ରିଓଡି ଜାନିରୋ: ବ୍ରାଜିଲର ଚର୍ଚ୍ଚିତ ଫୁଟ୍ବଲ୍ ତାରକା ନେମାର ଅବସର ସଙ୍କେତ ଦେଇଛନ୍ତି। ଏହି ୩୪ବର୍ଷୀୟ ଅଗ୍ରଭାଗ ଖେଳାଳି ଚଳିତବର୍ଷ ଶେଷ ଆଡ଼କୁ ଅନ୍ତର୍ଜାତୀୟ ଫୁଟ୍ବଲ୍ ଛାଡ଼ି ପାରନ୍ତି। ଏଥିନେଇ ବ୍ୟକ୍ତିଗତ ଭାବେ ସେ କିନ୍ତୁ କୌଣସି ଆନୁଷ୍ଠାନିକ ସୂଚନା ଦେଇ ନାହାନ୍ତି। ବାରମ୍ବାର ଆହତ ହେବା ପରେ ନେମାର ଗତବର୍ଷ ଜାନୁଆରି ମାସରେ ନିଜ ପିଲାଦିନର କ୍ଲବ୍ ‘ସାଣ୍ଟୋସ’କୁ ଫେରିଥିଲେ। ଏହି ଦଳର ଗତ ୫ଟି ମ୍ୟାଚ୍ରେ ୫ଟି ଗୋଲ୍ ବି ଦେଇଥିଲେ। ତେବେ ପୁଣି ଥରେ ଆହତ ହୋଇ ଥିବାରୁ ଚଳିତବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ବ୍ରାଜିଲ ଜାତୀୟ ଦଳ ପକ୍ଷରୁ ସେ ୭୯ ଗୋଲ୍ ଦେଇଛନ୍ତି। ହେଲେ ଅକ୍ଟୋବର ୨୦୨୩ରୁ ବ୍ରାଜିଲର ବରିଷ୍ଠ ଫୁଟ୍ବଲ୍ ଦଳରେ ସ୍ଥାନ ପାଇ ନାହାନ୍ତି। ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ମେକ୍ସିକୋ ଓ ଆମେରିକାରେ ଖେଳାଯିବାକୁ ଥିବା ବିଶ୍ବକପ୍ ଦଳରେ ଅନଫିଟ୍ ଖେଳାଳିଙ୍କୁ ସେ ଆଦୌ ସୁଯୋଗ ଦେବେନି ବୋଲି ବ୍ରାଜିଲ ପ୍ରବନ୍ଧକ କାର୍ଲୋ ଆନ୍ସେଲୋଟି ଘୋଷଣା କରି ସାରିଛନ୍ତି। ଏଣୁ ନେମାରଙ୍କ ଫୁଟ୍ବଲ୍ ଜୀବନ ଚଳିତବର୍ଷ ହିଁ ଶେଷ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/21/21bbs_47_21022026_112-2026-02-21-19-00-57.jpg)