ଭୁବନେଶ୍ୱର: ଦରବୃଦ୍ଧି ଓ ମହଙ୍ଗା ମାଡ଼ରେ କଲବଲ ଲୋକଙ୍କ ସମସ୍ୟାକୁ ଦେଖି ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସେ କହିଛନ୍ତି ଯେ ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁ ନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ସଉଦାଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ଜିନିଷର ଦର ଏବେ ଆକାଶ ଛୁଆଁ।
ଅଦିନିଆ ବର୍ଷା ଫସଲହାନୀରେ ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି। ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ।
ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶ ଛୁଆଁ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଇ ମା' କାହାଣୀ କହି ସରକାର ଖୁସି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି। ସରକାର ଗଠନର ସାତ ମାସ ହୋଇଗଲା। କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ। କିନ୍ତୁ କାମ ଘର ଶୂନ। ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ ଆକ୍ସନ୍ କିଛି ନାହିଁ। ହାଟ ବଜାରରେ ଲୋକ ପ୍ରତିଦିନ ଅଶାନ୍ତି। ମା'ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି। କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।
ଏପଟେ ଦରବୃଦ୍ଧି ମାଡ଼, ସେପଟେ ଜିଏସ୍ଟି ମାଡ଼। ସବୁ ଜିନିଷରେ ଜିଏସ୍ଟି। ଗରିବ ଲୋକ ବେଶୀ ଜିଏସ୍ଟି ଦେଉଛନ୍ତି। ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ। କିନ୍ତୁ ଫିଲ୍ମ ରିଲିଜ ହେଲା 'ଏମଏମ ସରକାର, ମହଙ୍ଗା ମାଡ଼ ସରକାର'। ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ଏ ସରକାରଙ୍କ ଅସଲ ଚେହେରା ଖୋଲିଦେବ।