ଭୁବନେଶ୍ବର: ୨୦୨୫ ପୂଜା ବଜାରରେ ମାତ୍ର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି। ଏବେ ଦର୍ଶକଙ୍କ ନଜର ରହିଛି ଦୀପାବଳି ଉପରେ। ଏଥର ଦୀପାବଳିରେ ଗୋଟିଏ ଓଡ଼ିଆ ଛବି ରିଲିଜ୍ ହେବା ବହୁ ଆଗରୁ ସ୍ପଷ୍ଟ ହୋଇସାରିଛି। ଉକ୍ତ ସନେମାର ପ୍ରଯୋଜନା ସଂସ୍ଥା ଢେର ଆଗରୁ ଏହାର ଘୋଷଣା ବି କରିସାରିଛନ୍ତି। କିନ୍ତୁ ଆଉ ଗୋଟିଏ ବା ଦୁଇଟି ଛବି ବି ଏହି ଅବସରକୁ ଆଖରେ ରଖିଥିବା ଚର୍ଚ୍ଚା ହେଉଛି।
ଯେଉଁ ଓଡ଼ିଆ ଛବି ଦୀପାବଳରେ ଆସିବା ନିଶ୍ଚିତ, ତାହା ହେଲା ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଢ଼େଇ’। ଏବେ ଜୋରସୋରରେ ପବ୍ଲିସିଟି କାମ ଚାଲିଛି। ଏହାର ଅଧିକାଂଶ ସୁଟିଂ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରଠାରେ କରାଯାଇଛି। ଏହି ସିନେମା ଜରିଆରେ ଓଲିଉଡରେ ନୂଆ ନାୟକ ଲୋହିତାକ୍ଷ ପଟ୍ଟନାୟକ ଓ ନବାଗତା ନାୟିକା ଅଭିଲିପ୍ସା ଡେବ୍ୟୁ କରୁଛନ୍ତି। ଏତଦବ୍ୟତୀତ ବିଭାସ,କେ କେ ଓ ଉଦିତ ଗୁରୁ ପ୍ରମୁଖ ବି ଅଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ଭରଦ୍ବାଜ ପଣ୍ଡା ‘ଲଢ଼େଇ’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ତେଣେ ଦୀପାବଳିକୁ ଆଖେଇଛି ରହସ୍ୟ ରୋମାଞ୍ଚଧର୍ମୀ ଓଡ଼ିଆ ସିନେମା 'ମିଡ୍ ନାଇଟ୍'। ମନୁ ଦ୍ବିବେଦୀ ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ। ଏହି ଛବିର କାହାଣୀକାର ଓ ଅନ୍ୟତମ ପ୍ରଯୋଜକ ହେଲେ ଅନୁପ ଦ୍ବିବେଦୀ। ଡ. ରଜନୀରଞ୍ଜନ ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ପ୍ରଶାନ୍ତ ପାଢ଼ୀ। ଡକ୍ଟର ନିର୍ମଳ ନାୟକ ଓ ସରୋଜ ବଳ ଏହାର ଗୀତିକାର। ଏହାର ସିନେମାଟୋଗ୍ରାଫର ହେଲେ ଅଜିତ ଦାସ।
ଏଥିରେ ମନୁ ଦ୍ବିବେଦୀ ମୁଖ୍ୟ ଭୂମିକାରେ ଅଛନ୍ତି। ପ୍ରଥମ ଥର ପାଇଁ ତାଙ୍କୁ ଦର୍ଶକ ଦ୍ବୈତ ଭୂମିକାରେ ଦେଖିବାକୁ ପାଇବେ। ମନୁ ଦ୍ବିବେଦୀ ଫିଲ୍ମସ ନିବେଦିତ ହରର ସିନେମା 'ମିଡ୍ ନାଇଟ୍'ରେ ଉଭୟ ବାପା ଓ ପୁଅ ଚରିତ୍ରରେ ଅଭିନୟ କରିଛନ୍ତି ସେ। ତାଙ୍କ ବ୍ୟତୀତ ପ୍ରତିଭା ପଣ୍ଡା, ଦେବୁ ବ୍ରହ୍ମା, ଅକ୍ଷୟ ବସ୍ତିଆ ନବାଗତା ଆଲିୟା ରାଉତ ଓ ଡାଏନା ପ୍ରମୁଖ ବି ଏଥିରେ ନଜର ଆସିବେ। ଫିଲ୍ମକୁ ଦର୍ଶକ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ। ତେଣେ ‘ଲାଡୋ’ ଓ ‘ମହାକାଳ’ ଭଳି ଛୋଟ ବଜେଟର ଛବି ବି ପ୍ରସ୍ତୁତ ହେଉଥିବାର ସୂଚନା ରହିଛି। ଦେଖାଯାଉଏସବୁ ସିନେମା ଦୀପାବଳୀରେ ବଡ଼ ପରଦାକୁ ଆସୁଛି କି ନା!