ରାଉରକେଲା: ବିସ୍ଥାପିତ ହେବାର ୭ ଦଶନ୍ଧି ବିତିଲାଣି। ତେବେ ଜମିଅଧିଗ୍ରହଣବେଳେ ଯେଉଁ ସ୍ବପ୍ନ ଦେଖାଇଥିଲେ, ତାକୁ ପୂରଣ କରାଯାଉନି। ଇତିମଧ୍ୟରେ ଆର୍ଏସ୍ପି ବିସ୍ଥାପିତ ଏକାଧିକବାର ବିକ୍ଷୋଭ, ଗଣଧାରଣା, ରେଳରୋକ କରିଛନ୍ତି। ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭକରି ଜାତୀୟ ଅନୁସୂଚିତ ଜନଜାତି କମିସନ(ଏନ୍ସିଏସ୍ଟି)ର ବି ଦ୍ବାରସ୍ଥ ହୋଇଛନ୍ତି, ତଥାପି ସେମାନଙ୍କ ଯନ୍ତ୍ରଣା କମିବାର ନାଁ ନେଉନି। ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଗତ ଦିନରେ ଏନ୍ସିଏସ୍ଟି କମିସନ ନିର୍ଦ୍ଦେଶ ବି ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶାନାମାର ଅନୁପାଳନ କରାଯାଉନି। ଏନ୍ସିଏସ୍ଟି ସଦସ୍ୟ ଜାତୋୟୁ ହୁସୈନ ଦୁଇଦିନିଆ ରାଉରକେଲା ଗସ୍ତରେ ଆସିଥିବାବେଳେ ବିସ୍ଥାପିତ ସଂଘ ନେତାମାନେ ସମାନ ଦାବି ଦୋହରାଇଥିଲେ। ଏଥର ବି ସେମାନଙ୍କୁ ଆଶ୍ବାସନା ଓ ପ୍ରତିଶ୍ରୁତି ମିଳିଛି। ତେବେ ଏଥର ଦାବି ପୂରଣ ହେବ ନା ଚିରାଚରିତ ଅଣଦେଖା ଜାରିରହିବ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟିକରିଛି।
ରାଉରକେଲା ହାଉସ୍ଠାରେ ବିଭିନ୍ନ ବିସ୍ଥାପିତ ସଂଘ ନେତା ସାକ୍ଷାତଆଲୋଚନା କରିଥିଲେ। ଇସ୍ପାତ କାରଖାନା ଓ ମନ୍ଦିରା ଡ୍ୟାମ ପାଇଁ ପାଖାପାଖି ୩୨ ହଜାର ଏକର ଚାଷଜମି ଅଧିଗ୍ରହଣ କରାଯାଇଥିଲା। ଆର୍ଏସ୍ପି ପାଇଁ ୨୯୦୧ ପରିବାର ଓ ମନ୍ଦିରା ଡ୍ୟାମ ପାଇଁ ୧୧୯୩ ପରିବାର, ମୋଟ୍ ୪୦୯୪ଟି ମୂଳ ଆଦିବାସୀ ପରିବାର ବାସଚ୍ୟୁତ ହୋଇଥିଲେ। କିଛି ବିସ୍ଥାପିତଙ୍କୁ ରାଉରକେଲା ଆଖପାଖ ଅଞ୍ଚଳରେ ଥଇଥାନ କରାଯାଇଥିବାବେଳେ କିଛି ଲୋକଙ୍କୁ ପ୍ରାୟ ଦେଢ ଶହ କିଲୋମିଟର ଦୂରରେ ଅଣଚାଷ ଜମି ଦେଇ ଥଇଥାନ କରାଯାଇଥିଲା। ଅଧିଗ୍ରହଣ ସମୟରେ ପ୍ରତିଶ୍ରୁତିରେ ପୋତିଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମୌଳିକ ସୁବିଧା, ଯଥା-ରାସ୍ତା, ପାଣି, ବିଜୁଳି ଆଦି ପାଇନଥିଲେ ବିସ୍ଥାପିତ। ଏମିତିକି ଥଇଥାନ ହୋଇଥିବା ବିସ୍ଥାପିତଙ୍କୁ ଏଯାଏ ଜମିର ପଟ୍ଟା ବି ଦିଆଯାଇନି। ଚଞ୍ଚକତାକରି ପୁନର୍ବସତି କଲୋନିରେ ବାହାରିଆ ଲୋକଙ୍କୁ ଥଇଥାନ ଦିଆଯାଉଥିବା ଅଭିଯୋଗ ହେବାସହ ମୂଳ ବିସ୍ଥାପିତଙ୍କୁ ନିଯୁକ୍ତି, ଅବ୍ୟବହୃତ ଜମିକୁ ଫେରସ୍ତ କରିବାକୁ ଦାବି ହେଉଛି। ଅବଶ୍ୟ, ଆର୍ଏସ୍ପି ପର୍ଯ୍ୟାୟକ୍ରମେ ୪୫୧୪.