ଭୁବନେଶ୍ୱର: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଭାରତବର୍ଷରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଥମିଛି। ଏପଟେ ଆଜି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଦେଇଥିବା ଚେତାବନୀ ସାରା ରାଜ୍ୟରେ ସ୍ବାସ୍ଥ୍ୟ ସେବା ପ୍ରଭାବିତ କରିବାର ଭୟ ସୃଷ୍ଟି କଲାଣି। ଆସନ୍ତା ୨୬ ତାରିଖ ପୂର୍ବରୁ ନର୍ସିଂ ଅଫିସରମାନଙ୍କର  ୧୦ ଦଫା ଦାବି ଉପରେ ସରକାର ଯଦି କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ସାରା ଓଡ଼ିଶାରେ ଆସନ୍ତା ୨୭ ତାରିଖରୁ ‘ଇଞ୍ଜେକ୍ସନ ବନ୍ଦ ଆନ୍ଦୋଳନ’ କରାଯିବ ବୋଲି ସଂଘ କହିଛି। ୧୦ ଦଫା ଦାବି ନେଇ ସଂଘର ଶହ ଶହ ସଦସ୍ୟ ଆଜି ଲୋୟର ପିଏମ୍‌ଜିରେ ଧାରଣା ଦେଇ ସରକାରଙ୍କୁ ସେମାନଙ୍କ କଥା ସିଧା ଶୁଣାଇଦେଇ ଯାଇଛନ୍ତି। ପରୋକ୍ଷରେ ଧମକାଇ ଦେଇଯାଇଛନ୍ତି ଯେ ସ୍ବାସ୍ଥ୍ୟ ସେବା ଠପ୍ ହେଲେ, ସେମାନେ ଦାୟୀ ହେବେ ନାହିଁ। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ହଜାର ହଜାର ନର୍ସିଂ ଅଫିସରଙ୍କ ଏଭଳି ସତର୍କବାଣୀ ସରକାରଙ୍କୁ ପ୍ରଭାବିତ କରିପାରିନାହିଁ। ‌ଖବର ଲେଖା ହେବା ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିମ୍ବା ଦାବି ପୂରଣ ଲାଗି ପ୍ରତିଶ୍ରୁତି ମିଳିନାହିଁ। 

Advertisment

ନର୍ସିଂ ଅଫିସରଙ୍କ ଦାବିଗୁଡ଼ିକ ହେଲା- ୨୦୧୩ ନଭେମ୍ବର ୧୨ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷର ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରିରେ ସାମିଲ କରିବା, ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଅବସ୍ଥାପିତ ଅଫିସରଙ୍କୁ ଫେରାଇ ଆଣି କ୍ୟାଡର୍‌ ପୋଷ୍ଟରେ ନିଯୁକ୍ତି, କଟକ ରିଜିଓନାଲ୍‌ ସ୍ପାଇନାଲ୍‌ ଇନ୍‌ଞ୍ଜ୍ୟୁରି ସେଣ୍ଟରରେ ୧୮ ବର୍ଷ ଧରି କାମ କରୁଥିବା ନର୍ସିଂ ଅଫିସରଙ୍କ ସହିତ ଏମ୍‌ଏଚ୍‌ୟୁ/ବିଏସ୍‌‌କେୱାଇ ଅଧୀନରେ କାର୍ଯ୍ୟରତ ଅଫିସରଙ୍କୁ ନିୟମିତ କରିବା, ନିୟମିତ ହୋଇନଥିବା ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ନିୟମିତ କରିବା, କଟକ ଏଏଚ୍‌ପି ଜିଆଇସି ଅଧୀନରେ କାର୍ଯ୍ୟରତ ଅଫିସରଙ୍କୁ ନର୍ସିଂ ସର୍ଭିସ କ୍ୟାଡର୍‌ରେ ସାମିଲ କରିବା, ଆଉଟ୍‌ ସୋର୍ସିଂ ନିଯୁକ୍ତି ବନ୍ଦ କରିବା, ଦୁର୍ଗମ ତଥା କଠିନ ଅଞ୍ଚଳରେ କାମ କରୁଥିବା ଅଫିସରମାନଙ୍କୁ ପ୍ରୋତ୍ସାହନ ରାଶି ଦେବା, ସାଧାରଣ ଛୁଟି ଦିନ ବଦଳରେ କ୍ଷତିପୂରଣ ଛୁଟି ପ୍ରଦାନ କରିବା ଇତ୍ୟାଦି। ସଂଘର ସଭାନେତ୍ରୀ ସୁଚିସ୍ମିତା ଦାଶ କହିଛନ୍ତି, ଆନ୍ଦୋଳନ ସଂପର୍କରେ ବହୁ ପୂର୍ବରୁ ସଂଘ ସରକାରଙ୍କୁ ଅବଗତ କରାଯାଇଥିଲା। ହେଲେ ସରକାର ଦାବି ପୂରଣ କରିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ଆଜି ନର୍ସିଂ ଅଫିସର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକାଠି ହୋଇଥିଲେ।