୧୯୭୬ ମସିହା। ଶୀତ ଦିନ। ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ। ସେଦିନ କିଛି ଅସ୍ୱାଭାବିକ ଶବ୍ଦରେ ବଡ଼ି ସକାଳୁ ନିଦ ଭାଙ୍ଗିଗଲା। ଉଠି ଚାହିଁଲା ବେଳକୁ ମା’ କାନ୍ଦୁଛନ୍ତି। ଘରର ସମସ୍ତ ଆସବାବପତ୍ର ଇତଃସ୍ତତଃ ପଡ଼ିଛି। ଆଲମିରାରୁ ବହିପତ୍ର ସବୁ ତଳେ ଗଦା ହେଇଛି। ଜଣେ ପୋଲିସ ଅଫିସର ତନ୍ନ ତନ୍ନ କରି ବହିମାନଙ୍କର ପୃଷ୍ଠା ଓଲଟାଇ ଚାଲିଛନ୍ତି - ଯେମିତି ବହି ଭିତରେ ଟୁକୁଡା କାଗଜଟିଏ ଥିଲେ ଆମେ ଖୋଜୁ। ବୁଝି ପାରିଲିନି କଅଣ ହେଇଛି। ଝରକା ବାଟେ ବାହାରକୁ ଚାହିଁଲି। ଘର ସାମ୍ନାରେ ବି ଦୁଇ ଚାରି ଜଣ ପୋଲିସ କର୍ମଚାରୀ ଠିଆ ହେଇଛନ୍ତି। ପାଖ କୋଠରୀକୁ ଗଲି। ସେଇଠି ମା’ ବସି କାନ୍ଦୁଛନ୍ତି। ପାଖରେ ଜଣେ ପୋଲିସ ଅଫିସର ତାଙ୍କୁ ବୁଝାଉଛନ୍ତି –ମାଉସୀ, ମୁଁ ଆପଣଙ୍କ ଘରକୁ ଆସିଲି ବୋଲି ଆପଣ କାନ୍ଦୁଛନ୍ତି? ଖାଲି କଣ ଗଙ୍ଗାଧରବାବୁ ଆପଣଙ୍କ ପୁଅ? ମୁଁ ଆପଣଙ୍କ ପୁଅ ନୁହେଁ? ଜାଣିଛନ୍ତି, ଆପଣଙ୍କ ସବୁ ପୁଅ ଗୋଟେ ଗୋଟେ ହୀରା, ମୁଁ ସେମାନଙ୍କ ଲେଖା ପଢିଛି। ସେମାନେ ବହୁତ ନାଁ କରିବେ। ମୁଁ କିଛି ବୁଝି ପାରୁ ନ ଥିଲି।
ଆମେ ହେଉଛୁ ବଲାଙ୍ଗୀରର ଏକ ମଧ୍ୟବିତ୍ତ ପରିବାର। ଛଅ ଭାଇ ଏବଂ ଗୋଟିଏ ଭଉଣୀ। ଭଉଣୀ ସବୁଠୁ ଛୋଟ ଏବଂ ଗଙ୍ଗାଦାଦା ସମସ୍ତଙ୍କଠୁ ବଡ଼। ବଲାଙ୍ଗୀର ସହରରୁ କିଛି ଦୂରରେ ଗୋଟିଏ ଗାଁରେ ଶିକ୍ଷକତା କରନ୍ତି। ବାପା ଜଣେ ସରକାରୀ କର୍ମଚାରୀ। ମା’ ଜଣେ ଗୃହିଣୀ। ବାକି ସବୁ ଭାଇ ଭଉଣୀ ପଢା ଶୁଣା କରୁଛନ୍ତି। ଗଙ୍ଗାଦାଦାଙ୍କ ବାହାଘର ବି ଠିକ ହୋଇ ଯାଇଛି। ଘରକୁ ନୂଆ ବୋହୁ ଆସିବ - ସମସ୍ତଙ୍କ ମନରେ ଉଲ୍ଲାସ ରହିଛି। ଆଉ ସେତେବେଳକୁ ପୋଲିସର ଏଇ କାର୍ଯ୍ୟକଳାପ ସମସ୍ତଙ୍କୁ ଟିକିଏ ନର୍ଭସ କରି ଦେଇଥାଏ।
