କାମାକ୍ଷାନଗର,:ଦେଶ ତଥା ରାଜ୍ୟରେ ଏବେ ଚାଲିଛି ଡିଜିଟାଲ ସରକାର l ଗାଁ ଠାରୁ ସହର ସବୁଠାରେ ଡିଜିଟାଲ ଇଣ୍ଡିଆର ନାରା l କିନ୍ତୁ ବାସ୍ତବରେ ଆଜି ପର୍ଯ୍ୟନ୍ତ ଡିଜିଟାଲ ଇଣ୍ଡିଆ କେବଳ ଏକ ଡାଇଲଗରେ ସୀମିତ l ଆଜିବି ଗାଁ ଗହଳିର ଲୋକେ ପାଉନାହାନ୍ତି ମୋବାଇଲ ସେବା l ଯାହାକୁ ନେଇ କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତ l ବ୍ଲକ ସଦର ମହକୁମା ଠାରୁ  କୋଡିଏ କିଲୋମିଟର ଦୂର ଏହି ପଞ୍ଚାୟତ ବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ମୋବାଇଲ ସେବା l  ପାକଟମୁଣ୍ଡା, ଗଣ୍ଡିଖୋଲ,  ପଥରଗଡ଼ , ବାମ ଆଦି ଗାଁକୁ ନେଇ ଗଠିତ ଏହି ପଞ୍ଚାୟତର ଲୋକମାନଙ୍କ ପାଇଁ ଦିବାସ୍ବପ୍ନ ସାଜିଛି ମୋବାଇଲ ସେବା l ଏହି ପଞ୍ଚାୟତରେ ବସବାସ କରୁଥିବା ଲୋକମାନେ ଇଣ୍ଟରନେଟ ଓ ମୋବାଇଲ ସେବା ରୁ ବଞ୍ଚିତ ହେବା  ଫଳରେ କୌଣସି ସୁବିଧା, ଅସୁବିଧା, କିମ୍ବା ଅତ୍ୟାବଶ୍ୟକ ମେଡିକାଲ ସେବା ପାଇପାରୁନାହାନ୍ତି ଅଞ୍ଚଳବାସୀ l ଏହି ସବୁ ଗ୍ରାମରେ ଆଜି ପର୍ଯ୍ୟନ୍ତ କୌଣସି ମୋବାଇଲ ନେଟୱାର୍କ ଉପଲବ୍ଧ ନାହିଁ l ଘର ଭିତରେ ମୋବାଇଲ ନେଟୱାର୍କ ଆସୁନଥିବାରୁ ପାହାଡ଼, ଜଙ୍ଗଲ ଓ ବଡ଼ ଗଛରେ ଚଢି ମୋବାଇଲ ରେ କଥା ହେଉଛନ୍ତି ଲୋକେ l ଯାହା ଫଳରେ ଆବଶ୍ୟକ ସମୟରେ ମୋବାଇଲ ସେବା ରୁ ବଞ୍ଚିତ ହେଉଛନ୍ତି ଏହି ଅଞ୍ଚଳର ଗ୍ରାମବାସୀ l

Advertisment

ଯାହା ଫଳରେ ଖରା, ବର୍ଷା ଓ ଶୀତ ଦିନରେ ଅନେକ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ l ଗାଁର ବିଦ୍ୟାଳୟଗୁଡିକରେ ପାଠ ପଢ଼ୁଥିବା ପିଲାମାନେ ମୋବାଇଲ ମାଧ୍ୟମରେ ପାଠ ପଢ଼ୁଥିବା ବେଳେ ନେଟୱାର୍କ  ଅଭାବରୁ ବିଭିନ୍ନ ପାଠ୍ୟକ୍ରମ ଓ ସରକାରୀ ସୂଚନାରୁ ବଞ୍ଚିତ ହେଉଛନ୍ତି l ସରକାରଙ୍କ ତରଫରୁ ବିଦ୍ୟାଳୟକୁ ମିଳିଥିବା ଟାଵଲେଟ ମଧ୍ୟ ଅଚଳ ହୋଇ ପଡ଼ିରହିଛି l ଫଳରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ପରିକି ବିଦ୍ୟାଳୟ ସମ୍ବନ୍ଧିତ ତଥା କୌଣସି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପାଇବାରେ ଅସୁବିଧା ହେଉଥିବା କହିଛନ୍ତି ସ୍ଥାନୀୟ ଶିକ୍ଷକ ଗଗନ ବିହାରୀ ସିଂହ ।

ବାମ ପଞ୍ଚାୟତରେ ମୋବାଇଲ ସେବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଟାୱାର ନାହିଁ l ଯାହା ଫଳରେ ଏହି ପଞ୍ଚାୟତ ଅଧୀନରେ ବାସ କରୁଥିବା ବାସିନ୍ଦା ମାନେ ମୋବାଇଲ ସେବା ପାଇବା ପାଇଁ ପ୍ରାୟ ୬ ରୁ ୭ କିଲୋମିଟର ଦୂର ରେ ଥିବା ଝିଲି ପଞ୍ଚାୟତ କିମ୍ବା ଡୋଲିଆ ଉପରେ ନିର୍ଭର କରନ୍ତି l ମୋବାଇଲ ଠିକ ସମୟରେ ନେଟୱାର୍କ ନଥିବାରୁ କୌଣସି ସୁବିଧା, ଅସୁବିଧା ହେଲେ ନିଜେ ତଥା ନିଜ ପରିଜନ ଙ୍କୁ ଜଣାଇବାରେ ଅସମର୍ଥ ଗ୍ରାମବାସୀ l ଯାହା ଫଳରେ ଗାଁ ଲୋକ ୧୦୮ ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ଅଗ୍ନିଶମ ସେବା, ଥାନା, ଇତ୍ୟାଦି ଆବଶ୍ୟକ ଅନୁଷ୍ଠାନ ର ସେବାରୁ ବଞ୍ଚିତ ହେଉଛନ୍ତି l ଗାଁ ର ପ୍ରାୟ ଲୋକ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମୋବାଇଲ ସେବା ପାଇବା ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାରେ ଅସମର୍ଥ l ମୋବାଇଲ ସେବା ପାଇବା ପାଇଁ  ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରିନାହିଁ l ଯାହା ଫଳରେ ଆଜିର ଡିଜିଟାଲ ଇଣ୍ଡିଆ ସହ ଏମାନଙ୍କ କୌଣସି ସମ୍ପର୍କ ନଥିବା ମନେ ହୁଏ l  ସରକାରୀ ସ୍ତରରେ ମୋବାଇଲ ସେବା ପାଇବା ନେଇ ଆଶାବାଦୀ ୩୦୦୦ରୁ ଉର୍ଦ୍ଧ୍ବ ଅଞ୍ଚଳବାସୀ l ତେବେ ବାମ ପଞ୍ଚାୟତରେ ତୁରନ୍ତ ସରକାର ଓ ପ୍ରଶାସନ ତରଫରୁ ଟାୱାର ବସାଇବା ନେଇ ସ୍ଥାନୀୟ ସରପଞ୍ଚ ଫକୀର ଚରମ ମହାନ୍ତ ଅନୁରୋଧ କରିଛନ୍ତି l