ମାଲକାନଗିରି: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ତରଫରୁ କୁହାଯାଇଛି ଯେ ପ୍ରାୟ ସମସ୍ତ ଜିଲ୍ଲାରେ ଭିକ୍ଷୁକ ରହିଥିବା ବେଳେ ସେମାନଙ୍କ ପାଇଁ ଥଇଥାନ କେନ୍ଦ୍ରର ବ୍ୟବସ୍ଥା କରାଯିବା ନେଇ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ରାଜ୍ୟର ପ୍ରଥମ ଜିଲ୍ଲା ମାଲକାନଗିରି ଯେଉଁଠି ଆଜି ବି ଜଣେ ଭିକ୍ଷୁକ ନାହିଁ ବୋଲି ରାଜ୍ୟ ସାମାଜିକ ଓ ସୁରକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଛନ୍ତି।ମାଲକାନଗିରି ଜିଲ୍ଲା ଅତ୍ୟନ୍ତ ଅନୁନ୍ନତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଉପାନ୍ତ ଜିଲ୍ଲାରେ ଲୋକେ ପରିଶ୍ରମ କରି ଦୁଇ ବେଳା ଖାଦ୍ୟ ଯୋଗାଡ କରିପାରୁଛନ୍ତି। କିନ୍ତୁ ଭିକ୍ଷା ବୃତ୍ତି କରି ଚଳୁନଥିବା ଦେଖିବାକୁ ମିଳିଛି।

Advertisment

ମାଲକାନଗିରି ସହର ସମେତ ଜିଲ୍ଲାର ଅନ୍ୟ ବ୍ଲକଗୁଡିକରେ ମଧ୍ୟ ଭିକ୍ଷୁକ ଏକ ପ୍ରକାର ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକାଳ ପାଇଲେ ଅନ୍ୟ ଜିଲ୍ଲାରେ ଭିକ୍ଷୁକମାନଙ୍କର ଲମ୍ବାଧାଡି ଘରେ ଘରେ ପହଞ୍ଚିଯାଇଥାନ୍ତି। ମାଲକାନଗିରିରେ କିନ୍ତୁ ଜଣେ ଭିକ୍ଷୁକ କେବେ ମଧ୍ୟ ଘର ଦାଣ୍ଡରେ ଛିଡା ହୋଇ ଭିକ୍ଷା ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିବ ନାହିଁ। ଜିଲ୍ଲାର ସାମାଜିକ ସୁରକ୍ଷା ବିଭାଗ ଜିଲ୍ଲାର ସମସ୍ତ ବ୍ଲକରେ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ପ୍ରକାଶ କରିଛନ୍ତି।

ଜିଲ୍ଲାରେ କେବଳ କିଛି ପାଗଳଙ୍କୁ ଦେଖିବାକୁ ମିଳେ। ସେମାନେ ଭିକ୍ଷା ମାଗନ୍ତି ନାହଁ। କେବଳ ବୁଲି ବୁଲି କିଏ ଦେଲେ କିଛି ଖାଆନ୍ତି ନଚେତ ସେଭଳି ବୁଲୁଥାନ୍ତି। ଭିକ୍ଷା ବୃତ୍ତି କରି ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ଜିଲ୍ଲାରେ ନଥିବାରୁ ଏଠାରେ ଭିକ୍ଷୁକ ଥଇଥାନ କେନ୍ଦ୍ର କରାଯିବ ନାହିଁ ବୋଲି ଜଣାପଡିଛି। ଯାହା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି। ଜିଲ୍ଲାରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ଗରିବ ଲୋକେ ବସବାସ କରନ୍ତି। କିନ୍ତୁ କେହି ମଧ୍ୟ ବାରଦ୍ବାର ବୁଲି ଭିକ ମାଗନ୍ତି ନାହିଁ।ନିଜର ସ୍ବଳ୍ପ ଜମିରେ କିମ୍ବା କାମ କରି ନିଜର ପରିବାରର ପ୍ରତିପୋଷଣ କରନ୍ତି।ଏଥିପାଇଁ ଜିଲ୍ଲା ୩୦ ନମ୍ବର ହେଲେ ମଧ୍ୟ ଏହି ଘଟଣା ପାଇଁ ଏକ ନମ୍ବର ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।