ପରେ ବୁଝା ବୁଝି କଲାପରେ ଜାଣି ପାରିଲି - ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେଇଛି। ସରକାରଙ୍କୁ ସମସ୍ତେ ସମର୍ଥନ କରିବା ଦରକାର। କୌଣସି ପ୍ରକାର ବିରୋଧ କଲେ, ସରକାର ଗିରଫ କରିପାରିବେ, ଜେଲରେ ବି ରଖିପାରିବେ। ମୋ ବଡ଼ ଭାଇ ସରକାରଙ୍କ ଏଇ ନୀତିକୁ ବିରୋଧକରି ଲେଖାଲେଖି କରୁଥିବା ସନ୍ଦେହ କରି ପୋଲିସ ଆମ ଘରକୁ ତଲାସି କରୁଥିଲା। ଇଏ ଥିଲା ପୋଲିସର ଗୋଟିଏ ଆଗୁଆ ପଦକ୍ଷେପ। ସେଦିନ ପୋଲିସକୁ ଆମ ଘରେ କିଛି ସନ୍ଦେହଜନକ କାଗଜପତ୍ର ମିଳି ନ ଥିଲା। ପରେ ଶୁଣିଲି ଗଙ୍ଗାଦାଦାର ଜଣେ ଅନ୍ତରଙ୍ଗ ସାଙ୍ଗ କାଳୀଦାଦା ସବୁ କିଛି ଫାଇଲ ତା ପୂର୍ବ ଦିନ ସନ୍ଧ୍ୟାରେ ଆମ ଘରୁ ନେଇ ଯାଇଥିଲେ। ସେ ଆଶା କରୁଥିଲେ କୌଣସି ମୁହୂର୍ତରେ ଆମ ଘର ସର୍ଚ୍ଚ ହେବାର ସମ୍ଭାବନା ଅଛି।
ସେଦିନ କିନ୍ତୁ ପୋଲିସକୁ ଆମ ଘର ତଲାସିରୁ କିଛି ମିଳିଲା ନାହିଁ। ପୋଲିସ ବାବୁ ମା’ଙ୍କୁ କହିଲେ - ମାଉସୀ ମୁଁ ଗଙ୍ଗାବାବୁଙ୍କୁ ଟିକିଏ ନେଇକି ଯିବି, ସେ ସଂଗେ ସଂଗେ ଫେରି ଆସିବେ। ତାହାହିଁ ହେଲା। ଘରେ ପୁଣି ବାହାଘର ପାଇଁ ଯୋଗାଡ଼ ଯନ୍ତ୍ର ଆରମ୍ଭ ହେଇଗଲା, ପୁଣି ସେଇ ଉତ୍ସାହ ଫେରି ଆସିଲା।
ତିନି ଚାରି ସପ୍ତାହପରେ ଗଙ୍ଗାଦାଦା ଆଉ ଥରେ ତାଙ୍କ କାର୍ଯ୍ୟସ୍ଥଳୀରୁ ଘରକୁ ଆସିଥାଆନ୍ତି। ଏଥର ତାଙ୍କ ସାଙ୍ଗରେ ତାଙ୍କର ଦୁଇ ଜଣ ସହକର୍ମୀ ମଧ୍ୟ ଆସିଥାନ୍ତି। ସନ୍ଧ୍ୟାରେ ତିନି ଜଣ ଚାହା ପିଇ ସିନେମା ଦେଖିବାକୁ ବାହାରି ଗଲେ। କିନ୍ତୁ ଘଣ୍ଟେ ଦେଢ଼ ଘଣ୍ଟା ପରେ ସହକର୍ମୀ ଦି ଜଣ ମନ ଦୁଃଖରେ ଫେରି ଆସିଲେ। କଥା ହେଲା ସେମାନେ ଯିବା ବାଟରେ ଗୋଟିଏ ସରକାର ବିରୋଧୀ ଶୋଭାଯାତ୍ରା ବାହାରି ଥିଲା। ସେଥିରେ କେତେ ଜଣ ଫୁଲମାଳ ପିନ୍ଧି ସରକାର ବିରୋଧରେ, ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ଳୋଗାନ ଦେଉଥିଲେ। ପାଟଣା ଛକରେ ପହଂଚିବା ପରେ ସମସ୍ତେ ଟ୍ରାଫିକ ପୋଲିସର ମଂଚ ଉପରକୁ ଉଠି ଯାଇ ଭାଷଣ ଦେବାକୁ ଲାଗିଲେ। ସେଇ ସମସ୍ତେ ପ୍ରକୃତରେ ଥିଲେ ଗଙ୍ଗାଦାଦାଙ୍କ ଗୋପନୀୟ ଅପରାଧର ଅଂଶୀଦାର। ଏହା ଦେଖି ଗଙ୍ଗାଦାଦାଙ୍କ ବିପ୍ଲବୀ ରକ୍ତ ତାତି ଉଠିଲା। ସେ ଶାନ୍ତ ରହି ପାରିଲେ ନାହିଁ। ସିଏ ବି ଶୋଭାଯାତ୍ରାରେ ଯୋଗ ଦେଲେ। ତାଙ୍କ ସହକର୍ମୀ ଦୁହେଁ ତାଙ୍କୁ ରୋକିବାକୁ ଚେଷ୍ଟା କଲେ, ମାତ୍ର ସଫଳ ହେଲେ ନାହିଁ। ସଂଗେ ସଂଗେ ଏକ ପୋଲିସ ଭ୍ୟାନ୍ ଆସି ସମସ୍ତଙ୍କୁ ଗିରଫ କରି ନେଇଗଲା। ସହକର୍ମୀମାନେ ଦୁଃଖରେ ଫେରି ଆସିଲେ, ଆମ ଘରେ ଖବର ଦେବା ପାଇଁ। ସନ୍ଧ୍ୟାରେ ତାଙ୍କ ଗାଆଁକୁ ଚାଲିଗଲେ।
ମା’ ଆଶା କରୁଥିଲେ ସବୁ ଥର ଭଳି ପୋଲିସ ଏଥର ମଧ୍ୟ କିଛି ସମୟ ପରେ ଛାଡ଼ିଦେବ। କିନ୍ତୁ ସେମିତି ହେଲା ନାହିଁ। ଦିନେ ଗଲା, ଦି ଦିନ ଗଲା, ସପ୍ତାହେ ଗଲା, ଗଙ୍ଗାଦାଦା ଫେରିଲେ ନାହିଁ। ପୋଲିସ ତାଙ୍କୁ ତତ୍କାଳୀନ ‘‘ଏନ୍ଏସ୍ଏ’’ ଆଇନ ବଳରେ ଗିରଫ କରି ଜେଲକୁ ପଠାଇ ଦେଲା। ତାଙ୍କର ଭୁଲ ଥିଲା ସେ ସରକାରଙ୍କ ‘Draconian Rule’ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ !
