ମାଲକାନଗିରି: ଗତକାଲି ଛତିଶଗଡ଼ର ନାରାୟନପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିଲେ | ଏମାନଙ୍କର ଆଜି ଚିହ୍ନଟ ହୋଇଛି। ଏମାନେ ହେଲେ ଲକ୍ଷ୍ମୀ, ସବିତାଵ ଶାନ୍ତି। ଲକ୍ଷ୍ମୀ(୪୦) ପିଏଲଜିଏ ସଦସ୍ୟ ରହିଥିଲା। ଲକ୍ଷ୍ମୀ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ସବିତା ଓ ଶାନ୍ତି ଏସିଏମ ପଦରେ ଅବସ୍ଥାପିତ ଥିଲେ। ଏହି ଦୁଇଜଣଙ୍କ ନାମରେ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

Advertisment

 ଏମାନଙ୍କ ଠାରୁ ଯବାନ ୩ଟି ବନ୍ଧୁକ ସହ ବିସ୍ଫୋରକ ଜବତ କରିଛନ୍ତି । ପ୍ରକାଶ ଥାଉ କି ଗତ ୨୭ ତାରିଖରେ ସିଆରପିଏଫ, ଡିଆରଜି, ଏସଟିଏଫ ଯବାନ ଜଙ୍ଗଲରେ ପଶିଥିଲେ। ତେବେ ୨ଦିନର ପରିଶ୍ରମ ପରେ ଗତକାଲି ସକାଳ ୮ଟାରେ ନକ୍ସଲ ସହ ଯବାନଙ୍କ ମୁହାଁମୁହିଁ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଚଳିତ ବର୍ଷ ଆଜି ସୁଦ୍ଧା ୧୪୩ଜଣ ନକ୍ସଲ ନିହତ ହୋଇଥିବା ବେଳେ ୫୯୬ ଜଣ ଗିରଫ ଓ ୫୯୯ ଜଣ ଆତ୍ମସମର୍ପଣ କରିଛନ୍ତି।

ଅନ୍ୟପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାର ପେଦ୍ଦଗେଲୁର ଅଞ୍ଚଳକୁ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ। ତେବେ ସିଆରପିଏଫର ସନ୍ଧାନୀ କୁକୁର ଦ୍ୱାରା ଏହି ତିନୋଟି ବୋମାକୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଂଚି ବୋମାଗୁଡିକକୁ ନିଷ୍କ୍ରିୟ କରିଥିଲେ। ଏକ ବଡ଼ ଦୁର୍ଘଟଣାରୁ ଯବାନ ବର୍ତ୍ତି ଯାଇଥିବା କୁହାଯାଇଛି। ଏହି ବୋମା ବିସ୍ଫୋରଣରେ ଯବାନଙ୍କ ଅପେକ୍ଷା ପ୍ରାୟତଃ ସାଧାରଣ ନାଗରିକ ମୃତାହତ ହେଉଛନ୍ତି।