ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ତେଜିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନ। ମାଲକାନଗିରି ଜିଲ୍ଲାରେ ପ୍ରାଥମିକ ଶିକ୍ଷକମାନଙ୍କ ଚାକିରି ପାଇଁ ପୂର୍ବରୁ ଚୁକ୍ତି ସ୍ଵାକ୍ଷର କରିଥିବାବେଳେ ଆଜି ନିଯୁକ୍ତି ପାଇଥିବା ସ୍କୁଲଗୁଡିକରେ ଶିକ୍ଷକମାନେ ଚାକିରିରେ ଯୋଗ ଦେବାକୁ ଆସିଥିବାବେଳେ ମାଲକାନଗିରି ଜିଲ୍ଲାରେ ଘୋର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସବୁ ସ୍କୁଲଗୁଡିକ ସମ୍ମୁଖରେ ସ୍ଥାନୀୟ ଲୋକ ଜଗି ରହିଥିବାବେଳେ ଚାକିରିରେ ଯୋଗ ଦେବାକୁ ଆସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଘଉଡ଼ାଇ ଦେଇଥିଲେ।ମାର୍କପଲ୍ଲୀ ପଂଚାୟତର ପୂଜାରିଗୁଡା ପ୍ରାଥମିକ ସ୍କୁଲରେ ଉତ୍ତେଜନା ହେଉଥିବା ନେଇ ସେଠାରେ ପହଞ୍ଚିଲାବେଳକୁ ସ୍ଥାନୀୟ ଲୋକେ ସ୍କୁଲ ସମ୍ମୁଖରେ ଜଗି ରହିଥିଲେ।
ଏଠି ଜଣେ ଶିକ୍ଷୟତ୍ରୀ ଯୋଗ ଦେବାକୁ ଆସିଥିବାବେଳେ ସ୍ଥାନୀୟ ଲୋକ ବିରୋଧ କରିବା ଯୋଗୁଁ ସେ ଚାକିରିରେ ଯୋଗ ନଦେଇ ଫେରି ଚାଲିଯାଇଥିଲେ। ପୂଜାରିଗୁଡା ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ୪୮ ଜଣ ଛାତ୍ରଛାତ୍ରୀ ଥିବା ବେଳେ ରହିଛନ୍ତି ଜଣେ ମାତ୍ର ଶିକ୍ଷକ। କିଛିଦିନ ହେବ ଜିଲ୍ଲାଭିତ୍ତିକ ଚାକିରି ପାଇଁ ଆନ୍ଦୋଳନ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା।
କୌଣସି ପ୍ରକାରରେ ମଧ୍ୟ ବାହାର ଜିଲ୍ଲାର ଯୁବକଯୁବତୀମାନଙ୍କୁ ଚାକିରିରେ ଯୋଗ ଦେବା ପାଇଁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକ ଜିଦରେ ଅଟଳ ରହିଛନ୍ତି। କେବଳ ପୂଜାରିଗୁଡା ନୁହେଁ ଜିଲ୍ଲାରେ ୫ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ନିଜ ସ୍କୁଲଗୁଡିକରେ ଯୋଗ ଦେବାକୁ ଯାଇଥିବାବେଳେ ସେଠାରେ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ତେବେ ଏନେଇ ପ୍ରଶାସନ ତରଫରୁ କୌଣସି ଉତ୍ତର ମିଳିନାହିଁ।