ଗଙ୍ଗାଦାଦାଙ୍କ ଭାବି ଶ୍ବଶୁର ଘରକୁ ଆସିଲେ। ତାଙ୍କ ମନରେ ଉଭୟ ଦୁଃଖ ଏବଂ କ୍ଷୋଭ। କି ବୋକା ପିଲା। ଦି ମାସ ପରେ ବାହା ଘର ଅଛି, ଆଉ ତୁମେ ନିଜକୁ ସଂଯତ ରଖି ପାରୁନା, ପୋଲିସ ବାନ୍ଧି ନେଉଛି। କାଲି ଆମ ଝିଅକୁ ବାହା ହେଲା ପରେ ପୁଣି ଜେଲ ଗଲେ, ଆମ ଝିଅର କଅଣ ହେବ? ବାହାଘର ଭାଙ୍ଗି ଯିବା ଛଡ଼ା ଆଉ କିଛି ଉପାୟ ନ ଥିଲା। ବାପା ମା’ଙ୍କର ଘରକୁ ବୋହୁଟିଏ ଆଣିବାର ସ୍ବପ୍ନ ଧୂଳିସାତ ହେଲା। ଆମମାନଙ୍କ ନୂଆ ଭାଉଜଟିଏ ପାଇବାର ଆଶା ମଧ୍ୟ ମଉଳିଗଲା।
ଭବିଷ୍ୟତରେ ଆମ ପାଇଁ କଣ ଅଛି ଭାବି ହେଉ ନାହିଁ। ମାସ ପରେ ମାସ ଅତିକ୍ରାନ୍ତ ହେଇ ଚାଲିଛି। ବେଳେ ବେଳେ କେହି ଘରେ ଆସି କହନ୍ତି - ଆଜି ଆମେ ଗଙ୍ଗାଦାଦାଙ୍କୁ ଦେଖିଥିଲୁ। କୋର୍ଟରେ ତାରିଖ ଥିଲା ବୋଧହୁଏ। ମା’ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ତାଙ୍କୁ ପଚାରନ୍ତି - ଏଇ ରାଜନୈତିକ ବନ୍ଦୀମାନଙ୍କ ବିଷୟରେ ସରକାରଙ୍କ ଆଭିମୁଖ୍ୟ କଣ ବୋଲି। ସେମାନେ ତାଙ୍କର ମତାମତ ଦିଅନ୍ତି - ଯାହାକି ଅନେକ ସମୟରେ ସମ୍ପୂର୍ଣ ନିରପେକ୍ଷ ନ ଥାଏ। ଅନେକେ ପ୍ରଶଂସା କରନ୍ତି। ଅନେକେ ବୋକା ବୋଲି କହନ୍ତି। ଥରେ ଜଣେ ଅଳ୍ପଶିକ୍ଷିତ ବ୍ୟକ୍ତି ଏଇମାନଙ୍କୁ ସରକାର କଳାପାଣି ପଠେଇଦେବାକୁ ଚିନ୍ତା କରୁଛି ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ। ଭଦ୍ରବ୍ୟକ୍ତି ଭଦ୍ରମହିଳାମାନେ ଗଲାପରେ ମା’ ଲୁହ ଗଡ଼ାନ୍ତି - ଶୂନ୍ୟକୁ ଚାହିଁ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି।
