ନେଟ୍ୱର୍କ ଭାଗ୍ୟରେ ଲଟକିଛି ଅନ୍ଲାଇନ୍ କ୍ଳାସ୍: କୋର୍ସ ସରିଲାଣି ୭୫ ପ୍ରତିଶତ, ପଢୁଛନ୍ତି ୫୦ ପ୍ରତିଶତରୁ କମ୍

ଭଞ୍ଜନଗର: କରୋନା ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିସାରିଛି। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଠପଢାର ଅଗାମୀ ଭବିଷ୍ୟତକୁ ଜଟିଳ କରିପକାଇଛି। ସରକାର କଟକଣା ପାଇଁ ସ୍କୁଲ କଲେଜକୁ ପୂଜା ପୂର୍ବରୁ ଖୋଲିବେ ନାହିଁ ବୋଲି ଘୋଷଣା କରିସାରିଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଅନ୍ଲାଇନ୍ ଶିକ୍ଷାକୁ ବିକଳ୍ପ ଭାବେ ଆପଣା ଯାଇଛି। ଯାହାର ସୁଫଳ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାଇ ପାରୁନାହାନ୍ତି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମୋବାଇଲ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ଗତ ଜୁଲାଇ ୧୫ରୁ ନିୟମିତ ଶିକ୍ଷାଦାନ କରି ଆସୁଛନ୍ତି। ଯୁକ୍ତତିନିରେ ପାଠ ପଢୁଥିବା ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସୁବିଧାରୁ ବିଭିନ୍ନ କାରଣରୁ ବଞ୍ଚିତ ହେଉଛନ୍ତି। କେଉଁଠି ସ୍ମାର୍ଟ ଫୋନର ଅଭାବ ତ କେଉଁଠି ସ୍ମାର୍ଟ ଫୋନ ରହିଥିଲେ ନେଟୱର୍କର ଅଭାବ ଅନେକ ପିଲାଙ୍କୁ ମହାବିଦ୍ୟାଳୟରେ ମିଳୁଥିବା ଶିକ୍ଷାରୁ ବଞ୍ଚିତ କରୁଛି। ସମସ୍ତ ଛାତ୍ରଛାତ୍ରୀ ସମାନ ଶିକ୍ଷା ପାଇ ପାରୁନଥିବାରୁ ଚଳିତ ବର୍ଷର ପାଠପଢା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଆଗାମୀ ଭବିଷ୍ୟତ ନେଇ ସେମାନେର ସନ୍ଦିହାନ ହୋଇପଡିଛନ୍ତି। ଆଉ ସରକାର ଆପଣାଇଥିବା ଅନ୍ଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ଏକ ପ୍ରକାର ପ୍ରହସନ ପାଲଟିଛି।

ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବର୍ତ୍ତମାନ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି। ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କୁ କଲେଜ ଆସିବା ପାଇଁ ନିୟମ ରହିଥିବାରୁ ଅଡ ଇଭେନ୍ ପ୍ରକ୍ରିୟାରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ କଲେଜକୁ ଆସି ଛାତ୍ରଛାତ୍ରୀଙ୍କୁ ଭିଡିଓ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଯୁକ୍ତତିନି ଦ୍ବିତୀୟ ଏବଂ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଏଭଳି ଶିକ୍ଷାଦାନ ପକ୍ରିୟା ଜାରି ରହିଛି। କେଏସ୍ୟୁବି କଲେଜ୍ର ଯୁକ୍ତତିନିରେ ପଢୁଥିବା ୧୦୨୯ ଜଣ ମଧ୍ୟରୁ ଦ୍ବିତୀୟ ବର୍ଷ କଳାରେ ୨୯୧ ଜଣ,ବାଣିଜ୍ୟରେ ୩୭ଜଣ ଏବଂ ବିଜ୍ଞାନରେ ୨୩୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେହିପରି ଶେଷବର୍ଷରେ କଳାରେ ୨୬୫,ବାଣିଜ୍ୟରେ ୪୮ ଏବଂ ବିଜ୍ଞାନରେ ୨୧୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୫୦ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ହିଁ ଅନ୍ଲାଇନ କ୍ଳାସ୍ରେ ଭାଗ ନେଉଥିବା ଜଣାପଡିଛି। ଯୁକ୍ତତିନି ଅର୍ଥଶାସ୍ତ୍ରର ଦ୍ବିତୀୟ ବର୍ଷରେ ୩୨ ଜଣରୁ ୪୦ ପ୍ରତିଶତ,ଶେଷବର୍ଷରେ ୨୬ଜଣରୁ ୪୦ ପ୍ରତିଶତ ଅନ୍ଲାଇନ୍ ମାଧ୍ୟମରେ ଯୋଡି ହୋଇ ପାଠ ପଢୁଛନ୍ତି।

