ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନଠାରୁ ମାତ୍ର ୪୦୦ ମିଟର ଦୂର ଇଚିଣ୍ଡାଠାରେ ଥିବା ରେଳ ଫାଟକ ଏବେ ମରଣଯନ୍ତାରେ ପରିଣତ ହୋଇଛି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ବଜାରଠାରୁ ଠାରୁ ପୌରପରିଷଦର ଇଚିଣ୍ଡା ଯିବା ବାଟରେ ପଡେ ଏହି ରେଳ ଫାଟକ । ତେବେ ଏହି ଫାଟକ ଦେଇ ଦୈନିକ ୪ଟି ମେମୁ ଟ୍ରେନ ଯିବା ଆସିବା କରିଥାଏ, ତା ସହିତ ପ୍ରତ୍ୟେକ ଦିନ ଏହି ଫାଟକ ଦେଇ ଲୁହା ପଥର ପରିବହନ ପାଇଁ ୱାଗନ ମଧ୍ୟ ଯିବା ଆସିବା କରିଥାଏ ।
ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ବଡି ଭୋରରୁ ବିଳମ୍ବିତ ରାତ୍ରୀ ଯାଏଁ ସାଇକେଲ,ବାଇକ, ଚାରି ଚକିଆ ଯାନ, ବିଶେଷ କରି ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧା ନିଜ ଜୀବନକୁ ବିପନ୍ନ କରି ଯିବା ଆସିବା କରିଥାନ୍ତି, କାରଣ ଏହି ଫାଟକ ଜଗୁଆଳୀ ବିହୀନ ଓ ଲେଭଲ କ୍ରସିଂଟି ମଧ୍ୟ ମୁକୁଳା ହୋଇ ରହିଛି । ପଥଚାରୀଙ୍କ ନିରାପତ୍ତା ପ୍ରତି ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ରେଳ ଡିଭିଜନ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନ ଥିବାରୁ ଅତୀତରେ ଏହି ସ୍ଥାନରେ ଅନେକ ଛୋଟ ବଡ ଦୁର୍ଘଟଣା ଘଟି ଲୋକ ଓ ଜୀବଜନ୍ତୁଙ୍କ ଜୀବନ ବିପନ୍ନ ହୋଇଛି ।
ଭବିଷ୍ୟତରେ ବଡ ଧରଣର ଦୁର୍ଘଟଣାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ତେବେ ବର୍ତ୍ତମାନ ବାଦାମପାହାଡ-ସାଲିମାର ଓ ବାଦାମପାହାଡ-ରାଉରକେଲା ନିମନ୍ତେ ୩ଟି ନୂତନ ଏକ୍ସପ୍ରେସ ଟ୍ରେନ ସହିତ ଅନ୍ୟ ୪ଟି ମେମୁ ଟ୍ରେନ ଚଳାଚଳ କରୁଛି । ଫଳରେ ଉକ୍ତ ରେଳ ରୁଟ୍ ଅଧିକ ବିପଦଜନକ ଅବସ୍ଥାରେ ରହିଛି ।
ଏଣୁ ଯଥାଶୀଘ୍ର ଉକ୍ତ ରେଳ ଫାଟକରେ ଜଗୁଆଳୀ ରଖାଯାଉ ନଚେତ ଓଭର୍ ବ୍ରିଜ୍ ନିର୍ମାଣ ହେଲେ ପଥଚାରୀମାନେ ଯିବା ଆସିବାରେ ବାଧା ସୃଷ୍ଟି ହେବ ନାହିଁ । ତେବେ ଉକ୍ତ ରେଳ ଫାଟକର ସୁବ୍ୟବସ୍ଥା କରିବା ପାଇଁ ଦ.ପୂ ଚକ୍ରଧରପୁର ରେଳ ଡିଭିଜନର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଷ କରି ଏହାର ଆଶୁ ସମାଧାନ କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ଦାବି କରିଛନ୍ତି । ସୂଚନଯୋଗ୍ୟ ଯେ ଅମୃତ ଭାରତ ଯୋଜନାରେ ରାଇରଙ୍ଗପୁର ରେଳ ଷ୍ଟେସନ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।