ପୁରୀ: ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିବା ସହ ପ୍ରଶାସନର ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଛନ୍ତି ।  ସୋସିଆଲ ମିଡିଆ ଏକ୍ସରେ  ପୋଷ୍ଟ କରି ନବୀନ ପୁରୀର ଶରଧାବାଲିରେ ଘଟିଥିବା ଦଳାଚକଟାରେ ପ୍ରାଣ ହରାଇଥିବା ତିନି ଜଣ ଭକ୍ତଙ୍କ ପରିବାର ପ୍ରତି  ଗଭୀର ସମବେଦନା ଜଣାଇବା ସହ ଏହି ଘଟଣାରେ ଆହତ ଭକ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ  ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Advertisment

ଭିଡ଼ ଅନିୟନ୍ତ୍ରଣ ପାଇଁ  ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ନବୀନ । ନବୀନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ରଥଯାତ୍ରା ସମୟରେ ଭିଡ଼ ପରିଚାଳନାର ଭୟଙ୍କର ବିଫଳତା ତାର ଦିନକ ପରେ ଠେଲାପେଲା, ଦଳାଚକଟାରେ ଭକ୍ତ ଆହତ ହେବା, ମୃତ୍ୟୁ ଘଟିବା ପରି ଘଟଣା ସରକାରଙ୍କ ଅକ୍ଷମତାକୁ ପଦାରେ ପକାଇଛି । ନବୀନ ଆହୁରି ମଧ୍ୟ ଲେଖିଛନ୍ତି,  ଖୋଦ୍‌ ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସୁରକ୍ଷାକର୍ମୀ ଉପସ୍ଥିତ ନଥିଲେ । ଯାହା  କର୍ତ୍ତବ୍ୟରେ ଏକ ସାଙ୍ଘାତିକ୍‌ ତ୍ରୁଟିକୁ ଦର୍ଶାଉଛି । ଖାଲି ଏତିକି ନୁହେଁ ରଥଯାତ୍ରା ଦିନ ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବକୁ ଅତି ସହଜରେ "ମହାପ୍ରଭୁଙ୍କ ଇଚ୍ଛା" ବୋଲି କହି ପାର୍‌ ହୋଇଯାଇଥିଲେ ସରକାର ।

ଏହା ଗୋଟିଏ ଗୋଟିଏ ବାହାନା ନିଜ ଅକ୍ଷମତାକୁ ଲୁଚାଇବା ପାଇଁ  ରାଜ୍ୟ ସରକାରଙ୍କର ବୋଲି  ନବୀନ କହିଛନ୍ତି । ସୂଚନାମୁତାବକ, ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମୃତକମାନଙ୍କ ପରିଚୟ ମଧ୍ୟ ମିଳିଛି | ମୃତକମାନେ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀର ୭୮ ବର୍ଷୀୟ ପ୍ରେମକାନ୍ତ ମହାନ୍ତି, ଖୋର୍ଦ୍ଧା ବାଲିପାଟଣାର ୫୨ ବର୍ଷୀୟା ପ୍ରଭାତୀ ଦାସ ଓ ଖୋର୍ଦ୍ଧା ଗୋଡଭଂଗାର ୪୨ ବର୍ଷୀୟ ବାସନ୍ତୀ ସାହୁ ବୋଲି ଜଣାପଡିଛି |