 

ସେିହପରି ଏଜୁକେସନ୍ର ଦ୍ବିତୀୟ ବର୍ଷର ୩୦ ଜଣରୁ ୫୦ ପ୍ରତିଶତ ଶେଷ ବର୍ଷରେ ୨୬ ଜଣରୁ ୫୦ ପ୍ରତିଶତ,ଇରାଜୀର ଦ୍ବିତୀୟ ବର୍ଷର ୧୦ ଜଣରୁ ୪୫ ପ୍ରତିଶତ ଶେଷ ବର୍ଷରେ ୧୧ ଜଣରୁ ୫୦ ପ୍ରତିଶତ,ଇତିହାସର ଦ୍ବିତୀୟ ବର୍ଷର ୬୩ ଜଣରୁ ୪୫ ପ୍ରତିଶତ ଶେଷ ବର୍ଷରେ ୫୩ ଜଣରୁ ୪୫ ପ୍ରତିଶତ,ଓଡ଼ିଆରେ ଦ୍ବିତୀୟ ବର୍ଷର ୪୬ ଜଣରୁ ୪୦ ପ୍ରତିଶତ ଶେଷ ବର୍ଷରେ ୩୯ ଜଣରୁ ୫୦ ପ୍ରତିଶତ,ଦର୍ଶନ ଶାସ୍ତ୍ରରେ ଦ୍ବିତୀୟ ବର୍ଷର ୧୭ ଜଣରୁ ୪୫ ପ୍ରତିଶତ ଶେଷ ବର୍ଷରେ ୨୬ ଜଣରୁ ୪୫ ପ୍ରତିଶତ,ରାଜନୀତି ବିଜ୍ଞାନରେ ଦ୍ବିତୀୟ ବର୍ଷର ୬୩ ଜଣରୁ ୫୦ ପ୍ରତିଶତ ଶେଷ ବର୍ଷରେ ୫୭ ଜଣରୁ ୫୦ ପ୍ରତିଶତ ଅନ୍ଲାଇନ୍ରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ଦ୍ବିତୀୟ ବର୍ଷର ୩୭ ଜଣରୁ ୫୦ ପ୍ରତିଶତ ଶେଷ ବର୍ଷରେ ୪୮ ଜଣରୁ ୪୫ ପ୍ରତିଶତ ଶିକ୍ଷାଦାନ ଗ୍ରହଣ କରିଛନ୍ତି। ସେହିପରି ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନରେ ଦ୍ବିତୀୟ ବର୍ଷର ୪୧ ଜଣରୁ ୫୦ ପ୍ରତିଶତ ଶେଷ ବର୍ଷରେ ୩୬ ଜଣରୁ ୫୦ ପ୍ରତିଶତ,ରସାୟନରେ ଦ୍ବିତୀୟ ବର୍ଷର ୫୧ ଜଣରୁ ୫୨ ପ୍ରତିଶତ ଶେଷ ବର୍ଷରେ ୫୦ ଜଣରୁ ୫୦ ପ୍ରତିଶତ,ପଦାର୍ଥ ବିଜ୍ଞାନରେ ଦ୍ବିତୀୟ ବର୍ଷର ୬୧ ଜଣରୁ ୪୮ ପ୍ରତିଶତ ଶେଷ ବର୍ଷରେ ୪୬ ଜଣରୁ ୪୫ ପ୍ରତିଶତ,ପ୍ରାଣୀ ବିଜ୍ଞାନରେ ଦ୍ବିତୀୟ ବର୍ଷର ୪୪ ଜଣରୁ ୫୦ ପ୍ରତିଶତ ଶେଷ ବର୍ଷରେ ୩୪ ଜଣରୁ ୫୫ ପ୍ରତିଶତ ଓ ଗଣିତରେ ଦ୍ବିତୀୟ ବର୍ଷର ୧୭ ଜଣରୁ ୫୫ ପ୍ରତିଶତ ଶେଷ ବର୍ଷରେ ୧୮ ଜଣରୁ ୬୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରିଛନ୍ତି। କଳା ପାଠ୍ୟକ୍ରମ ଅନେକ୍ଷା ବିଜ୍ଞାନରେ ଅଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ ଦ୍ବାରା ଶିକ୍ଷାଦାନ ପ୍ରକ୍ରିୟାରେ ଯୋଡି ହେଉଥିବା ଜଣାପଡିଛି। ସେହିପରି ସାବିତ୍ରୀ ମହିଳା ମହାବିଦ୍ୟାଳୟରେ କଳାରେ ୪୦ ପ୍ରତିଶତ ଛାତ୍ରୀ ପଢୁଥିବା ବେଳେ ବିଜ୍ଞାନରେ ୬୦ ପ୍ରତିଶତ ଛାତ୍ରୀ ଅନ୍ଲାଇନ୍ ମାଧମରେ ପଢୁଛନ୍ତି।

