ରାଉରକେଲା: ସର୍ବଦା ବିବାଦରେ ରହିଛି ରାଉରକେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ। କେତେବେଳେ ନିର୍ମାଣ ଶ୍ରମିକ ସହାୟତା ତ ଅନ୍ୟ କେତେବେଳେ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ଚଳୁ କରୁଥିବା ଅଭିଯୋଗ ହେଉଛି। ଏବେ ମୃତକ ଶ୍ରମିକଙ୍କ ନାଁରେ କାର୍ଡ ଇସ୍ୟୁ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି।
ଲାଠିକଟା ବଲାଣିର ରୁତୁରାଜ ନାୟକ। ପ୍ରାଣ ହରାଇଛନ୍ତି ଗତ ୨୦୨୨ ଜାନୁଆରି ୩୦ରେ। ହେଲେ ନିର୍ମାଣଶ୍ରମିକ କାର୍ଡ ଇସ୍ୟୁ ହୋଇଛି ୨୦୨୪ ଅକ୍ଟୋବର ୮ରେ। ଅର୍ଥାତ୍ ଦୁଇ ବର୍ଷ ପରେ ମୃତ ରୁତୁରାଜଙ୍କୁ ଦିଆଯାଉଛି ନିର୍ମାଣ ଶ୍ରମିକ କାର୍ଡ। ଏତିକି ନୁହେଁ, ମୃତ୍ୟୁକାଳୀନ ସହାୟତା ହଡ଼ପ କରିବାକୁ ତାଙ୍କ ନାଁରେ ପୁଣି ୨୦୨୪ ଡିସେମ୍ବର ୫ରେ ନକଲି ମୃତ୍ୟୁ ପ୍ରମାଣପତ୍ର ବାହାର କରାଯାଉଛି। ସେମିତି ଆଉ ଜଣେ ହେଲେ ଲାଠିକଟା ବ୍ଲକ୍ ଗର୍ଜନ ଗ୍ରାମର ଗୋପାଳ କିସାନ। ତାଙ୍କର ମୃତ୍ୟୁ ହୋଇଛି ୨୦୨୩ରେ। ଏଠି ମଧ୍ୟ ମୃତ୍ୟୁକାଳୀନ ସହାୟତା ହଡ଼ପ କରିବାକୁ ଗୋପାଳଙ୍କୁ ତିନି ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୯ ଡିସେମ୍ବର ୧୪ରେ ମାରି ଦିଆଯାଇଛି। ଅର୍ଥାତ୍ ତାଙ୍କ ନାଁରେ ନକଲି ମୃତ୍ୟୁପ୍ରମାଣ ପତ୍ର ବାହାର କରି ଶ୍ରମ କାର୍ଯ୍ୟାଳୟରେ ଆବେଦନ କରାଯାଇଛି। ଆଶ୍ଚର୍ଯ୍ୟ କଥା, ଅର୍ଥ ଲୋଭରେ ବିନା ଯାଞ୍ଚରେ ବିଭାଗୀୟ ଅଧିକାରୀ ଗତ ୨୦୨୫ ଜାନୁଆରି ୧୩ରେ ତାଙ୍କ ଆବେଦନଙ୍କୁ ମଞ୍ଜୁର କରିଦେଇଛନ୍ତି।
ନିର୍ମାଣ ଶ୍ରମିକମାନଙ୍କୁ ମିଳୁଥିବା ଥିବା ଲକ୍ଷ ଲକ୍ଷ ଟଙ୍କାର ସହାୟତାକୁ ହଡ଼ପ କରିବାକୁ ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟରେ ଏକ ରାକେଟ୍ ଚାଲିଛି। ବିଧିବଦ୍ଧ ତଦନ୍ତ ହେଲେ ବଡ଼ଧରଣର ଦୁର୍ନୀତି ପଦାକୁ ଆସିପାରନ୍ତା। ଜିଲ୍ଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜ କହିଛନ୍ତି, ଏଭଳି ତ୍ରୁଟି ହେବା କଥା ନୁହେଁ। ସହାୟତା ଅର୍ଥ ଦେବାରୁ ଆବଶ୍ୟକ କାଗଜପତ୍ର ସଠିକ୍ ଭାବେ ଯାଞ୍ଚ କରିବାକୁ କର୍ମଚାରୀମାନଙ୍କୁ ତାଗିଦ୍ କରାଯାଇଛି। ଯଦି ଏଭଳି ତ୍ରୁଟି ହୋଇଥିବ ତେବେ ଏହାର ତଦନ୍ତ କରି ବିଭାଗୀୟ ଅଧିକାରୀ ଓ ଶ୍ରମିକ ନେତାଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ରୁତୁରାଜ ଓ ଗୋପାଳଙ୍କ ଫାଇଲ ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଞ୍ଜୁର ଅପେକ୍ଷା ରହିଛି। ଗୋପାଳ ଓ ରୁତୁରାଜ ନୁହନ୍ତି ରାଉରକେଲା ଶ୍ରମ କାର୍ଯ୍ୟାଳୟରେ ବିଗତ ଦିନରେ ଏମିତି ଅନେକ ଦୁର୍ନୀତି ସାମ୍ନାକୁ ଆସିଛି। ତଦନ୍ତ ପରେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। ମୋଟା ଅଙ୍କର ଅର୍ଥ ପାଇବା ଲୋଭରେ ଉଭୟ ଶ୍ରମିକ ସଙ୍ଗଠନ ନେତା ଓ ଶ୍ରମ କାର୍ଯ୍ୟାଳୟର ଅଧିକାରୀମାନେ ଏଭଳି ଗୋଟିଏ ପରେ ଗୋଟିଏ ଭୁଲ୍ କରିଚାଲିଛନ୍ତି। ସୁନ୍ଦରଗଡ଼ରେ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ସହାୟତା ଦେବା ନାଁରେ କିଛି ନିର୍ମାଣ ଶ୍ରମିକ ସଙ୍ଗଠନ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସହାୟତା କରୁଛନ୍ତି ଜିଲ୍ଳା ଶ୍ରମ କାର୍ଯ୍ୟାଳୟର କିଛି କରିତକର୍ମା ଅଧିକାରୀ। ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨ ଲକ୍ଷ ୫ ହଜାର ଟଙ୍କା ସହାୟତା ମିଳୁଛି। ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ, ବିବାହକାଳୀନ ସହାୟତା ମଧ୍ୟ ଦିଆଯାଉଛି। ଏସବୁ ବାବଦରେ ମିଳୁଥିବା ଟଙ୍କାକୁ ଉଭୟ ଅଧିକାରୀ ଓ କିଛି ଶ୍ରମିକସଙ୍ଗଠନ ନେତା ଚଳୁ କରିବାକୁ ଏଭଳି ପନ୍ଥାମାନ ଆପାଣଉଛନ୍ତି।