ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନ କରିଥିଲେ | ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣ ରଖିଥିଲେ ଏବଂ ୧ ଘଣ୍ଟା ୧୭ ମିନିଟ୍ ବଜେଟ୍ ଉପସ୍ଥାପନ କରି ନିଜ ବଜେଟ୍ ଅଭିଭାଷଣ ସମାପ୍ତ କରିଥିଲେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ୮ମ ଥର ପାଇଁ ଲଗାତାର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି । ତାଙ୍କର ୧ ଘଣ୍ଟା ୧୭ ମିନିଟର ବଜେଟ୍ ଭାଷଣରେ, ସେ କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଏହି ବଜେଟରେ ଯୁବପିଢ଼ି, ଚାଷୀ, ମହିଳା ଏବଂ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଥିଲା।
ଚଳିତ ବର୍ଷର ବଜେଟରେ, ଅର୍ଥମନ୍ତ୍ରୀ ବାରମ୍ବାର କିଛି ନିର୍ଦ୍ଦିଷ୍ଟ ଶବ୍ଦ ଉଲ୍ଲେଖ କରିଥିଲେ, ଯେଉଁଠାରୁ ସରକାରଙ୍କ ପ୍ରାଥମିକତା ଅନୁମାନ କରାଯାଇପାରିବ। ଟିକସ ଶବ୍ଦଟି ୫୧ ଥର ସେ ଉଚ୍ଚାରଣ କରିଥିବାବେଳେ ଟିଡ଼ିଏସକୁ ୨୬ ଥର ଉଲ୍ଲେଖ କରାଯାଇଥିଲା। ସୀମା ଶୁଳ୍କ ଏବଂ କରଦାତା - ୨୨ ଥର, ଭାରତ ଶବ୍ଦ ୨୧ ଥର, ମେଡିକାଲ, ସଂସ୍କାର ଏବଂ କୃଷକ ଶବ୍ଦଗୁଡ଼ିକ ୨୦ ଥର କୁହାଯାଇଥିଲା। ଯୋଜନା ଶବ୍ଦ ୧୮ ଥର, ରପ୍ତାନି ଶବ୍ଦ ୧୭ ଥର ଏବଂ ଏମଏସଏମଇ (ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) ବିଷୟରେ ୧୫ ଥର ଉଲ୍ଲେଖ କରାଯାଇଥିଲା। ଏହା ବ୍ୟତୀତ ବଜେଟ୍, ଦକ୍ଷତା, ଯୁବପିଢ଼ି, ବ୍ୟାଙ୍କିଙ୍ଗ, ନିବେଶ, ଭିତ୍ତିଭୂମି ଏବଂ ଅର୍ଥନୀତି ଭଳି ଶବ୍ଦ ମଧ୍ୟ ଅନେକ ଥର କୁହାଯାଇଥିଲା, ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସରକାର ଆର୍ଥିକ ବିକାଶକୁ ପ୍ରାଥମିକତା ଦେଉଛନ୍ତି।
ଏସବୁ ଶବ୍ଦ ଏତିକି ଥର କହିଥିଲେ ନିର୍ମଳା
ଟ୍ୟାକ୍ସ ୫୧ଥର, ଟିଡିଏସ୍/ଟିସିଏସ୍ ୨୬ ଥର, କଷ୍ଟମ୍ ୨୨ ଥର, କରଦାତା ୨୨ଥର, ଭାରତ ୨୧ଥର, ମେଡିକାଲ ୨୦ ଥର, ସଂସ୍କାର ୨୦ ଥର, ଚାଷୀ ୨୦ ଥର, ଯୋଜନା ୧୮ ଥର, ରପ୍ତାନି ୧୭ ଥର, କଷ୍ଟମ୍ ଡ୍ୟୁଟି ୧୭ ଥର, ଏମ୍ଏସ୍ଏମ୍ଇ ୧୫ ଥର, ନିବେଶ ୧୩ ଥର, ବ୍ୟାଙ୍କ ୧୩ ଥର, ଯୁବ ୧୩ ଥର କୁହାଯାଇଥିଲା |