ଭୁବନେଶ୍ୱର: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା, ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ। ସେ କହିଛନ୍ତି ଯେ ଆଜି ମୁଣ୍ଡଳି ଠାରେ ୪.୪୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏଠାରେ ଜଳ ପ୍ରବାହ ଏବେ ସ୍ଥିର ଅଛି। ଆଗକୁ ଏହା ଆହୁରି କମିଯିବ। ଖୋଲାଯାଇଥିବା ୨୦ଟି ଗେଟ୍ ରୁ ଏବେ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଛି।
୧୬ ଗେଟ୍ ଖୋଲା ଅଛି। ମୟୂରଭଞ୍ଜ ଜିଲ୍ଲାରେ କିଛି ମାତ୍ରାରେ ବର୍ଷା ହୋଇଛି। ସୁବର୍ଣ୍ଣରେଖାରେ ଜଳସ୍ତର ବଢି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି। ହେଲେ ବିପଦ ସଂକେତ ଟପିବ ନାହିଁ। ଝାଡ଼ଖଣ୍ଡର ଅର୍ଦ୍ଧନିର୍ମିତ ଚାନ୍ଦିଲି ଡ୍ୟାମ ଯୋଗୁଁ ପାଣି ଓଡ଼ିଶା ଆସୁଛି। ବ୍ରାହ୍ମଣୀରେ ରେଙ୍ଗାଲିଠାରେ ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବୈତରଣୀ ଆଖୁଆପଦାରେ ସତର୍କ ସଂକେତରେ ଅଛି, ହେଲେ ବନ୍ୟା ନାହିଁ।