ଯୁବକ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ।
ଆହୁରି ପଢନ୍ତୁ: ଜଟଣୀରେ ବଢ଼ୁଛି ବୁଲାକୁକୁର ଭୟ: ପୌରପାଳିକାକୁ ବନ୍ଧ୍ୟାକରଣ ବ୍ୟବସ୍ଥା ପ୍ରଦାନ ଦାବି
ଜୀବନ ବଞ୍ଚାଇବାକୁ ଅବିନାଶ ସେଠାରୁ ଦୌଡ଼ିଥିବାବେଳେ ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଅବିନାଶ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇ ପଡ଼ିଯିବା ପରେ ତିନି ଯୁବକ ସେଠାରୁ ଚମ୍ପଟ ମାରିଥିଲେ। ଠିକ୍ ସେହି ସମୟ୍ରରେ ବିବାହ ଶୋଭାଯାତ୍ରା ଚାଲିଥିବାରୁ ଗଣ୍ଡଗୋଳ ସମ୍ପର୍କରେ କେହି କିଛି ଜାଣିପାରି ନଥିଲେ। ଶୋଭାଯାତ୍ରା ଯିବା ପରେ ସ୍ଥାନୀୟ ଦୋକାନୀ ଅବିନାଶଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ପ୍ଲାଣ୍ଟସାଇଟ୍ ପୁଲିସ ଓ ଅନ୍ୟ ପୁଲିସ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କ ପତ୍ତା ପାଇପାରିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/07/DtiQ8WE8E0VhUCg6cuOW.jpg)