ନକ୍ସଲ ସଂଗଠନ ସହ ୧୫ ବର୍ଷର ସଂପର୍କ ତୁଟାଇ ପୁଲିିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓକ୍ୟାଡର୍ ସୀତାରାମ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବଳରାମପୁର ପୁଲିସ ନିକଟରେ ସୀତାରାମ ଘାସିଆ ନାମକ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛି। ଏଥି ସହିତ ସୀତାରାମ ଘାସିଆ ନକ୍ସଲ ସଂଗଠନ ସହିତ ୧୫ ବର୍ଷର ସଂପର୍କ ତୁଟାଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇ ମୁଖ୍ୟସ୍ରୋତକୁ ଫେରି ଆସିଛି।

ସୂଚନା ଅନୁଯାୟୀ, ୨୦୦୩ରେ ସୀତାରାମ ମାଓ ସଂଗଠ ଏମସିସିରେ ସାମିଲ ହୋଇଥିଲା। ୨୦୦୪ରେ ସେ ପୁଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲା। ତେବେ ୨୦୦୫ରେ ସେ ଜେଲରୁ ମୁକୁଳିବା ପରେ ପୁଣି ନିଜ ପତ୍ନୀ ଦେବନ୍ତୀଙ୍କ ସହ ମାଓ ସଂଗଠନରେ ଜଡିତ ହୋଇଯାଇଥିଲା। ମାଓ ସଂଗଠନର ଛତିଶଗଡ ରାଜ୍ୟ କମିଟିର ସଦସ୍ୟ ଭୀମା କୋଡାକୁ ଏବଂ ଏରିଆ କମାଣ୍ଡର ସାଗରର ମୃତ୍ୟୁ ପରେ ସୀତାରାମ ଘସିଆ ଏରିଆ କମିଟି ମେମ୍ବର ଭାବେ ପଦନ୍ନୋତି ପାଇଥିଲା।

ସେହିପରି ତାର ପତ୍ନୀ ଦେବନ୍ତୀ ମଧ୍ୟ ଡେପୁଟି କମାଣ୍ଡର ଭାବେ ନିଯୁକ୍ତି ପାଇଲା। ପରେ ସେ ମାଓ ସଂଗଠନରେ ରହି ବହୁ ହିଂସା ଘଟଣାରେ ଜଡ଼ିତ ହୋଇଥିଲା। ଲ୍ୟାଣ୍ଡମାଇନ ଲଗାଇ ପୁଲିସ ପାର୍ଟି ଉପରେ ଆକ୍ରମଣ କରିବାରେ ସଫଳ ହୋଇଥିଲା। ତେବେ ଦୀର୍ଘ ଦିନ ଧରି ସୀତାରାମକୁ ପୁଲିସ ଧରିବାକୁ ଚେଷ୍ଟା ଜାରି ରଖିଥିଲା କିନ୍ତୁ ଧରିବାରେ ବିଫଳ ହେଉଥିଲା। ପୁଲିସ ବହୁ ଖୋଜାଖୋଜି କରୁଥିଲେ ମଧ୍ୟ ତାକୁ ଧରିପାରୁନଥିଲା। ଗତବର୍ଷ ପୁଲିସ ପତ୍ନୀ ଦେବନ୍ତୀକୁ ଗିରଫ କରିବାରେ ସଫଳ ହୋଇଥିଲା। ଏହାପରେ ଗତକାଲି ସୀତାରାମ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଦେଇଛି। ସୀତାରାମ ନାମରେ ସରକାର ୪୫ ହଜାର ଟଂକା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର