କରୋନା ଭାଇରସ : ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ : ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି । ଏଠାରୁ ସ୍ଥିତି ଚୀନ ପରି ନିୟନ୍ତ୍ରଣକୁ ଆସିପାରେ ଅଥବା ଇଟାଲି ପରି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପର ପ୍ରଭାବ ଅନୁସାରେ ସ୍ଥିତି ନିର୍ଭର କରିବ । ଏକ ଅଟକଳ ଅନୁସାରେ ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ଭାରତର ସଂକ୍ରମିତଙ୍କ ସଂଖ୍ୟା ୪୧୫ରୁ ୧ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ ପାଇଁ ସରକାରଙ୍କ ଆହ୍ଵାନକୁ ଲୋକମାନେ ଯଦି ସଂପୂର୍ଣ୍ଣ ଭାବେ ପାଳନ କରନ୍ତି ତେବେ ସଂଖ୍ୟା ୪୧୫ ଆଖପାଖରେ ସୀମିତ ରହିବ । ଯଦି ଲୋକମାନେ ଏହାକୁ ଠିକ ଭାବେ ପାଳନ କରନ୍ତି ନାହିଁ, ତେବେ ସଂଖ୍ୟା ବଢିପାରେ । ଚେନ୍ନାଇ ମାଥମେଟିକାଲ ଇନଷ୍ଟିଚ୍ୟୁଟର ପ୍ରଫେସର ସୌରିସ ଦାସ କହିଛନ୍ତି ଯେ ଆମେ ଯଦି ଚୀନ ପରି କଠୋର ଅନୁଶାସନ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ତେବେ ଏପ୍ରିଲ ୧୫ ସୁଦ୍ଧା ସଂକ୍ରମଣ ସଂଖ୍ୟା ୪୧୫ ଆଖପାଖରେ ରହିବ । ତେବେ ଭାରତର ଯୁବା ଜନସଂଖ୍ୟା ଦୃଷ୍ଟିରୁ ଇଟାଲି ପରି ସଂକ୍ରମିତ ବା ମୃତ୍ୟୁସଂଖ୍ୟା ଏତେ ନ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ଆଉ ଜଣେ ବିଶେଷଜ୍ଞ ସୀତାଭ୍ର ସିହ୍ନା କହିଛନ୍ତି ଯେ ଭାରତରେ ସଂକ୍ରମିତ ସଂଖ୍ୟା ବର୍ତ୍ତମାନର ହାରରେ ବଢିଚାଲିଲେ ମାର୍ଚ୍ଚ ଶେଷସୁଦ୍ଧା ତାହା ୧୦୦୦ ଛୁଇଁପାରେ । କିନ୍ତୁ ସରକାର ଘୋଷଣା କରିଥିବା ପଦକ୍ଷେପ ଗୁଡ଼ିକୁ ଭଲଭାବରେ ପାଳନ କରାଗଲେ ଏହି ସଂଖ୍ୟା ନିୟନ୍ତ୍ରଣରେ ରଖାଯାଇପାରିବ ।

ସମ୍ବନ୍ଧିତ ଖବର