ବାଇକରେ ବାପାଙ୍କ ଶବକୁ ପୁଅ ନେବା ଘଟଣା: ସ୍ବାସ୍ଥ୍ୟ ବିଭାଗ ଉଚ୍ଚସ୍ତରୀୟ ଟିମର ତଦନ୍ତ ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ନିଜ ଘରକୁ ଶବ ନେବା ପାଇଁ କୌଣସି ବିକଳ୍ପ ନପାଇ ମୋଟର ସାଇକେଲରେ ନିଜ ବାପାଙ୍କ ଶବକୁ ନେଇ ଯାଇଥିଲେ। ଏହି ଘଟଣାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ସ୍ତରୀୟ ଟିମ ସିନାପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପହ‌ଞ୍ଚ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି।

ଆଜି ମଧ୍ୟାହ୍ନରେ ସିଡିଏମଓ ଡା. କାଳୀପ୍ରସାଦ ବେହେରାଙ୍କ ନିର୍ଦେଶ କ୍ରମେ ଏଡିଏମଓ ଡା.ଗୋପାଳ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ବରେ ଏକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ଟିମ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହ‌ଞ୍ଚିଥିଲେ। ସେଠାରେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ତାରାକାନ୍ତ ଦାସଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଥିଲେ। ଚିକିତ୍ସାଳୟର ଅନ୍ୟ ଡାକ୍ତର, କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚରାଉଚୁରା କରିଥିଲେ। ଶବ ନେବାକୁ କାହିଁକି ଗାଡ଼ି ମିଳିନଥିଲା। କିଭଳି ପରିସ୍ଥିତିରେ ଶବକୁ ମୋଟର ସାଇକେଲରେ ନେବାକୁ ତାଙ୍କ ପୁଅ ବାଧ୍ୟ ହୋଇଥିଲେ। ଏଭଳି ବିଭିନ୍ନ ଦିଗରେ ତଦନ୍ତ କରିଥିଲେ।

ଗତକାଲି ଅପରାହ୍ନରେ ଏହି ଟିମ ସିଏଚସିରୁ କିଛି ଜରୁରୀ କାଗଜାତ ସଂଗ୍ରହ କରି ଫେରି ଆସିଥିଲେ। ଏନେଇ ଏଡିଏମଓ ଡା. ମଲ୍ଲିକଙ୍କୁ ପଚାରିବାରୁ, ବାପାଙ୍କ ଶବକୁ ପୁଅ ମୋଟର ସାଇକେଲରେ ନେବା ଘଟଣା ଉପରେ ତଦନ୍ତ କରିଛୁ। ସିନାପାଲି ସିଏଚସିର ଡାକ୍ତର ଓ କର୍ମଚାରୀମାନଙ୍କୁ ପଚରାଉଚୁରା କରି କିଛି କାଗଜାତ ସଂଗ୍ରହ କରିଛୁ। ଆଉ କିଛି କାଗଜାତ ସଂଗ୍ରହ କରିବାକୁ ବାକି ରହିଛି। ଏହି ତଦନ୍ତ ରିପୋର୍ଟ ଓ କାଗଜାତକୁ ସିଡିଏମଓଙ୍କୁ ପ୍ରଦାନ କରିବୁ। ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର