ମାଲକାନଗିରି: ଆଜି ପାଇଖାନା ଦିବସ। ପ୍ରତିବର୍ଷ ୧୯ ନଭେମ୍ବରକୁ ପାଇଖାନା ଦିବସ ରୂପେ ସାରା ଦେଶରେ ପାଳନ କରାଯାଉଛି।ତେବେ ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ସରକାରଙ୍କର ଏହି ଯୋଜନା ସଂପୂର୍ଣ୍ଣ ଫେଲ ହୋଇଛି। ଜିଲ୍ଲାର ସାତୋଟି ବ୍ଲକରେ ପ୍ରାୟ ୧ ଲକ୍ଷ ୨୮ ହଜାର ୪୯୬ ପାଇଖାନା ନିର୍ମାଣ ହୋଇଥିବା ବେଳେ ସେଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଠାରେ କୁହାଯାଇପାରେ ଯେ ସରକାରଙ୍କର କୋଟି କୋଟି ଟଂକା ପାଣିରେ ପଡିଲା। କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ବଚ୍ଛ ଭାରତ ଅଭିଯାନରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ ନେଇ ୨୦୧୪ ମସିହାରେ ଆଇଏଚଏଚଏଲ ଯୋଜନା ଆରମ୍ଭ କରିଥିଲେ। ପ୍ରତ୍ୟେକ ବିପିଏଲ,ଏପିଏଲ,ବିଧବା ସହ ସମସ୍ତ ଘରକୁ ଯେପରି ଏହି ଯୋଜନା ପହଞ୍ଚିବ ଏବଂ ଦେଶ ସ୍ବଚ୍ଛ ଭାରତ ଅଭିଯାନରେ ସଫଳ ହେବ। କିନ୍ତୁ ମାଲକାନଗିରିରେ ଏହା ସଂପୂର୍ଣ୍ଣ ବିଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଇଟି ପର୍ଯ୍ୟାୟରେ ଜିଲ୍ଲାକୁ ବ୍ୟକ୍ତିଗତ ଘରୋଇ ପାଇଖାନା ପ୍ରଦାନ କରାଯାଇଥିଲା।

Advertisment

ପ୍ରଥମେ ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଏବଂ ପରେ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନା ଚାଲିଛି।୨୦୨୦ ପରେ ଦ୍ବିତୀୟ ପର୍ଯ୍ୟୟରେ ସମସ୍ତ କମ୍ୟୁନିଟି ହଲ ମାନଙ୍କରେ ମଧ୍ୟ ପାଇଖାନା ନିର୍ମାଣ ନେଇ ଟଂକା ଖର୍ଚ୍ଚ କରାଗଲା। କିନ୍ତୁ ତାହା ବି କାମରେ ଲାଗୁନାହିଁ। ରିପୋର୍ଟ ଅନୁଯାୟୀ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୧,୯୯୫ଟି ପାଇଖାନା ନିର୍ମାଣ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୭୩୭ଟି ପାଇଖାନା। ସେହିପରି କାଲିମେଳା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨୪,୮୧୦ଟି ଏବଂ ଦ୍ବିତୀୟରେ ୨୨୯୦ଟି। ଖଇରପୁଟ ବ୍ଲକରେ ପ୍ରଥମେ ୧୩,୦୬୯ଟି ଏବଂ ଦ୍ବିତୀୟରେ ୧୨୬୩ଟି,କୋରକୋଣ୍ଡା ବ୍ଲକରେ ପ୍ରଥମେ ୧୪,୩୧୦ଟି ଏବଂ ଦ୍ବିତୀୟରେ ୨୬୪୩ଟି,ମାଲକାନଗିରି ବ୍ଲକରେ ୧୯,୫୫୯ଟି ଏବଂ ଦ୍ବିତୀୟରେ ୧୭୧୬ଟି,ମାଥିଲି ବ୍ଲକରେ ପ୍ରଥମେ ୧୯୬୬୯ଟି ଏବଂ ଦ୍ବିତୀୟରେ ୩୧୧୨ଟି ଏବଂ ପଡିଆ ବ୍ଲକରେ ୧୦,୩୩୦ଟି ଏବଂ ଦ୍ବିତୀୟରେ ୧୯୯୩ଟି ପାଇଖାନା ନିର୍ମାଣ କରାଯାଇଥିଲା।

ତେବେ ଏହି ପାଇଖାନାଗୁଡିକରେ ଏବେ ଜଂଗଲ ସୃଷ୍ଟି ହୋଇଥିବା ବେଳେ କିଛି ପାଇଖାନାରେ ଲୋକେ ଅଦରକାରୀ ଜିନିଷ ଗଚ୍ଛିତ କରି ରଖିଥିବା ଦେଖିବାକୁ ମିଳିଛି।ଲୋକେ ଆଜି ବି ଖୋଲା ଆକାଶ ତଳେ ଶୌଚ ପାଇଁ ଯାଉଥିବା ଦେଖିବାକୁ ମିଳିଛି।ମାତ୍ର ୧୨ ହଜାର ଟଂକାରେ ନିର୍ମିତ ହୋଇଥିବା ଏହି ପାଇଖାନାଗୁଡିକ ଅତି ନିମ୍ନମାନର ହୋଇଥିବା ବେଳେ ଲୋକେ ଏହି ପାଇଖାନାରେ ବସିବାକୁ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି।କେବଳ ସରକାର ଦେଇଛନ୍ତି ,ତେଣୁ ଲୋକେ ଏହାକୁ ମନା ନକରି ଘର ଠାରୁ ଦୁରରେ ତିଆରି କରିଦେବାକୁ ଅନୁମତି ଦେଇଥିଲେ।ତେବେ ଏଥିରେ ଦଲାଲ ପଶିବାରୁ ଏହା ଏକ ପ୍ରକାର ବିଫଳ ହୋଇଥିବା କୁହାଯାଇଛି।ଚିତ୍ରକୋଣ୍ଡା ଅଂଚଳରେ ପାଇଖାନା ଏକ ପ୍ରକାର ହଜିଯାଇଛି।ଟିଣରେ ପାଇଖାନା ନିର୍ମାଣ କରାଯାଇଥିବାରୁ ଲୋକେ ଏହି ଟିଣକୁ କାଢି ଅନ୍ୟତ୍ର ବିକ୍ରି କରିଦେଇଥିବା ଜଣାପଡିଛି।ତେବେ ଆଜି କେବଳ କାଗଜ କଲମରେ ହିଁ ପାଇଖାନା ଦିବସ ପାଳନ କରି ପୁଣି ଭୁଲିଯିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।ତେବେ ଏହା କିପରି କାର୍ଯ୍ୟକାରୀ ହେବ ତାହା ନା ସରକାର ଦେଖୁଛନ୍ତି ନା ପ୍ରଶାସନ ତତ୍ପରତା ଦେଖାଉଛି ବୋଲି କୁହାଯାଇଛି।