ଛତ୍ରପୁର:  ଆଜି ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ଆସନ ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ନବୀନଙ୍କ ଛତ୍ରପୁର ଗସ୍ତ ନେଇ ସ୍ଥାନୀୟ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

Advertisment

ମିଳିଥିବା ସୂଚନା ମୁତାବକ, ସକାଳ ପ୍ରାୟ ୮ଟା ୫୦ ମିନିଟ ସମୟରେ ବିଜେଡି ସୁପ୍ରିମୋ ନବୀନ ନିବାସରୁ ହିଞ୍ଜିଳି ଅଭିମୁଖେ ବାହାରିବେ । ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ତାରାତାରିଣୀ ମନ୍ଦିରରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ ।

ହିଞ୍ଜିଳି ଆସନରୁ ନବୀନ ଗତ ୪ଟି ନିର୍ବାଚନରେ ଲଢି ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନରେ ବସି ଆସିଛନ୍ତି । ଲଗାତାର ଭାବେ ଏହି ଆସନରେ ନବୀନଙ୍କ ଲୋକପ୍ରିୟତା ସହ ଭୋଟ ପ୍ରତିଶତ ମଧ୍ୟ ବଢିଚାଲିଛି । ତେଣୁ ନବୀନଙ୍କ ପାଇଁ ହିଞ୍ଜିଳି ଆସନ ବହୁତ ଶୁଭ ବୋଲି ଧାରଣା ରହିଛି । ତେଣୁ ଏହି ଆସନକୁ ହାତଛଡା କରୁନାହାନ୍ତି ନବୀନ । ଚଳିତ ଥର ଉଭୟ ହିଞ୍ଜିଳି ଓ ବିଜେପୁର ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଦୁଇଟି ଆସନରେ ଭୋଟ ଗ୍ରହଣ କରାଯିବ ।