ନୂଆଦିଲ୍ଲୀ: ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ Next Generation Launch Vehicle (NGLV)ର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ ୨୦୪୦ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ସକାଶେ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଲଭିଏମ୩ ପେଲୋଡ କ୍ଷମତା ତୁଳନାରେ ଏନଜିଏଲଭି ପେଲୋଡ କ୍ଷମତା ତିନିଗୁଣା ଅଧିକ ଏବଂ ଖର୍ଚ୍ଚ ହିସାବରେ ମାତ୍ର ଦେଢ଼ଗୁଣା ଅଧିକ ।

Advertisment

 ଏଥିସହ ଏହା ପରିବେଶ ଅନୁକୂଳ ପ୍ରକ୍ରିୟାରେ ପୁନଃବ୍ୟବହାରକ୍ଷମ ଭାବେ ମହାକାଶକୁ କମ୍ ଖର୍ଚ୍ଚରେ ଯାଇପାରିବ । ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ଏକ ନୂତନ ପିଢ଼ିର ପ୍ରକ୍ଷେପଣ ଯାନର ଆବଶ୍ୟକତା ଥିଲା, ଯାହାକି ଅଧିକ ପେଲୋଡ ସହ ପୁନଃବ୍ୟବହାରକ୍ଷମ ହୋଇଥିବା ଏବଂ ମାନବ ପରିବହନ ସକାଶେ ସକ୍ଷମ ହୋଇଥିବ । ତେଣୁ ଏଜିଏଲଭିର ବିକାଶ ନିଷ୍ପତ୍ତି ହୋଇଛି ଯାହାକି ସର୍ବାଧିକ ୩୦ ଟନର ପେଲୋଡ ସହ ପୃଥିବୀର ନିମ୍ନ କକ୍ଷକୁ ଯାଇପାରିବ ଏବଂ ପ୍ରଥମ ପର୍ଯ୍ୟାୟରେ ପୁନଃବ୍ୟବହାରକ୍ଷମ ହୋଇଥିବ ।

ଏବେ ଭାରତ ୧୦ ଟନର ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷକୁ ଏବଂ ଭୂସ୍ଥିର ସ୍ଥାନାନ୍ତରଣ କକ୍ଷ Geo-Synchronous Transfer Orbit (ଜିଟିଓ)କୁ ପଠାଇବା ସକାଶେ ପିଏସଏଲଭି, ଜିଏସଏଲଭି, ଏଲଭିଏମ୩ ଏବଂ ଏସଏସଏଲଭି ପ୍ରକ୍ଷେପଣ ଯାନ ପ୍ରସ୍ତୁତ ଦିଗରେ ଆତ୍ମନିର୍ଭର ହୋଇପାରିଛି । ଏନଜିଏଲଭି ବିକାଶ ପ୍ରକଳ୍ପରେ ଭାରତୀୟ ଉଦ୍ୟୋଗଗୁଡ଼ିକ ସର୍ବାଧିକ ସହାୟତା କରିବେ ।

ଏହି ପ୍ରକଳ୍ପରେ ସେମାନେ ନିର୍ମାଣ କ୍ଷମତାରେ ନିବେଶ କରିବେ ଯଦ୍ୱାରା ପରବର୍ତ୍ତୀ ବିକାଶ ଦିଗରେ ବିନା ବାଧାରେ ଅଗ୍ରଗତି କରିହେବ । ଏନଜିଏଲଭି ପ୍ରକଳ୍ପକୁ ୯୬ ମାସ (୮ ବର୍ଷ) ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ଏବଂ ଏହା ତିନୋଟି ବିକାଶମୂଳକ ଉଡ଼ାଣ (ଡି ୧, ଡି ୨ ଏବଂ ଡି ୩)ରେ ପ୍ରଦର୍ଶନ ହେବ ।
ଏଥିପାଇଁ ମୋଟ ୮୨୪୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି ଏବଂ ଏହା ମଧ୍ୟରେ ବିକାଶ ଖର୍ଚ୍ଚ, ତିନୋଟି ବିକାଶମୂଳକ ଉଡ଼ାଣ, ଆବଶ୍ୟକ ସୁବିଧାର ପ୍ରସ୍ତୁତି, କାର୍ଯ୍ୟକ୍ରମ ପରିଚାଳନା ଏବଂ ପ୍ରକ୍ଷେପଣ ଅଭିଯାନ ଅନ୍ତର୍ଭୁକ୍ତ ।