ଗୁଣ୍ଡିଚାଘର ଅଭିମୁଖେ ମହାପ୍ରଭୁ; ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ନାଦରେ ଗଡ଼ୁଛି ନନ୍ଦିଘୋଷ

ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କାଳିଆଠାକୁର । ବଡଦାଣ୍ଡରେ ଗଡିଲା କାଳିଆଠାକୁରଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ପରେ ବଡଦାଣ୍ଡରେ ଗଡିଲା ଭାବ ବିନୋଦିଆ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ଘଣ୍ଟଘଣ୍ଟାରେ ତାଳେ ତାଳେ ଆଗେଇ ଚାଲିଛି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ବିନା ଭକ୍ତରେ ବଡଦାଣ୍ଡ ଜନଶୂନ୍ୟ ହୋଇଯାଇଥିବା ବେଳେ ଭକତଙ୍କୁ ଝୁରି ଝୁରି ବଡ ଭାଇଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀକୁ ଘେନି ଯାଉଛନ୍ତି ମହାବାହୁ ପ୍ରଭୁ ଶ୍ରୀଜଗନ୍ନାଥ । ବରଷକେ ଥରେ ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହୁଡି ଆସନ୍ତି ବଡଦାଣ୍ଡକୁ । ଶ୍ରଦ୍ଧାର ଦଉଡିରେ ତିନିଠାକୁରଙ୍କ ରଥକୁ ଟାଣି ନେଉଛନ୍ତି ପୁଲିସ୍ ଏବଂ ସେବାୟତ ।

ଆଜି  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ  ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ଓ ତା’ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇଥିଲା।  ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ  ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ।

ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି। ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ। କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ହେଲେ କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି । ତଥାପି ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି ।

ସମ୍ବନ୍ଧିତ ଖବର