ଭଞ୍ଜନଗର ବ୍ଳକ୍ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଦଦରଲୁଣ୍ଡା ପଞ୍ଚାୟତ ପଇତା ଗ୍ରାମର ଯୁକ୍ତ ତିନି ଶେଷ ବର୍ଷ କଳାରେ ପାଠ ପଢୁଥିବା ପପିନା ଗୌଡ କହିଛନ୍ତି ଯେ,ଅନେକ ସମୟରେ ନେଟୱର୍କ ରହୁନଥିବାରୁ ଗ୍ରାମ ଠାରୁ କିଛି ଦୂର ଯିବାକୁ ପଡୁଥିଲା। ତାହା ମଧ୍ୟ ଅନେକ ସମୟରେ କ୍ଳିୟର ଆସୁନଥିଲା। ମୋବାଇଲ ବର୍ତ୍ତମାନ ଖରାପ ହୋଇଯିବାରୁ ଅନେକ ଦିନ ହେବ କ୍ଳାସ୍ କରିନାହିଁ। ଆଗାମୀ ଦିନରେ ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ ଆଉ କିଭଳି ସେଥିପାଇଁ ନିଜକୁ ପ୍ରସ୍ତୁତ କରିବି ଚିନ୍ତାରେ ରହିଥିବା ସେ ପ୍ରକାଶ କରିଛନ୍ତି। ସେହିପରି ସୋରଡ଼ା ବ୍ଳକ୍ ଲାଠିପଡା ପଞ୍ଚାୟତର ଜଗନ୍ନାଥ ବେହେରା କହିଛନ୍ତି ଯେ ଗରୀବ ଶ୍ରେଣୀର ହୋଇଥିବାରୁ ନିଜର ମୋରବାଇଲ ନାହିଁ। ସହରକୁ ଆସି ଅନ୍ୟ ସାଙ୍ଗ ମାନଙ୍କ ଠାରୁ ପଢାଯାଇଥିବା ନୋଟ୍ସ୍ ଜେରକ୍ସ କରି ପଢିବା ପାଇଁ ଚେଷ୍ଟା କରୁଛି। ତେବେ ପାଠ ବୁଝିବାରେ ବହୁ ସମସ୍ୟା ହେଉଥିବା ଜଗନ୍ନାଥ ପ୍ରକାଶ କରିଛନ୍ତି।

କେଏସ୍ୟୁବି କଲେଜ ଅଧ୍ୟକ୍ଷ ଡ.ନିଳାଞ୍ଚଳ ମୁନି କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଲାଇନ୍ ପଢାଇବା ପାଇଁ କଲେଜ୍ରେ ସମସ୍ତ ବ୍ୟବସ୍ଥା କରାଯିବା ସହ ସ୍ବତନ୍ତ୍ର ଡାଉଟ୍ କ୍ଳିୟର କ୍ଳାସ୍ ମଧ୍ୟ କରାଯାଉଛି। ଯେଉଁ ଛାତ୍ରମାନେ କୌଣସି କାରଣରୁ ଅନ୍ଲାଇନ୍ରେ ଯୋଡି ହୋଇପାରୁନାହାନ୍ତି ୱାଟ୍ଆପ୍ ଗ୍ରୁପ୍ ଦ୍ବାରା ସେମାନଙ୍କୁ ପଢା ଯାଇଥିବା ପାଠର ଫଟୋ କପି ପଠାଯାଉଛି। ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଶାନ୍ତି କୁମାରୀ ଉପାଧ୍ୟାୟ କହିଛନ୍ତି ଆମ କଲେଜକୁ ମୋବାଇଲ ବାରଣ ଥିବାରୁ ବହୁ ଛାତ୍ରୀଙ୍କ ନିକଟରେ ମୋବାଇଲ ନାହିଁ। ଅନେକ ଛାତ୍ରୀ ଗ୍ରାମଞ୍ଚଳର ହୋଇଥିବାରୁ ନେଟୱର୍କ ସମସ୍ୟା ମଧ୍ୟ ରହୁଛି। କିନ୍ତୁ ସରକାରୀ ନିୟମ ପ୍ରକାରେ ଯଥା ସମ୍ଭବ ଆମେ ଶିକ୍ଷାଦାନ ଜାରି ରଖିଛୁ।

ସମ୍ବନ୍ଧିତ ଖବର