ଭୁବନେଶ୍ୱର (ସୁବ୍ରତ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରିମଣ୍ଡଳର ସଭ୍ୟମାନେ ସେମାନଙ୍କର କାର୍ଯ୍ୟ ଉଣା ଅଧିକେ ଆରମ୍ଭ କରିଛନ୍ତି। ତେବେ ମନ୍ତ୍ରୀମାନଙ୍କୁ ସଚିବାଳୟରେ ପ୍ରକୋଷ୍ଠ ଆବଣ୍ଟନ ହୋଇ ନ ଥିବାରୁ ସେମାନଙ୍କର କାର୍ଯ୍ୟ ପୂରା ଦମ୍‌ରେ ଆରମ୍ଭ ହୋଇପାରିନାହିଁ। ବିଦାୟୀ ମନ୍ତ୍ରିମଣ୍ଡଳରେ ଯେଉଁ ୬ ଜଣ ମନ୍ତ୍ରୀ ଥିଲେ,ସେମାନେ ସେମାନଙ୍କ ପୁରୁଣା ପ୍ରକୋଷ୍ଠରୁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏଥରର ନୂଆ ମନ୍ତ୍ରୀମାନେ ସେମାନଙ୍କର ସରକାରୀ ବାସଭବନ କିମ୍ବା ସରକାରୀ ଅତିଥି ଭବନରେ ସମୀକ୍ଷା ଓ ଫାଇଲ୍‌ କାମ ଆରମ୍ଭ କରିଛନ୍ତି।

Advertisment

ଏଥର ମନ୍ତ୍ରୀ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୬ ଜଣ ବିଦାୟୀ ମନ୍ତ୍ରିମଣ୍ଡଳରେ ସଭ୍ୟ ଥିଲେ। ସେମାନେ ହେଲେ ପ୍ରତାପ ଜେନା,ନିରଞ୍ଜନ ପୂଜାରୀ,ସୁଶାନ୍ତ ସିଂହ,ବିକ୍ରମ କେଶରୀ ଆରୁଖ,ପ୍ରଫୁଲ୍ଲ ମଲ୍ଲିକ ଏବଂ ଅଶୋକ ପଣ୍ଡା। ଏହି ମନ୍ତ୍ରୀମାନେ ସେମାନଙ୍କର ପୁରୁଣା କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ସରକାରୀ ବାସଭବନରୁ ଅଫିସ କାମ ଚଳେଇଛନ୍ତି।

ତେବେ,ଯେଉଁ ୧୪ ଜଣ ନୂତନ ଭାବେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ସଚିବାଳୟ ଦପ୍ତର ଅବଣ୍ଟନ ହୋଇନାହିଁ। ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ,ଯୋଜନା ଓ ସମବାୟ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରମୁଖ ନିଜ ନିଜ ସରକାରୀ ବାସଭବନ,ରାଜ୍ୟ ଅତିଥିଭବନ ଅଥବା ନିଜ ବିଭାଗ ଅଧିନରେ ଥିବା ନିର୍ଦ୍ଦେଶାଳୟ ଦପ୍ତରରୁ କାର୍ଯ୍ୟ ଆରମ୍ଭ କରିଛନ୍ତି।

publive-image urbanvaastu.com

ଏଥର ୫ ଜଣ ମନ୍ତ୍ରୀ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେମାନେ ହେଲେ ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ୍‌,ରଘୁନନ୍ଦନ ଦାସ,ପ୍ରେମାନନ୍ଦ ନାଏକ ଏବଂ ତୁଷାରକାନ୍ତିତ ବେହେରା। ସେମାନଙ୍କୁ ଏପର୍ଯ୍ୟନ୍ତ ବିଧାନସଭା ପକ୍ଷରୁ କ୍ୱାର୍ଟର ମିଳି ନାହିଁ। ତେଣୁ ସେମାନଙ୍କ ପକ୍ଷେ ଅଫିସ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ମନ୍ତ୍ରୀମାନଙ୍କୁ ମଧ୍ୟ ସେମାନଙ୍କ ଦପ୍ତରରେ କାମ କରିବାକୁ ବ୍ୟକ୍ତିଗତ ସଚିବ ,ବ୍ୟକ୍ତିଗତ ସହାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନଥିବାରୁ ଦାପ୍ତରିକ କାର୍ଯ୍ୟ ହୋଇପାରୁ ନାହିଁ। ବିଶେଷତଃ ଓଡ଼ିଶା ସେକ୍ରେଟାରିଏଟ୍‌ ଓ୍ଵାର୍କଫ୍ଲୋ ଅଟୋ ମେସନ୍‌ ସିଷ୍ଟମ (ଓସ୍ୱାସେ) ସଂଯୋଗ ଦିଆଯାଇ ନଥିବାରୁ ଫାଇଲ୍‌ କାର୍ଯ୍ୟ ହୋଇପାରୁ ନାହିଁ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ମନ୍ତ୍ରୀମାନଙ୍କୁ ସଚିବାଳୟ ଦପ୍ତର ଆବଣ୍ଟନ ଆଜି ସଂଧ୍ୟା ସୁଦ୍ଧା କରାଯାଇଛି। ଆସନ୍ତାକାଲି ଶୁକ୍ରବାର,ଏ ସପ୍ତାହର ଶେଷ କାର୍ଯ୍ୟ ଦିବସ। ଶନିବାର ଓ ରବିବାର ଦୁଇ ଦିନ ସରକାରୀ ଛୁଟି । ମୁଖ୍ୟମନ୍ତ୍ରୀ ମଧ୍ୟ ଶନିବାର ଦିନ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ତେଣୁ ସଚିବାଳୟ ମନ୍ତ୍ରୀମାନଙ୍କର ଦପ୍ତର ଆସନ୍ତା ସପ୍ତାହରୁ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।