ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ : ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି

ଆକ୍ରାନ୍ତ: ୧,୨୫୧, ମୃତ: ୩୨, ଆରୋଗ୍ୟ: ୧୦୧

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ର ସୀମିତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟକୁ ଆଧାର କରି କେତେକ ଗଣମାଧ୍ୟମ ଏ ସଂକ୍ରାନ୍ତ ଖବର ପ୍ରକାଶ କରିବା ପରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ଏବଂ ଭାରତରେ ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଭାରତ ଏବେ ବି କରୋନା ଭାଇରସ ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ବା ସ୍ଥାନୀୟ ସଂକ୍ରମଣ ସ୍ତରରେ ରହିଛି ବୋଲି କୁହାଯାଇଛି।

ଭାରତରେ କେତେକ ସ୍ଥାନରେ କରୋନା ଭାଇରସ୍‌ର ଥାର୍ଡ ଷ୍ଟେଜ୍‌ ବା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଏହି ପର୍ଯ୍ୟାୟରେ ଜଣେ ସଂକ୍ରମିତ ବ୍ୟକ୍ତିର ସଂକ୍ରମଣ ଉତ୍ସ ଜଣାପଡ଼ି ନଥାଏ କିମ୍ବା ସଂକ୍ରମଣ ଶୃଙ୍ଖଳକୁ ଠାବ କରିବା ସମ୍ଭବ ହୋଇନଥାଏ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଶହରୁ ଅଧିକ ହୋଇଥିବା ବେଳେ ୩୨ ଜଣଙ୍କ ମୃତ୍ୟୁ ଘଟିଲାଣି। ଦେଶର କେତେକ ରାଜ୍ୟରେ ଏବେ ଗୋଷ୍ଠୀ ସଂକ୍ରମଣ ଅଂଚଳକୁ ଚିହ୍ନଟ କରାଗଲାଣି। ପ୍ରାୟ ୬ଟି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏବେ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ତାଳମେଳ ରଖି ଯୁଦ୍ଧସ୍ତରରେ ପଦକ୍ଷେପ ନେଇଛନ୍ତି ବୋଲି ଖବର ପ୍ରଚାରିତ ହୋଇଥିଲା।

ଗୋଷ୍ଠୀ ସଂକ୍ରମଣ ଯେଉଁ ସ୍ଥିତିରେ ଅଛି ସଂପୃକ୍ତ ଅଂଚଳରେ ସେହି ସ୍ଥିତିକୁ ଆଉ ବଦଳାଇ ହେବନାହିଁ। କେବଳ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଦ୍ବାରା ସଂକ୍ରମଣ ବ୍ୟାପିବାକୁ ରୋକି ହେବ ବୋଲି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ମତ ଦେଇଥିଲେ। ଆମେରିକାରେ ବିଗତ ୧୦ ଦିନ ମଧ୍ୟରେ ଯେଭଳି ଭୟାନକ ସ୍ଥିତି ଉପୁଜିଲା ଏବଂ ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପିଲା, ଭାରତରେ ମଧ୍ୟ ସେଭଳି ସ୍ଥିତି ଆଶଙ୍କା କରାଯାଉଛି।

ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହେବା ପୂର୍ବରୁ ଯେଉଁମାନେ ବିଦେଶରୁ ଭାରତକୁ ଫେରିଥିଲେ ସେମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାରେ ରଖିବାପାଇଁ ରାଜ୍ୟ ସରକାରମାନେ ଗ୍ରହଣ କରିଥିବା ପଦକ୍ଷେପ ପର୍ଯ୍ୟାପ୍ତ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଅନେକ ରାଜ୍ୟରେ ଏବାବଦ ଯାଞ୍ଚ ବ୍ୟବସ୍ଥାରେ ‌ବ୍ୟବଧାନ ବଢ଼ିଯାଇଛି ବୋଲି କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ନିକଟରେ ସତର୍କ କରାଇ ଦେଇଥିଲେ। ଯେତିକି ସଂଖ୍ୟକ ଅନ୍ତର୍ଜାତୀୟ ଯାତ୍ରୀ ଭାରତ ଫେରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏବେ ବି ନିରୀକ୍ଷଣ ବ୍ୟବସ୍ଥା ବାହାରେ ଅଛନ୍ତି। କେବଳ ବିଦେଶ ଫେରନ୍ତା ଯାତ୍ରୀଙ୍କ ଯୋଗୁଁ ଭାରତରେ କରୋନା ବ୍ୟାପିଥିବା ବେଳେ ଏହାକୁ ଯେଭଳି ଗମ୍ଭୀରତାର ସହ ଗ୍ରହଣ କରାଯିବା କଥା ତାହା ହୋଇନଥିଲା। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରାୟ ୧୫ ଲକ୍ଷ ଅନ୍ତର୍ଜାତୀୟ ଯାତ୍ରୀ ଆସିଥିଲେ ଏବଂ ସେଥିରୁ ଅର୍ଦ୍ଧାଧିକ ସରକାରୀ ରାଡାର୍‌ରେ ନାହାନ୍ତି।

ସମ୍ବନ୍ଧିତ ଖବର