ରାଇରଙ୍ଗପୁର: (ତୁଷାର କାନ୍ତ ମହାନ୍ତ) ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଯଶିପୁର ଗ୍ରା.ପର ରଙ୍ଗାମାଟିଆ ଗ୍ରାମର ସଫଳ ମହିଳା ଛତୁ ଚାଷୀ ସୋମବାରୀ ସର୍ଦ୍ଧାର ହେମ୍ବ୍ରମ । ପିଲାଟିବେଳୁ ସୋମବାରୀଙ୍କ ଗଛଲତା ଓ ବାଡିବଗିଚା ପ୍ରତି ଥିଲା ଅହେତୁକ ଆକର୍ଷଣ । ସୋମବାରୀ ମେଟ୍ରିକ୍ ପାଶ୍ କଲାପରେ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଅଭାବରୁ ପାଠପଢା ବନ୍ଦ କରି ରଙ୍ଗାମାଟିଆ ଗ୍ରାମର ବେନିକୁମାର ସର୍ଦ୍ଧାରଙ୍କ ସହିତ ବିବାହ ହୋଇଥିଲା । ସେ ମହିଳା ହୋଇ ମଧ୍ୟ ଧାନ ଓ ପନିପରିବା ଚାଷ କରି ବେଶ୍ ଲାଭବାନ ମଧ୍ୟ ହୁଅନ୍ତି । ୨୦୨୨ ମସିହାରେ ରାଇରଙ୍ଗପୁର ଉଦ୍ୟାନ କ୍ୃଷି ବିଭାଗର କାର୍ଯ୍ୟ ନିର୍ବାହୀ ସଂସ୍ଥାର ସହଯୋଗରେ ତାଙ୍କୁ ଛତୁଚାଷ ନିମନ୍ତେ ଦୁଇ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା ।
ସେଥିରେ ଛତୁଚାଷ ନିମନ୍ତେ ଏକ ଘର ନିର୍ମାଣ କରିଥିଲେ । ସେହି ଲକ୍ଷ୍ୟ ନେଇ ସୋମବାରୀ ମହିଳା ହୋଇ ମଧ୍ୟ ବିଭିନ୍ନ ପ୍ରକାର ଚାଷ କରୁଥିବା ଦେଖି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ନିମନ୍ତେ ଉକ୍ତ ସଂସ୍ଥା ସୋମବାରୀଙ୍କୁ ତାଲିମ ଦେଇଥିଲେ । ତାଲିମ ପରେ ସେ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ଟଙ୍କାରୁ ଅଧିକ ଛତୁ ବିକ୍ରିକରି ସାରିଛନ୍ତି । ଛତୁଚାଷ ଦେଖି ସୋମବାରୀ ଆନନ୍ଦରେ ଆତ୍ମହରା ହୋଇପଡନ୍ତି । ତେବେ ଉକ୍ତଚାଷ ପାଇଁ ସୋମବାରୀଙ୍କୁ ସଂସ୍ଥା ତରଫରୁ ସାହାଯ୍ୟ ମିଳିଥିବା ପ୍ରକାଶ କରିଛନ୍ତି।
ଛତୁ ଚାଷ ଦେଖି ମହିଳା ଉଦ୍ୟୋଗୀ ସୋମବାରୀ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ବନିଛନ୍ତି । ସୂଚନା ଯୋଗ୍ୟ ଯେ ସୋମବାରୀଙ୍କ ସ୍ୱାମୀ ନିଜ ପରିବାର ଭରଣପୋଷଣ ନିମନ୍ତେ ଶ୍ରମିକ କାର୍ଯ୍ୟ କରନ୍ତି ତେବେ ସୋମବାରୀଙ୍କ ଏଭଳି ସଫଳତା ଦେଖି ତାଙ୍କ ସ୍ୱାମୀ ବେଣିକୁମାର ଓ ତାଙ୍କ ପୁଅ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି । ସୋମବାରୀ ମଧ୍ୟ ଆଗକୁ ଅଧିକ ପରିମାଣର ଛତୁଚାଷ କରିବାର ଲକ୍ଷ୍ୟ ରଖିଛନ୍ତି । ସେ ଚଳିତ ଥର ପାଳ ଛତୁ ସହିତ ଧିଙ୍ଗିରି ଛତୁ ଚାଷ ଉଦ୍ୟାନ କ୍ୃଷି ବିଭାଗର ସହାୟତାରେ ଆଧୁନିକ ପ୍ରଣାଳିରେ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ପାଳ ଛତୁ ଅପେକ୍ଷା ଧିଙ୍ଗିରି ଛତୁର ଦାମ୍ କମ୍ ଥିଲେ ମଧ୍ୟ ଅମଳ ଅଧିକ ହୁଏ ବୋଲି କହିଛନ୍ତି ।