ବାପା ଆମର ଜଣେ ଖୁବ ସରଳ ମଣିଷ। ସେ ବି ବାହାରୁ ବିଭିନ୍ନ ଲୋକଙ୍କ ପାଖରୁ ବିଭିନ୍ନ କଥା ଶୁଣି ଆସିଥାନ୍ତି। କୋଉ ଭଦ୍ରବ୍ୟକ୍ତି କେବେ କିଛି ଭଲ ମତାମତ ଦେଇଥିଲେ ଘରେ ଟିକିଏ ଉତ୍ସାହର ବାତାବରଣ ସୃଷ୍ଟି ହୁଏ। ଆଉ କେବେ କେବେ କିଛି ନକାରାତ୍ମକ ମତାମତ ଶୁଣି ଦୁଃଖରେ ଆସିଥାନ୍ତି - କିଛି କହନ୍ତି ନାହିଁ, କିନ୍ତୁ ତାଙ୍କୁ ଦେଖି ତାଙ୍କ ଭିତରେ କଣ ଚାଲିଛି ଜାଣିହୁଏ। ମୁଁ ଖୁବ ଛୋଟ ଥିଲି, କାହାକୁ ପ୍ରଭାବିତ କରି ପାରିବାର କ୍ଷମତା ମୋର ନ ଥିଲା। ଘରେ ଯୋଉ ଭାବନାର ସ୍ରୋତ ବହୁଥିଲା, ମୁଁ କେବଳ ସେଥିରେ ଭାସି ଚାଲିଥିଲି, କେବେ ଅନୁକୂଳରେ ତ କେବେ ସ୍ରୋତର ପ୍ରତିକୂଳରେ। କେବେ ଯାଇ କୋର୍ଟରେ ବସି ତାଙ୍କର କେସ୍ର ବିଚାର କେମିତି ଚାଲିଛି, ଦେଖିବାର ସୁଯୋଗ ମଧ୍ୟ ନ ଥିଲା। ମୋ ବଡ଼ଭାଇମାନେ କଲେଜରେ ପଢୁଥିଲେ। ସେମାନେ ଗଙ୍ଗାଦାଦାଙ୍କ ତାରିଖ ଥିବା ଦିନ କୋର୍ଟକୁ ଯାଇ ଦେଖି ଆସୁଥିଲେ। ଘରେ ଅନେକ ସମୟ ଧରି ତା ବିଷୟରେ ଆଲୋଚନା ହେଉଥିଲା। କୋର୍ଟ ସମୟରେ ମୁଁ ସ୍କୁଲରେ ରହୁଥିଲି। ମୋ ପାଇଁ ସେଇ ସୁଯୋଗ ନ ଥିଲା।
ଥରେ ଜଣେ ବାବା ଆସିଲେ ଘରକୁ ଭିକ୍ଷା ମାଗିବା ପାଇଁ। ମା’ ତାଙ୍କୁ ପଚାରି ବସିଲେ - ମୋ ପୁଅର କଣ ହେବ ବୋଲି। ମା’ ସାଧାରଣତଃ ବାବାଜୀମାନଙ୍କୁ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ତାଙ୍କ ମାନସିକ ପରିସ୍ଥିତି ଏବେ ଅନ୍ୟ ପ୍ରକାର ଥିଲା। ବାବାଜୀ ମହାଶୟ ସେଦିନ ମା’ଙ୍କୁ ଅନେକ ସତ ମିଛ ଶୁଣାଇ ବେଶ କିଛି ଦାନ ଓ ଦକ୍ଷିଣା ସହ ବିଦାୟ ନେଇଥିଲେ।
ଗଙ୍ଗାଦାଦାଙ୍କୁ ଦେଖିବାକୁ ଥରେ ଦି’ଥର ଜେଲକୁ ଯାଇଛି ପରିବାର ସହିତ। ସେ ଜଣେ ସୁନ୍ଦର ମଣିଷ। ଜେଲ ଭିତରେ ଆହୁରି ସୁନ୍ଦର ଦେଖା ଯାଉଥିଲେ। ଗୋଟେ କଳା ବେଲବଟମ ପେଣ୍ଟ ଏବଂ ହଳଦିଆ ଟି ସାର୍ଟରେ ତାଙ୍କର ହସ ହସ ଚେହେରା ୪୫ ବର୍ଷ ପରେ ମୋର ଏବେ ବି ମନେ ପଡୁଛି। ମୁଁ ପଚାରି ଥିଲି - ଜେଲରେ କଣ କରୁଛ ? କହିଥିଲେ - କିଛି କାମ ନାହିଁ, ଖାଲି ପଢୁଛି ଆଉ ଲେଖୁଛି। ମୁଁ ପଚାରିଥିଲି - କଣ ପଢୁଛ? ସେ ମୋତେ ଡକ୍ଟର ରାମ ମନୋହର ଲୋହିଆଙ୍କ ଜୀବନୀଟି ଦେଖାଇଥିଲେ। କହିଥିଲେ, ମୁଁ ଘରକୁ ଆସିଲା ପରେ ତୋତେ ଦେବି ତୁ ବି ପଢ଼ିବୁ। ଖୁବ ଭଲ ବହି। ଜେଲରେ ଥିବା ବେଳେ ଦାଦା କିଛି ଭଲ ଗଳ୍ପ ଲେଖିଥିଲେ, ଯାହାକି ପରବର୍ତୀ ସମୟରେ ‘ନବରବି’, ’ଆସନ୍ତାକାଲି’ ଭଳିଆ ଉଚ୍ଚକୋଟୀର ସାହିତ୍ୟ ପତ୍ରିକା ମାନଙ୍କରେ ପ୍ରକାଶିତ ହେଇଥିଲା।
ଛ’ ମାସ କୋର୍ଟରେ ବିଚାର ଚାଲିଲା ପରେ, ପୋଲିସର କୌଣସି ଅଭିଯୋଗ କୋର୍ଟରେ ପ୍ରମାଣିତ ହେଇ ନ ପାରିବାରୁ ଗଙ୍ଗାଦାଦା ଏବଂ ତାଙ୍କ ସହବନ୍ଦୀମାନଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କଲା। ଗୋଟିଏ ଛୋଟ ଶୋଭାଯାତ୍ରାରେ ବନ୍ଦୀମାନେ ଜେଲରୁ ବାହାରିଲେ ଏବଂ ଘରମାନଙ୍କୁ ଗଲେ। ପରବର୍ତ୍ତୀ କେତେ ମାସ ସହରରେ ଅନେକ ‘ମୁକ୍ତବନ୍ଦୀ ସମ୍ବର୍ଧନା ସଭା’ ମାନ ଆୟୋଜିତ ହେଲା ଏବଂ ମୁକ୍ତବନ୍ଦୀମାନଙ୍କୁ ସମ୍ବର୍ଦ୍ଧିତ କରାହେଲା। ଏଇ ସମସ୍ତ ସଭାରେ ଗଙ୍ଗାଦାଦାଙ୍କ ଭାଷଣ ଏକ ବିଶେଷ ଆକର୍ଷଣ ହେଉଥିଲା। ସେ ଥିଲେ ଜଣେ ସୁଶିକ୍ଷକ, ସୁବକ୍ତା, ତାଙ୍କର ଲେଖିବା ଶୈଳୀ ବି ଥିଲା ଖୁବ ବଳିଷ୍ଠ। ସ୍କୁଲ କଲେଜରେ ଅଭିନୟରେ ମଧ୍ୟ ଅନେକ ଥର ପୁରସ୍କୃତ ହେଇଛନ୍ତି। ମୁଁ ଥିଲି ଜଣେ ତାଙ୍କର ଅନ୍ଧ ଭକ୍ତ। କେବଳ ମୁଁ ନୁହେଁ, ସାରା ପରିବାର ଏବଂ ତାଙ୍କର ପ୍ରତ୍ୟେକ ଅନୁଗାମୀ ତାଙ୍କଠୁଁ ବହୁ ସ୍ନେହ ପାଇଛନ୍ତି।
ତା ପରେ ପରେ ଦେଶରେ ସାଧାରଣ ନିର୍ବାଚନ ହେଲା ଏବଂ କଂଗ୍ରେସ ସରକାରର ପତନ ହେଲା। ଜରୁରୀ କାଳୀନ ପରିସ୍ଥିତି ଉଠିଗଲା। ଦାଦାଙ୍କ ସହବନ୍ଦୀମାନେ କିଏ ‘ବିଧାୟକ’, କିଏ ‘ସାସଂଦ’ ହେଲେ ତ କିଏ ଭଲ ଚାକିରି ପାଇଲେ। କିଏ କିଏ ବ୍ୟବସାୟ କରି ସଫଳତା ପାଇଲେ। ଗଙ୍ଗାଦାଦା ଫେରିଗଲେ ତାଙ୍କ ସ୍କୁଲକୁ, ଶିକ୍ଷକତା ଜାରି ରଖିବାକୁ।
କାଲଗାରୀ, କାନାଡ଼ା