ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଆଜି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ ଖେଳା ଯାଉଛି । ଆଜିର ମ୍ୟାଚ୍‌ରେ ବି ଟସ୍‌ ହାରିଛନ୍ତି ଭାରତର କ୍ୟାପ୍‌ଟେନ୍‌ ରୋହିତ ଶର୍ମା । ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଉଲ୍ଲେଖ ଥାଉ କି ଦୁଇ ସନ୍ତୁଳିତ ଓ ଦୃଢ଼ ମାନସିକ ଦକ୍ଷତାଧାରୀ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି।

Advertisment

ଦୋଷ ଦୁର୍ବଳତାକୁ ଦୂର କରିବା ଲାଗି ଜୋରଦାର୍‌ ଅଭ୍ୟାସ କରିବା ସହ ଦୁବାଇ ପରିବେଶକୁ ଖାପଖୁଆଇଲା ଭଳି ରଣନୀତି ପ୍ରସ୍ତୁତ କରି ନେଇଛନ୍ତି। ଏହି ମହାଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି। ଭାରତ ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ଏହି ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଭାରତ ଫାଇନାଲ୍ ଯିବା ପରେ ପୂର୍ବନିଷ୍ପତ୍ତି ଅନୁସାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦୁବାଇ ଖେଳାଯାଉଛି।

ଏଭଳି ସ୍ଥିତି‌ରେ ପାକ୍ ପ୍ରଶଂସକ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେବେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ସୁପର୍‌ସଣ୍ଡେରେ ସୁପର୍‌ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ୨୫ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭେଟାଭେଟି ହେବା ରବିବାରର ମୁକାବିଲାକୁ ଆହୁରି ସ୍ବତନ୍ତ୍ର ତଥା ରୋଚକ କରିଛି। 

ଭାରତ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, ଅକ୍ଷର ପଟେଲ, କେଏଲ୍ ରାହୁଲ (ୱିକେଟ୍ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ।

ନ୍ୟୁଜିଲାଣ୍ଡ ଦଳ: ୱିଲ୍ ୟଙ୍ଗ୍‌, ରାଚିନ ରବୀନ୍ଦ୍ର, କେନ୍ ୱିଲିୟମସନ୍, ଡାରିଲ ମିଚେଲ, ଟମ୍‌ ଲଥାମ (ୱିକେଟ୍ ରକ୍ଷକ), ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସ୍‌ୱେଲ୍, ମିଚେଲ ସାଣ୍ଟନର୍ (ଅଧିନାୟକ), କାଇଲ ଜାମିସନ୍, ନାଥନ ସ୍ମିଥ୍, ୱିଲ୍ ଓ’ରର୍‌କି।