ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମ୍ୱାର୍କ୍ (ଏନ୍ଆଇଆର୍ଏଫ୍)-୨୦୨୫ରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)। ଅନୁଷ୍ଠାନ ଚଳିତବର୍ଷ ଇଞ୍ଜିନିଅରିଂ ବର୍ଗରେ ୧୩ତମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ତାଲିକାରେ ଅନୁଷ୍ଠାନ ୧୯ତମ ସ୍ଥାନରେ ରହିଥିଲା। ଏତଦ୍ବ୍ୟତୀତ ଅନୁଷ୍ଠାନ ସ୍ଥାପତ୍ୟ ଏବଂ ଯୋଜନା ବର୍ଗରେ ୭ମ, ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍ଡିଜିଏସ୍)ରେ ୯ମ, ଗବେଷଣାରେ ୩୦ ଓ ସାମଗ୍ରିକ ବର୍ଗରେ ୩୪ତମ ସ୍ଥାନରେ ରହିଛି ଉଲ୍ଲେଖଯୋଗ୍ୟ, ଏହି ଅନୁଷ୍ଠାନ ଇଞ୍ଜିନିଅରିଂ ବର୍ଗରେ ଦେଶର ଅନ୍ୟାନ୍ୟ ଏନ୍ଆଇଟି ତୁଳନାରେ ଦ୍ବିତୀୟ ଓ ଓଡ଼ିଶାର ପ୍ରଥମ ସ୍ଥାନରେ ରହିଛି।
ସ୍ଥାପତ୍ୟ ଏବଂ ଯୋଜନା ବର୍ଗରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛି। ନିରନ୍ତର ବିକାଶ ଲକ୍ଷ୍ୟ ବର୍ଗରେ ଏଡି ଅନୁଷ୍ଠାନ ହେଉଛି ଏକମାତ୍ର ଏନ୍ଆଇଟି ଓ ରାଜ୍ୟର ଏକମାତ୍ର ପ୍ରତିଷ୍ଠାନ ଯାହା ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ୧୦ ଭିତରେ ରହିଛି। ଏହାସହ ଓଡ଼ିଶାର ଶ୍ରେଷ୍ଠ ଅନୁଷ୍ଠାନ, ଗବେଷଣା କ୍ଷେତ୍ରରେ ଦେଶର ଅନ୍ୟ ଏନ୍ଆଇଟି ତୁଳନାରେ ଶୀର୍ଷରେ ରହିଛି। ଏନେଇ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, ଏହାହେଉଛି ଅନୁଷ୍ଠାନର ଅଧ୍ୟାପକଅଧ୍ୟାପିକା, ଗବେଷକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସାମୂହିକ ସମର୍ପଣ ମାଧ୍ୟମରେ ହାସଲ ହୋଇଥିବା ଏକ ଅସାଧାରଣ ସଫଳତା।
ସମସ୍ତ ବର୍ଗରେ ଏଥର ଉନ୍ନତ ସ୍ଥାନ ହାସଲ କରିଛି। ଜାତୀୟସ୍ତରରେ ଏହି ଅନୁଷ୍ଠାନ ଇଞ୍ଜିନିୟରିଂ ଶିକ୍ଷା ସମେତ ଗବେଷଣା, ନବସୃଜନ, ସାମାଜିକ ପ୍ରଭାବ ତଥା ସାମଗ୍ରିକ ଅଭିବୃଦ୍ଧିରେ ନିଜର ସ୍ଥିତିକୁ ମଜବୁତ କରିଛି। ଗବେଷଣାକୁ ଆହୁରି ବ୍ୟାପିକ କରିବାସହ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବା, ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଓ ଶିଳ୍ପ ପ୍ରତିନିଧିଙ୍କ ସହ ସହଯୋଗ ବିସ୍ତାର ପ୍ରକ୍ରିୟା ଅବ୍ୟାହତ ରହିବ।