ରାଉରକେଲା: ସୁନ୍ଦରଗଡ଼ର ଜିଲ୍ଲାରେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ଆଣ୍ଠେଇଛି। ଜିଲ୍ଲାର ପ୍ରାୟ ୬୦%ରୁ ଅଧିକ ‌ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଡାକ୍ତର ଥିଲେ, କର୍ମଚାରୀ ନାହାନ୍ତି। ନର୍ସିଂ ଅଧିକାରୀ ଥିଲେ, ଡାକ୍ତର ଓ ଫାର୍ମାସିଷ୍ଟ ନାହାନ୍ତି। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଗ୍ରାମାଞ୍ଚଳର ପିଏଚ୍‌ସି ଓ ସିଏଚ୍‌ସିରେ ସମାନ ଚିତ୍ର। ଗତ ସରକାର ସମୟରେ ଯଦିଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଭୂତ୍ତିଭୂମି ସୁଧୁରିଛି। ହେଲେ ଡାକ୍ତର ନଥିବାରୁ ରୋଗୀ ଫେରୁଛନ୍ତି।  ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ପାଣି ବୋହିଲା ପରି ସ୍ବାସ୍ଥ୍ୟସେବା ବିକାଶରେ ଖର୍ଚ୍ଚ କରାଯାଉଛି ବୋଲି କହାଯାଉଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା। ସୁନ୍ଦରଗଡ଼ରେ ୧୭ ବ୍ଲକ୍‌ରେ ୧୭ଟି ସିଏଚ୍‌ସି ଓ ୬୦ଟି ପିଏଚ୍‌ସି ରହିଛି। ଉଭୟ ସିଏଚ୍‌ସି ଓ ପିଏଚ୍‌ସି ୬୯୯ରୁ ଅଧିକ ନର୍ସିଂ ଅଧିକାରୀ ଆବଶ୍ୟକ ଥିବାବେଳେ ପ୍ରାୟ ୫୦% ନର୍ସିଂ ଅଧିକାରୀ ଅଛନ୍ତି।

Advertisment

ବର୍ଷ ବର୍ଷ ଧରି ଅବଶିଷ୍ଟ ୫୦% ଖାଲି ପଡ଼ିଥିଲେ ହେଁ ପୂରଣ ହେଉନି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୬୫ ନର୍ସିଂ ଅଧିକାରୀ ପଦବି ଖାଲି ପଡ଼ିଛି। ସଂଧ୍ୟା ହେଲେ ଉପାନ୍ତ ବ୍ଲକରେ ପିଏଚ୍‌ସି ଓ ସିଏଚ୍‌ସିରେ ତାଲା ଝୁଲୁଛି। ଗତ ସରକାର ସମୟରେ ଖାଲି ପଡ଼ିଥିବା ନର୍ସିଂ ଅଧିକାରୀ ପୂରଣ ହେବ କହାଯାଇଥିଲା। ହେଲେ ଏଯାଏ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲାନି। ଏବେ ରାଜ୍ୟରେ ନୂଆ ସରକାର ଦାୟିତ୍ବ ନେଇଛନ୍ତି। ସ୍ଥିତି ସୁଧୁରିବ ବୋଲି ଗ୍ରାମାଞ୍ଚଳ ଲୋକ ଆଶା ରଖିଛନ୍ତି। ସରକାରଙ୍କୁ ଏକ  ବର୍ଷ ବିତିଯାଇଥିଲେ ହେଁ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବିଗୁଡୁଛି। ସ୍ଥାନୀୟ ଜନପ୍ରତିନିଧିମାନେ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଜିଲ୍ଲାର ଗୁରୁଣ୍ଡିଆ, କୋଇଡା, ନୂଆଗାଁ, ହେମଗିରି, ଟାଙ୍ଗରପାଲି, ବାଲିଶଙ୍କରା, ଲହୁଣିପଡ଼ା, ବିଶ୍ରା, କୁଆରମୁଣ୍ଡା ଆଦି ବ୍ଲକ୍‌ରେ ଥିବା ସିଏଚ୍‌ସି ଓ ପିଏଚ୍‌ସିର ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି।

 କେତେକ ପିଏଚ୍‌ସି ଓ ସିଏଚ୍‌ସିରେ ଫାର୍ସା‌ସିଷ୍ଟମାନେ ରୋଗୀ ଦେଖୁଛନ୍ତି। ବିକଳ୍ପ ବ୍ୟବସ୍ଥା ନଥିବାରୁ ଏସବୁ ଅଞ୍ଚଳର ଦୈନିକ ଶତାଧିକ ରୋଗୀ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ ଆର୍‌ଜିଏଚ୍‌କୁ ଆସିବାକୁ ବାଧ୍ୟ ହେଉଛନ୍ତି। ଆର୍‌ଜିଏଚ୍‌ରେ ଆବଶ୍ୟକ ଶଯ୍ୟା ନଥିବାରୁ ଦୈନନ୍ଦିନ ୫୦ରୁ ଅଧିକ ରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସା ହେଉଛନ୍ତି। ବର୍ଷା ଦିନେ ସ୍ଥିତି ଆହୁରି ସଙ୍ଗିନ ହୋଇପଡୁଛି। ​ସେଭଳି କୌଣସି ବିଶେଷ ବ୍ୟବସ୍ଥା ନଥିବାରୁ ରୋଗୀଟିଏ ଆସିଲେ, ତାଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଉଛି। ଅନ୍ୟପଟେ ଗ୍ରାମାଞ୍ଚଳର ସରକାରୀ ଡାକ୍ତରଖାନାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଭରପୂର ଫାଇଦା ଉଠାଉଛନ୍ତି ବେଆଇନ କ୍ଲିନିକ୍‌। କ୍ବାକ୍‌ମାନେ ରୋଗୀ ଓ ତାଙ୍କ ସମ୍ପର୍କୀୟକୁ ଚିକିତ୍ସା ଆଳରେ ଲୁଟୁଛନ୍ତି। ରୋଗୀମାନଙ୍କ ଜୀବନ ସହ ଖେଳ ଖେଳୁ ଥିଲେ ହେଁ ଏମାନଙ୍କ ବିରୋଧରେ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ‌ନେଉନାହାନ୍ତି।