୬୨ ଏକର ଅବ୍ୟବହୃତ ଜମି ରାଜ୍ୟସରକାରଙ୍କୁ ଫେରସ୍ତ କରିଛି। ଯଦିଓ ଉକ୍ତ ଜମିରେ ଦକ୍ଷିଣପୂର୍ବ ରେଳବାଇର ମାର୍ଶାଲିଂ ୟାର୍ଡ୍, ଆଞ୍ଚିକ ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପନ, ବାସଗୃହ ପ୍ରକଳ୍ପ, ହସପିଟଲ, ରାସ୍ତା, ସ୍କୁଲ କଲେଜ ଆଦି ନିର୍ମାଣ କରାଯାଇଥିଲା, ତେବେ ଅର୍ଦ୍ଧାଧିକ ଜମିକୁ ବେସରକାରୀ ସଂସ୍ଥା, ବ୍ୟକ୍ତିଙ୍କୁ ଚଢାଦରରେ ବିକ୍ରି କରିଦିଆଯାଇଥିଲା। ଏମିତିକି କିଛି ଜମିକୁ ‘ଲ୍ୟାଣ୍ଡ୍ ବ୍ୟାଙ୍କ୍ ଯୋଜନା’ରେ ଇଡ୍କୋ ଅକ୍ତିଆର କରିନେଇଛି। ଜମି ବିକ୍ରି କରିଦେଲେ, କିନ୍ତୁ ବାସଚ୍ୟୁତ ମୂଳ ଆଦିବାସୀଙ୍କ ଭବିଷ୍ୟତ ଚିନ୍ତା କରିନଥିଲେ। ଚାକିରି ପ୍ରଦାନ କ୍ଷେତ୍ରରେ ମଧ୍ୟ ବିସ୍ଥାପିତଙ୍କୁ କ୍ରମାଗତ ଅବହେଳା କରାଯାଉଛି। ନିଯୁକ୍ତି ପାଇଁ ଦୁର୍ବାର ଆନ୍ଦୋଳନ ବି ଦେଖିବାକୁ ମିଳିଥିଲା।
୨୦୦୬ ମସିହାରେ ବିସ୍ଥାପିତ ସଂଘ ପକ୍ଷରୁ କୁକୁଡ଼ା ଗେଟ୍ରେ ୪୮ ଘଣ୍ଟାଧରି ରେଳ ରୋକ ଆନ୍ଦୋଳନ କରାଯିବାପରେ ଜିଲ୍ଲା ପ୍ରଶାସନ ଦାବିପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୨୦୦୭ ମସିହାରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏଥିରେ ମୋଟ୍ ୮୦୦୬ ଜଣ ଆବେଦନ କରିଥିବାବେଳେ ୧୭୯୫ ଜଣଙ୍କ ଆବେଦନପତ୍ର କାୟମ୍ ରହିଥିଲା। ପରେ ୨୦୦୯-୧୦ରେ ଜିଲ୍ଲା ପ୍ରଶାସନ ୧୬୩ଜଣଙ୍କୁ ଚୟନକରି ନିଯୁକ୍ତି ଦେବାକୁ ଆର୍ଏସ୍ପିକୁ ସୁପାରିସ କରିଥିଲା। ପ୍ରଶାସନର ସୁପାରିସକୁ ୧୫ ବର୍ଷ ବିତିସାରିଥିଲେ ମଧ୍ୟ ଏଯାଏ ନିଯୁକ୍ତି ଦିଆଯାଇନି। କ୍ରମାଗତ ଅବହେଳାର ଶିକାର ବିସ୍ଥାପିତ ସଂଘଗୁଡ଼ିକ ଦୁର୍ବାର ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ଆଗାମୀ ଦିନରେ ହେବାକୁଥିବା ଆର୍ଏସ୍ପିର ୩୦ ହଜାର କୋଟି ଟଙ୍କାର ସଂପ୍ରସାରଣ ପ୍ରକଳ୍ପ, ବିମାନବନ୍ଦର ସଂପ୍ରସାରଣ ପ୍ରକଳ୍ପକୁ ବିରୋଧ କରିବାକୁ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/12/PYU2FZck2aQcfkWQTkTb.jpg)