ଭୁବନେଶ୍ୱର(ସୁବ୍ରତ ଦାସ) : ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଏହି ନିର୍ବାଚନ ଅନ୍ତର୍ଗତ ୭ଟି ଲେଖାଏଁ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆଜି ଶେଷ ହେବା ପରେ କିଏ କେଉଁଠୁ ଲଢୁଛି ତାହା ସ୍ପଷ୍ଟ ହୋଇଯାଇଛି। ଗତକାଲି ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି। ଆଜି ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ମତ ଦାନ ପାଇଁ ଲୋକସଭା ଲାଗି ୪୫ ଏବଂ ବିଧାନସଭା ନିମନ୍ତେ ୩୦୨ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ଅନ୍ୟ ପକ୍ଷରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଧାନସଭା ପାଇଁ ୨୪୫ ଜଣ ପ୍ରାର୍ଥୀ ଓ ଲୋକସଭା ପାଇଁ ୩୦ ପ୍ରାର୍ଥୀ ନାମାଙ୍କନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହିଞ୍ଜିଳି ସାଂଗକୁ ବିଜେପୁର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ବହୁ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇନ୍ତି। ଏହାଛଡ଼ା ଅନ୍ୟଦଳରୁ ଆସି କେତେକ ନେତା ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜୁ ଜନତା ଦଳ ଓ କଂଗ୍ରେସ ଟିକେଟରୁ ବଞ୍ଚିତ ହୋଇ କେତେକ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସେହି ଦଳରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି।

publive-image

ବରଗଡ଼ ଲୋକସଭା ଆସନରୁ ଗତ ଥର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁବାସ ଚୌହାନ ଏଥର ଟିକେଟ ନ ପାଇଥିବାରୁ ତାର ପ୍ରତିବାଦରେ ଦଳ ଛାଡ଼ିଛନ୍ତି। ସେହିପରି ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଦଳୀୟ ଟିକେଟ ନ ପାଇବା ପ୍ରତିବାଦରେ କଂଗ୍ରେସ ଦଳ ତ୍ୟାଗ କରିଛନ୍ତି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିରୋଧୀ ପ୍ରାର୍ଥୀମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ହସ ଖୁସର ସହିତ ଭାବ ବିନିମୟ କରୁଥିବାର ଆଜି ଲକ୍ଷ୍ୟ କରାଯାଇଥିଲା। ପ୍ରାର୍ଥୀପତ୍ର ଦାଖଲ କରିବାକୁ ଗଲାବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ବିଜୁ ଜନତା ଦଳ ପ୍ରାର୍ଥୀ ସୁନିତା ବିଶ୍ୱାଳ ଏବଂ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ମଧ୍ୟରେ ହସଖୁସି କଥାବାର୍ତ୍ତା ଚାଲିଥିଲା। ତେବେ ସୁନିତାଙ୍କ ସାନ ଭଉଣୀ ଅମିତା ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ଏଥର ଆସ୍କା ଲୋକସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ପ୍ରାର୍ଥୀ ଭାବେ କୌଣସି ରାଜନୈତିକ ଅଭିଜ୍ଞତା ନ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ କର୍ମୀ ପ୍ରମିଳା ବିଷୋଇଙ୍କୁ ବାଛିଛନ୍ତି। ସେହିପରି ତାଙ୍କର ଭାରତୀୟ ଜନତା ପାର୍ଟି ପ୍ରତିଦ୍ୱନ୍ଦ୍ୱୀ ଅନିତା ପ୍ରିୟଦର୍ଶିନୀ ମଧ୍ୟ ରାଜନୀତିରେ ନୂଆ। ସେ ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା।

ବରଗଡ଼ ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଏଥର ଲଢ଼ୁଛନ୍ତି ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ତାଙ୍କ ବିରୁଦ୍ଧରେ ଲଢୁଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂୂଜାରୀ।

publive-image

ବଲାଙ୍ଗୀର ଲୋକସଭା ଆସନରୁ ଏଥର ତ ଲୋକସଭା ସଦସ୍ୟ କଳିକେଶ ନାରାୟଣ ସିଂହଦେଓ ଓ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ସଂଗୀତା ସିଂହଦେଓ ଲଢ଼ୁଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର।
କନ୍ଧମାଳ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟସଭା ସଦସ୍ୟ ଅଚ୍ୟୁତ ସାମନ୍ତ। ତାଙ୍କ ବିରୁଦ୍ଧରେ ଲଢୁଛନ୍ତି ଭାରତୀୟ ଜନତା ପାର୍ଟିକୁ ନିକଟରେ ଫେରିଥିବା ଐର ଖାରବେଳ ସ୍ୱାଇଁ।

ସୁନ୍ଦରଗଡ଼ ଲୋକସଭା ଆସନରୁ ହକିତାରକା ଦିଲ୍ଲୀପ ତିର୍କୀଙ୍କ ସ୍ଥାନରେ ଏଥର ବିଜୁ ଜନତା ଦଳ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ। ସେହିପରି ନିକଟରେ କଂଗ୍ରେସରେ ଯୋଗ ଦେଇଛନ୍ତି ସ୍ୱାଧୀନ ବିଧାୟକ ତଥା ବରିଷ୍ଠ ଆଦିବାସୀ ନେତା ଜର୍ଜ ତିର୍କୀ।

publive-image

ଏହି ପାଞ୍ଚୋଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ମଧ୍ୟରୁ ଅନେକଗୁଡ଼ିଏ ଆସନରେ ଏଥର ସବୁ ଦଳ ମଧ୍ୟରେ ପ୍ରାର୍ଥୀ ଓଲଟପାଲଟ ହୋଇଛନ୍ତି। ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଏବଂ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି।